Latest Odisha News

BREAKING NEWS

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ବିରୋଧ, ଲିଭିଯାଉଛି ବାରକୋଡ ଓ ଚିପ୍ !

ଭୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ଲଗାଇବାକୁ କହିଛନ୍ତି । ଗାଡିର ନମ୍ବର ଅନୁଯାୟୀ ଡେଡଲାଇନ୍ ମଧ୍ୟ ଦେଇ ସାରିଛନ୍ତି । ଏଥିପାଇଁ କିଛି ଡିଲର ପଏଣ୍ଟ ସରକାର ସ୍ଥିର କରିବେ ସେଠାରୁ ଯାଇ ହାଇ ସିକ୍ୟୁରିଟି ଗାଡି ନମ୍ବର ପ୍ଲେଟ ତିଆରି କରିହେବ । ଅବଧି ମଧ୍ୟରେ ନକଲେ ପୂର୍ବପରି ମୋଟା ଅଙ୍କର ଜୋରିମାନା ଦେବାକୁ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ମୋଟର ଭେଇକିଲ୍ ନିୟମ ଅନୁଯାୟୀ ଓଡିଶାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡିସେମ୍ବର ସୁଦ୍ଧା ଲଗାଇବାକୁ ବାଧ୍ୟତା ମୂଳକ କରାଯାଇଛି । ଏହା ପୂର୍ବରୁ ଉତ୍ତର ପ୍ରଦେଶରେ ଏହି ଲାଗୁ ହୋଇଥିବା ସୂଚନା ରହିଛିା

ହାଇ ସିକ୍ୟୁରିଟି ନମ୍ବର ଲଗାଇଲେ ଏହା ଲିଭିବ ନାହିଁ । ଭାଙ୍ଗିବା କଷ୍ଟକର । ତେଣୁ ଚୋରି ଆଦି ହେବା କଷ୍ଟକର ହୋଇଯିବ ବୋଲି ଯୁକ୍ତି ବାଢିଛନ୍ତି ପରିବହନ କମିଶନର । ଏପରି କରି ସରକାର ଜୀବିକା ଛଡାଇ ନେଉଛନ୍ତି ବୋଲି କହିଛନ୍ତି ଓଡିଶା ନମ୍ବର ପ୍ଲେଟ୍ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ ।

ସଂଘର ସଭାପତି ରଣଜିତ ସିଂ କହିଛନ୍ତି, ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ଲଗାଇବା ବାଧ୍ୟତାମୂଳକ ବୋଲି ସରକାର ନିୟମ କରିଛନ୍ତିା ଏହାଦ୍ୱାରା ଆମ ମାନଙ୍କ ଭଳି ବ୍ୟକ୍ତିଙ୍କ ବ୍ୟବସାୟରେ ତାଲା ପଡିବ । ଆଉ ସାରା ରାଜ୍ୟରେ ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କ ଗୁଜୁରାଣ ଚାପରେ ପଡିବାକୁ ଯାଉଛି । ତେଣୁ ସରକାର ଏହାର କିଛି ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛି ସଂଘ । ନହେଲେ ପେଟପାଟଣା ପାଇଁ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛିା

ସଂଘ କହିଛି ସରକାର ଏପରି କରି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଲାଭ ଦେବାକୁ ପ୍ରୟାସ କରୁଛନ୍ତି । କାରଣ ଯାହାକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କୁହାଯାଉଛି ତାର କୌଣସି ସ୍ୱଚ୍ଛତା ନାହିଁ । ନମ୍ବର ପ୍ଲେଟର ବାରକୋଡ ଓ ଚିପକୁ ଲିଭେଇଲେ ଲିଭିଯାଉଛି । ଏପରି କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନାଁରେ କିଛି ଲୋକଙ୍କୁ ଲାଭବାନ ହେବାକୁ ସୁଯୋଗ ତିଆରି କରାଯାଇଛି । ନମ୍ବର ପ୍ଲେଟକୁ ନିର୍ଦ୍ଧିଷ୍ଟ ଠିକାଦାର ନକରି ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କ ଦ୍ୱାରା କରିବାକୁ ଦାବି କରିଛି ସଂଘ ।

ଅନ୍ୟପଟେ ଯୁଗ୍ମ ସଚିବ ଦିପ୍ତୀରଂଜନ ପାତ୍ର ଯୁକ୍ତି ବାଢିଛନ୍ତି, ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପୁରୁଣା ନମ୍ବର ପ୍ଲେଟ ଫର୍ମାଟ୍ ଠାରୁ ଅଧିକ ଉନ୍ନତ । ଏହା ସହଜରେ ଟାମ୍ପରିଂ ହୋଇପାରିବ ନାହିଁ । ରାଜରାସ୍ତାରେ ଏବଂ ରାସ୍ତା କଡରେ ଲାଗିଥିବା ସିସିଟିଭି କ୍ୟାମେରା ଏହି ନମ୍ବର ପ୍ଲେଟକୁ ସହଜରେ ପଢି ହେବ । ଏହି ନମ୍ବର ପ୍ଲେଟ ଲାଗିଲେ ଚୋରି ଆଦି ମାମଲା କମିପାରିବ ଏଥିସହ ଅପରାଧ ଘଟାଇ ଚାଲିଯାଉଥିବା ଶୀଘ୍ର ଧରାପଡି ପାରିବ ।

Comments are closed.