Latest Odisha News

BREAKING NEWS

Odisha Police: ‘ଅପରେସନ ଧରପଗଡ’; ୩୬ ବନ୍ଧୁକ ସହ ୭୧ ଗୁଳି ଜବତ, ଗିରଫ ହେଲେଣି…

ଭୁବନେଶ୍ବର: ରାଜ୍ୟରେ ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଲଗାତାର କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଏହା ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ଧରି ଓଡ଼ିଶା ପୋଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ବହୁ ଜିଲ୍ଲା ପୋଲିସ ସାମିଲ ହୋଇ ବେଆଇନ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଏହା ବ୍ୟତୀତ ନିଶାସକ୍ତ ଗାଡି ଚାଳକଙ୍କ ବିରୋଧରେ ମଧ୍ୟ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଥିଲା ।

ଏହି ଅଭିଯାନରେ ଏଯାଏଁ ସାରା ରାଜ୍ୟରେ ଚୋରା ବନ୍ଧୁକ ଚାଲାଣକାରୀଙ୍କ ବିରୋଧରେ ୨୭ ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୬ଟି ବନ୍ଧୁକ, ୭୧ ଗୁଳି, ୬୨ ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୨୭ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।

ସେହିପରି ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରିବା ଅଭିଯୋଗରେ ପୋଲିସ ୫୧୯ଟି ମାମଲା ରୁଜୁ କରିବା ସହ ୨୧୧ ଟି ଯାନ ଜବତ କରିଛି ।

ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା, ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପି “ଅପରେସନ୍ ଧରପଗଡ” ଅଭିଯାନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.