ଭୁବନେଶ୍ୱର: ଏଣିକି ସାବାଡ ହେବେ ନିଶାଡି ଏବଂ ନିଶା କାରବାର କରୁଥିବା ଲୋକ। ନିଶା ନିବାରଣ, ଚାଲାଣ ଏବଂ ଅବୈଧ ବିକ୍ରୟର ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ସହରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଯାହା ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଛି।
ନିଶା କାରବାର ମୂଳପୋଛ ପାଇଁ ଅପରେସନ ‘ପ୍ରହାର’ର ପ୍ରଥମ ଦିନରେ ସାରା ରାଜ୍ୟରେ ମୋଟ ୧୩୪ଟି ନିଶା ବେପାର ଆଡ୍ଡାରେ ଚଢ଼ଉ ହୋଇଛି। ଦିନକରେ ୧୩୪ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ୪୨ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଧରାଇ ଛାଡ଼ିଛି ପୁଲିସ। ପୁଲିସ ଦିନକରେ ୧୫ କେଜି ଗଞ୍ଜେଇ ସହ ୫୨୦୯ ବଲ୍କ ଲିଟର ଦେଶୀ ମଦ, ୯୭ ଲିଟର ବିଅର ଓ ୩୪ ହଜାର ୫୦୦ ବଲ୍କ ଲିଟର ପୋଚ ଜବତ କରିଛି।
ସେହିପରି ନିଶା ବେପାରୀଙ୍କଠାରୁ ୪୧ ଲକ୍ଷ ୮୫ ହଜାର ୨୮୯ ଟଙ୍କା ସହ ନିଶା କାରବାରରେ ବ୍ୟବହୃତ ୧୧ଟି ଗାଡି଼କୁ ଜବତ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୧୨ଟି ନିଶା ବେପାରଜନିତ ମାମଲା ରୁଜୁ ହୋଇଛି। ତା’ ତଳକୁ ସୁନ୍ଦରଗଡ଼ରେ ୧୦ଟି, କୋରାପୁଟରେ ୯ଟି ଓ ଗଞ୍ଜାମ, ନୟାଗଡ଼ରେ ୭ଟି ଲେଖାଏଁ ମାମଲାରେ ପୁଲିସ ନିଶା ବେପାରୀଙ୍କୁ ବାନ୍ଧିଛି।
ସୁନ୍ଦରଗଡ଼ରେ ସର୍ବାଧିକ ୧୦ଜଣ ନିଶା ବେପାରୀ ଜେଲ ଯାଇଛନ୍ତି। ଦେବଗଡ଼, ଜଗତସିଂହପୁର, ସୋନପୁର ଓ ମୟୂରଭଞ୍ଜ ଜିଲ୍ଲା ପୁଲିସ ପ୍ରଥମ ଦିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦିନସାରା ସନ୍ଧାନ କରି କରି ମାତ୍ର ଗୋଟିଏ ନିଶା ବେପାର ଠାବ କରିବାରେ ସକ୍ଷମ ହୋଇଛି। ସୋନପୁର ଜିଲ୍ଲାରେ ଜଣେ ଗଞ୍ଜେଇ ବେପାରୀଠାରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି।
Comments are closed.