ପୁରୀ: ପୁରୀର ଜଗନ୍ନାଥ ଷ୍ଟାଡିୟମରେ ତୃତୀୟ ଏନଟିପିସି ସର୍ବଭାରତୀୟ ର୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଂଟ ମାର୍ଚ୍ଚ ୨ରୁ ଆରମ୍ଭ ହୋଇଛି । ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାଇରେକ୍ଟର ଅଫ ସ୍ପୋର୍ଟ୍ସ ଦୀପଙ୍କର ମହାପାତ୍ର ଯୋଗ ଦେଇଥିଲେ । ସେ କହିଥିଲେ ଏନଟିପିସି ଏବଂ ସ୍ପୋର୍ଟ୍ସ ଡିପାର୍ଟମେଂଟ ମଧ୍ୟରେ ବୁଝାମଣା ହୋଇଛି ଏବଂ ଖୁବ ଶୀଘ୍ର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ଆର୍ଚ୍ଚେରୀ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଓଡିଶାର ତୀରନ୍ଦାଜ ପାଇଁ ଆବଶ୍ୟକ ସମସ୍ତ ସୁବିଧା ସହଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ସରକାର ଆର୍ଥୀକ ସହାୟତା ଯୋଗାଇଥିବାରୁ ଆସୋସିଏଶନର ସଭାପତି ଗୋକୁଳ ଚନ୍ଦ୍ର ପତି ଧନ୍ୟବାଦ ଜଣାଇଥିଲେ ।
ପ୍ରତିଯୋଗିତାରେ ୩୭୬ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ଏବଂ ଏହା ୧୦ ଦିନ ଧରି ଚାଲିବ ବୋଲି ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ସୂଚନା ଦେଇଥିଲେ । ୯ ତାରିଖରେ ଏହି ପ୍ରତିଯୋଗିତା ଉଦଯାପିତ ହେବ । ଅଲିମ୍ପିଆନ ଦୀପିକା କୁମାରୀ, ଅତନୁ ଦାସ, ବି.ଧୀରଜ ଓ ଜୟନ୍ତ ତାଲୁକଦାର ପ୍ରମୁଖ ଏଥିରେ ଅଂଶଗ୍ରହଣ କରିବେ । ଆର୍ଚ୍ଚେରୀର ଉନ୍ନତି ପାଇଁ ଏନଟିପିସି ୧୫ ବର୍ଷ ହେଲା କାର୍ଯ୍ୟ କରି ଆସୁଛି ବୋଲି ଏହାର ରିଜିଓନାଲ ଡାଇରେକ୍ଟର ଅରିନ୍ଦମ ସିହ୍ନା କହିଥିଲେ । ଆର୍ଚ୍ଚେରୀ ଆସୋସିଏଶନ ଅଫ ଇଣ୍ଡିଆ ପୁରୀରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଅନୁମତି ଦେଇଥିବାରୁ ରବିଶଙ୍କର ପ୍ରତିହାରୀ ଏବଂ କ୍ରୀଡାକୁ ସରକାର ଗୁରୁତ୍ୱ ଦେଉଥିବାରୁ ରାମଦାସ ମହାପାତ୍ର ଧନ୍ୟବାଦ ଜଣାଇଥିଲେ । ପୁରୀ ଜିଲ୍ଲା ସମ୍ପାଦକ ଜିତେନ୍ଦ୍ରନାଥ ଦାସ ଗଣମାଧ୍ୟମର ସହଯୋଗକୁ ପ୍ରଶଂସା କରିଥିଲେ ।
Comments are closed.