Latest Odisha News

ତଦନ୍ତକାରୀ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜୟ ନାରାୟଣ; କହିଲେ, ଅପରାଧୀ କରୁଛି ଅପରାଧର ତଦନ୍ତ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି । ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।  ହେଲେ କ୍ରାଇମବ୍ରାଞ୍ଚ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି, ସେମାନେ ଏବେ କ୍ରାଇମବ୍ରାଞ୍ଚ ଟିମରେ ରହି ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରୁଛନ୍ତି । ଠିକ ଚାେର ହାତରେ ଚାବିକାଠି ପରି  । ଏହି ତଦନ୍ତକାରୀ ଅଫିସରଙ୍କ ବିରୋଧରେ କି କି ଅଭିଯୋଗ ରହିଛି ତାହାର ତଥ୍ୟ ବି ଗଣମାଧ୍ୟମକୁ  ଦେଇଛନ୍ତି ଜୟନାରାୟଣ ।

ଜୟନାରାୟଣଙ୍କ କହିବା ଅନୁଯାୟୀ ତଦନ୍ତକାରୀ ଦଳର ଜଣେ ଅଧିକାରୀ ହେଉଛନ୍ତି ଡିଏସପି ରମେଶ ଦୋରା। ଦୋରାଙ୍କ ବିରୋଧରେ ଆଗରୁ ମିଛ ଜାତି ପ୍ରମାଣ ପତ୍ର ମାମଲା ରହିଛି । ଯାହାଫଳରେ ସେ ଆଇନ ଆଗରେ ଜଣେ ଅପରାଧି । ଯଦି ଜଣେ ଅପରାଧି ହତ୍ୟାକାଣ୍ଡର ତଦନ୍ତ କରିବ ତାହାଲେ ଫଳାଫଳ ଯାହା ହେବ ତାହା ମା’ ସମଲେଇଙ୍କୁ ଜଣା ବୋଲି କଟାକ୍ଷ କରିଛନ୍ତି ଜୟ ନାରାୟଣ ।

ଦ୍ୱିତୀୟ ଅଧିକାରୀ ଜଣକ ହେଲେ ଜୀବାନାନନ୍ଦ ଜେନା। ସେ ପୁରୀ ଏବଂ ଜଗତସିଂହପୁରରେ ଥାନାରେ ଅଧିକାରୀ ଥିଲେ । ସେତେବେଳେ ଦୁଇଟି ହାଜତ ମୃତ୍ୟୁ ଘଟଣା ଘଟିଥିବା ବେଳେ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ହେଲେ ସେ ମଧ୍ୟ ଏହି ଘଟଣାର ତଦନ୍ତକାରୀ ଅଫିସର। ମୋଟାମୋଟି ଭାବେ ତଦନ୍ତର ଫଳାଫଳ ସରକାର ହାତରେ ।

ତୃତୀୟ ଅଧିକାରୀ ଜଣକ ହେଉଛନ୍ତି ରେଙ୍ଗାଲିର ପୂର୍ବତନ ଥାନା ଅଧିକାରୀ ଧବଳେଶ୍ଵର ସାହୁ । ଛତିଶଗଡ଼ର ଜଣେ ବେପାରୀଙ୍କ ଠାରୁ ଟଙ୍କା ଲୁଟ କରିବା ଅଭିଯୋଗ ରହିଛି ଧବଳେଶ୍ଵରଙ୍କ ନାଁରେ । ବିରୋଧୀ ଦଳ ନେତାଙ୍କ କହିବା ଅନୁଯାୟୀ, ଛତିଶଗଡ ଡିଜିପି ଓଡ଼ିଶା ଡିଜିପିଙ୍କୁ ଫାେନ କରି ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।

ତେଣୁ ଏପରି ଏକ ତଦନ୍ତକାରୀ ଟିମକୁ ନେଇ  ଜୟନାରାୟଣ ଚିନ୍ତା ପ୍ରକଟ କରିଛନ୍ତି । ଏହାଦ୍ୱାରା ତଦନ୍ତ ଦିଗହରା ହେବାର ଆଶଙ୍କା  କରିଛନ୍ତି ଜୟ ନାରାୟଣ । ଯେଉଁମାନେ ଅଭିଯୁକ୍ତ, ଯେଉଁମାନଙ୍କ ନାମରେ ସାଂଘାତିକ ଅଭିଯୋଗ ରହିଛି  ସେମାନଙ୍କ ହାତରେ ତଦନ୍ତ ଦାୟିତ୍ୱ ଦେଇ ସରକାର ନିଜ ଇଚ୍ଛା ଅନୁସାରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖିଛନ୍ତି ।

 

Comments are closed.