Latest Odisha News

ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣା: ବିଏମସି କମିଶନରଙ୍କୁ ନୋଟିସ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ଵର: ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ସାଜ୍ୟ ସରକାର । ତୁରନ୍ତ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ ପକାଇବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସ୍ଲାବ୍ ପକେଇବା ସହ ଡ୍ରେନ୍‌ କଡ଼ରେ ପାଚେରୀ, ବାଡ଼, ସୂଚନା ବୋର୍ଡ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏଥିସହ ଏଭଳି ଦୁର୍ଘଟଣା ରୋକିବାକୁ ଅନ୍ୟ କେଉଁ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଜଣାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଆୟୋଗ ।

ସେପଟେ ଭୁବନେଶ୍ବର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ୍‌ ରହିଛି। ବିଏମ୍‌ସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ୍‌ ଅଛି। ଏଥିରୁ ୨୭ କିଲୋମିଟର ମୁକୁଳା ଡ୍ରେନ୍‌ ରହିଛି। ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ମୁକୁଳା ଡ୍ରେନ୍‌ କାମ ସରିବ । ମାସକରେ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ ପଡ଼ିବ । ସେହିପରି ସପ୍ତାହକରେ ବାରିକେଡ କାମ ସରିବ। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ।

ସୂଚନାଯୋଗ୍ୟ ଯେ, ସପ୍ତାହ ପୂର୍ବରୁ ରାଜଧାନୀରେ ଅତି ପ୍ରବଳ ବର୍ଷା ହୋଇଥିଲା । ଫଳରେ ଡ୍ରେନ ଗୁଡିକ ଭରି ଯାଇଥିଲା । ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର ଏସକେ ରାଜେଶ ଓ ତାଙ୍କ ସାଙ୍ଗମାନେ ଡ୍ରେନ୍‌ ପାଖରେ ଖେଳୁଥିବା ବେଳେ ହଠାତ୍ ଉଛୁଳା ଡ୍ରେନରେ ଭାସି ଯାଇଥିଲେ ରାଜେଶ। ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Leave A Reply

Your email address will not be published.