ଭୁବନେଶ୍ୱର: ମାଳ ମାଳ ନେତା ସରକାରୀ ଅଫିସର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବୁଡି ରହିଛନ୍ତି। ଆଉ ଇଡିର ତଦନ୍ତ ଦେଖି ଏବେ ଅନେକ ବଡ ବଡିଆ ଛାନିଆ ହୋଇଛନ୍ତି। ଏହାରି ଭିତରେ ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଛି।
ଆର୍ଥିକ ବଜେଟ ଅପରାହ୍ନ ୫ଟା ସମୟରେ ଉପସ୍ଥାପନ ହୋଇଥିବା ବେଳେ ବିରୋଧୀ କଂଗ୍ରେସ ଏବଂ ବିଜେପି ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ହୋ ହାଲ୍ଲା କରିଥିଲେ।
ବିଧାୟକ ଦଳର ନେତା ନରସିଂହ ମିଶ୍ର ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଏହି ମାମଲାରେ ଇଡି ତଦନ୍ତ ଠିକ୍ ଭାବେ ଚାଲିଛି। ଯେଉଁମାନଙ୍କୁ ପୁଲିସ ଛାଡିଥିଲା ସେହିମାନଙ୍କୁ ଇଡି ନୋଟିସ୍ କରିଛି। ଆଉ ଏମାନଙ୍କୁ ଡାକି ଜେରା କରୁଛି। ଏହି ମାମଲାରେ ଏସଆଇଟି ମଧ୍ୟ ରିପୋର୍ଟ ମାଗିଛି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖିବା ଦରକାର। ହେଲେ ମୁଖ୍ୟମନ୍ତ୍ରୀ ନିରବ ରହି ଦଳୀୟ ନେତାଙ୍କୁ ଘଣ୍ଟ ଘୋଡାଉଛନ୍ତି।
ସେହିପରି ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସମାନ କଥା କହି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ତେବେ ରୋଚକ ଥିଲା ବିଜେଡିର ଜବାବ। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଜନସାଧାରଣମାନେ ଆମକୁ ପବିତ୍ର ବିଧାନସଭାକୁ ନିର୍ବାଚିତ କରି ପଠାଇଛନ୍ତି । ସେମାନଙ୍କର ଅନେକ ଗୁରୁତ୍ୱପୁର୍ଣ ପ୍ରସଙ୍ଗ ରହିଛି। ସେମାନେ ଅର୍ଚ୍ଚନା ନାଗ ଭଳି ଅଯଥା ପ୍ରସଙ୍ଗ ଆଲୋଚନା କରିବାକୁ ବିଧାୟକଙ୍କୁ ପଠାଇ ନାହାନ୍ତି। ବିରୋଧୀ ଏପରି କରି ବିଧାନସଭା ସମୟ ବରବାଦ କରୁଛନ୍ତି। ଏହି ମାମଲାରେ ବିଜେପି ନେତାଙ୍କର ସମ୍ପୃକ୍ତି ରହିଛି। ଇଡି ତଦନ୍ତ କରୁଛି ଠିକ୍ ସମୟରେ ସତ କଥା ସାମ୍ନାକୁ ଆସିବ। ଯିଏ ଦୋଷୀ ସିଏ ଦଣ୍ଡ ପାଇବ। ବିଜେପି ନେତାଙ୍କର ଅଧିକ ସମ୍ପୃକ୍ତି ବାହାରିବ।
Comments are closed.