ନୂଆଦିଲ୍ଲୀ: ଆସୁଛି ନୂଆବର୍ଷ । ନୂଆ ବର୍ଷପାଇଁ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ ଏହି ସମୟରେ ଅପରାଧିକ ମାମଲା ଆଧିକ ବଢିଥାଏ । ଏହାକୁ ଦୃଷ୍ଟିରେ ରଖିଦିଲ୍ଲୀ ପୁଲିସର ଅପରେସନ୍ ଆଘାତ ୩.୦ ଆରମ୍ଭ ହୋଇଛି । ଦିଲ୍ଲୀରେ ରାତିସାରା ଚଢ଼ଉ କରି ଶହ ଶହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ପୂର୍ବରୁ ପୁଲିସ ‘ଅପରେସନ୍ ଆଘାତ ୩.୦’ କ୍ରମେ ବିଗତ ୨୪ ଘଣ୍ଟା ମଧ୍ୟରେ ୬୬୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି । ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଲ୍ଲୀ ଜିଲ୍ଲାରୁ ଏହି ଗିରଫଦାରି ହୋଇଛି । ଏହି ସମୟରେ ପୁଲିସ ଅନେକ ଅସ୍ତ୍ରଶସ୍ତ୍ର, ଲକ୍ଷାଧିକ ଟଙ୍କା, ବେଆଇନ ମଦ, ଗଞ୍ଜେଇ, ଛୁରି, ମୋବାଇଲ୍, ବାଇକ୍ ଆଦି ଜବତ କରିଛି ।
ଦିଲ୍ଲୀ ପୁଲିସର ଯୁଗ୍ମ କମିଶନର ଏସ୍କେ ଜୈନ୍ଙ୍କ ଅନୁସାରେ, ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଜିଲ୍ଲା ପୁଲିସ ପକ୍ଷରୁ ଏହି ମିଳିତ ଅପରେସନ୍ ଚଳାଯାଇଥିଲା ଯାହାକି ବେଶ୍ ସଫଳ ହୋଇଛି । ସଂଗଠିତ ଅପରାଧ ବିଶେଷ କରି ମାଦକ ଦ୍ରବ୍ୟ ଚାଲାଣକାରୀ, ବେଆଇନ ମଦ ବିକ୍ରେତା ଏବଂ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏହି ଅପରେସନ୍ର ଉଦ୍ଦେଶ୍ୟ ଥିଲା । ଅଭିଯାନକ୍ରମେ ୨୪ ଘଣ୍ଟା ଧରି ସମ୍ବେଦନଶୀଳ ଅଞ୍ଚଳରେ ସମନ୍ୱିତ ଯାଞ୍ଚ କରାଯାଇଥିଲା । ଏହି ସମୟରେ କେବଳ ଦକ୍ଷିଣ ପୂର୍ବ ଦିଲ୍ଲୀ ଜିଲ୍ଲାରୁ ୨୮୫ ଜଣ ଗିରଫ ହୋଇଥିଲେ । ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଆଇନ, ଅବକାରୀ ଆଇନ, ଏନ୍ଡିପିଏସ୍ ଆଇନ ଏବଂ ଜୁଆ ଆଇନକ୍ରମେ ଗିରଫ କରାଯାଇଥିଲା । ୨୮୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ଏହାଛଡ଼ା ଉପରୋକ୍ତ ଦୁଇ ଜିଲ୍ଲାରେ ୮୫୦ଜଣ ଅପରାଧୀଙ୍କୁ ଅଟକ ରଖାଯାଇଛି ।
ଚଢ଼ାଉ ସମୟରେ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ ଅଭିଯୋଗରେ ଅନ୍ୟ ଦଶ ଜଣଙ୍କୁ ଗିରଫ କରାଯାଇଥିଲା। ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଅଭିଯୋଗରେ ୩୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
Comments are closed.