ଭୁବନେଶ୍ୱର: ଏପ୍ରିଲ ୧୨ ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା କରି ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏପ୍ରିଲ ୧୧ ତାରିଖରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଗୁଇନ୍ଦା ଏସପି ଏପରି ଉଲ୍ଲେଖ କରିଥିଲେ। ହେଲେ ଏସପି ଏ ବାବଦରେ କୌଣସି ପଦକ୍ଷେପ ନନେବା ରାଜ୍ୟ ସରକାରଙ୍କ ଓ ସଂପୃକ୍ତ ଅଫିସରଙ୍କ କାର୍ଯ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନ ଛିଡା କରିଛି। ଆଉ ଏବେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଶାସକ ଦଳର ବିଧାୟକ ପୋଲିସ ବିଭାଗ ଓ ଗୁଇନ୍ଦା ଏହାର ଉତ୍ତର ଦେବେ ବୋଲି କହି ପ୍ରସଙ୍ଗକୁ ଚାପିବାକୁ ଉଦ୍ୟମ କରିଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସରକାର ବ୍ୟବସ୍ଥା କରିଥିଲେ ଅଭାବନୀୟ ପରିସ୍ଥିତି ହୋଇ ନ ଥାନ୍ତା। ସମ୍ବଲପୁରରେ ଯଦି ହନୁମାନ ଜୟନ୍ତୀ ହେବନି ତାହେଲେ ଆଉ କେଉଁଠି ହେବ। ସରକାରଙ୍କ ଦାୟିତ୍ବ ହେଉଛି ସୁରକ୍ଷା ଦେବା। ୧୧ ତାରିଖରେ ରିପୋର୍ଟ ଆସିଥିଲା ସଜାଗ ରହିବା ପାଇଁ। ୫ ତାରିଖରେ ମଧ୍ୟ ଗୃହ ମନ୍ତ୍ରାଳୟ ସୁରକ୍ଷା ପାଇଁ କହିଥିଲେ। ଯଦି ଏସ୍ପି କହୁଛନ୍ତି ଯୋଜନାବଦ୍ଧ ଥିଲା, ଫେଲ୍ ହେଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଦିନ ଦ୍ବିପ୍ରହରରେ ମନ୍ତ୍ରୀଙ୍କ ହତ୍ୟା ହେଉଛି, ମହିଳା ସୁରକ୍ଷିତ ନାହାନ୍ତି। ରାଜ୍ୟ ସରକାର ଅପରାଧ ରୋକିବା ଓ ଅପରାଧୀଙ୍କୁ ଦଣ୍ଡିତ କରିବାରେ ଫେଲ୍। ରାଜ୍ୟର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବା ଲୋକ ଜାଣିଲେଣି। ଏ ସରକାରରେ ଲୋକ ଡରିକି ରହୁଛନ୍ତି। ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ମନବୃତ୍ତିକୁ ଜାଣି ଗଲେଣି। ଲୋକମାନେ ଏ କଥାକୁ ଉପଲବ୍ଧି କରିସାରିଲେଣି।
ଅପରାଜିତା ଏନସିଆରବି ରିପୋର୍ଟକୁ ଉଲ୍ଲେଖ କରି କହିଛନ୍ତି, ଓଡିଶାରେ ମହିଳା ମାନେ ସୁରକ୍ଷିତ ନାହାନ୍ତି। ମହିଳା ନିର୍ଯାତନା କେସରେ ଦେଶରେ ଏକ କିମ୍ବା ଦୁଇ ନମ୍ବରରେ ରହିଛି ଆମ ରାଜ୍ୟ। ସାଇବର କ୍ରାଇମ ବହୁତ ସଂଖ୍ୟାରେ ଅଛି। ଏ ସବୁ କଥା ଆମକୁ ଉପଲବ୍ଧି କରିବାକୁ ପଡ଼ିବ। ଏହାସହ ଆମ ରାଜ୍ୟରେ ଦଣ୍ଡ ବିଧାନ ହାର ଦେଶରେ ସବୁଠୁ କମ୍ ଭିତରେ ଅନ୍ୟତମ। ଯେଉଁ ମାନେ ଅପରାଧ କଲେ ତାଙ୍କୁ କାହିଁକି ଧରାଯାଉନାହିଁ ବୋଲି ସେ କହିଛନ୍ତି।
କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମହାପାତ୍ର କହିଛନ୍ତି, ସମ୍ବଲପୁରରେ ହିଂସାକାଣ୍ଡର ଦିନକ ପୂର୍ବରୁ ରାଜ୍ୟ ସରକାରଙ୍କ ଗୁଇନ୍ଦା ଡିଜିଙ୍କୁ ସମ୍ଭାବ୍ୟ ଦଙ୍ଗା ବାବଦରେ ସୂଚନା ଦେଇଥିଲା। ସେପଟେ କେନ୍ଦ୍ର ସରକାରର ଗୃହ ବିଭାଗ ମଧ୍ୟ ଆଡ଼ଭାଇଜାରି ଜାରି କରିଥିଲା । ଏବେ ହିଂସା ହେବାପରେ ଉଭୟ କାଦୁଅ ଫୋପାଡ଼ିବାରେ ବ୍ୟସ୍ତ। କେନ୍ଦ୍ର କେବଳ ଆଡ଼ଭାଇଜାରି ଜାରି କରି ବସିଯାଉଛି। ଏଠାରେ କେନ୍ଦ୍ର ଯେଉଁ ପଦକ୍ଷେପ ନେବା କଥା ନେଇ ନାହାନ୍ତି।
ସେହିପରି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ପୋଲିସ କାହିଁକି ପଦକ୍ଷେପ ନେଇ ନଥିଲା ତାହା ପୋଲିସ ବିଭାଗ ଓ ଗୁଇନ୍ଦା ବିଭାଗ ହିଁ କହି ପାରିବ। ଆଉ ଏଠାରେ ସଦଭାବନା ରହିଛି ବୋଲି ପୁଞ୍ଜି ନିବେଶ ଆସୁଛି କହି ପ୍ରସଙ୍ଗକୁ ବୁଲେଇବାକୁ ଚେଷ୍ଟା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ସମୟରେ କୌଣସି ମୁସଲମାନ ବିରୋଧୀ କିମ୍ବା ହିନ୍ଦୁ ବିରୋଧୀ ନାରା ଦେଲେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ସତର୍କ କରାଯାଇଥିଲା। ଏବଂ ପର୍ବ ପାଳନ ସମୟରେ ଆଇନ ଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠିରେ ଅନୁରୋଧ କରାଯାଇଥିଲା। ହେଲେ ଏସପି କାହଁକି ଚୁପ୍ ରହିଥିଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ଘଟଣାରେ ଜଣଙ୍କର ଜୀବନ ଯାଇଛି। ଏହାବାଦ ଶାନ୍ତି ଫେରାଇବାକୁ ଯାଇ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବା ସହିତ କର୍ଫ୍ୟୁ ଜାରି ହୋଇଥିଲା। ଦୀର୍ଘ ଦିନ ପରେ ଆଜି ସମ୍ବଲପୁରର ସହରର ସମସ୍ତ ଅଞ୍ଚଳରେ ମୋବାଇଲ ଇଣ୍ଟରେନେଟେ ସେବା ସ୍ବାଭାବିକ ହୋଇଛି।
Comments are closed.