ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରୋଚକ ହେବ ଲଢେଇ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ଇଣ୍ଡିଆ ମେଣ୍ଟ। ଇଣ୍ଡିଆ ମେଣ୍ଟର ସବୁ ଦଳଙ୍କ ସହମତିରେ ସୁଦର୍ଶନଙ୍କ ନାଁରେ ମୋହର ବାଜିଛି। ଏପରିକି ଆମ ଆଦମୀ ପାର୍ଟି ମଧ୍ୟ ତାଙ୍କ ନାଁରେ ସହମତ ଥିବା ଟିଏମସି ସାଂସଦ ଡେରେକ ଓବ୍ରାଏନ କହିଛନ୍ତି। ବି ସୁଦର୍ଶନ ରେଡ୍ଡୀଙ୍କ ସହ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କର ମୁକାବିଲା ହେବ। ଉଭୟ ଆସନ୍ତା 21ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ।
ବି ସୁଦର୍ଶନ ରେଡ୍ଡୀ କିଏ?
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ଗୋଆର ପ୍ରଥମ ଲୋକାୟୁକ୍ତ ରହିଥିଲେ। ସେ ତାଙ୍କ କାର୍ଯ୍ୟକାଳରେ ନ୍ୟାୟ, ନିରପେକ୍ଷତା ଓ ସାମ୍ବିଧାନିକ ମୂଲ୍ୟବୋଧକୁ ସବୁଠାରୁ ଉପରେ ରଖିଥିଲେ। 1946 ମସିହା ଜୁଲାଇ 8ତାରିଖରେ ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ରଙ୍ଗାରେଡ୍ଡୀ ଜିଲ୍ଲାର ଅକୁଲା ମାୟଲାରାମ ଗାଁରେ ଜନ୍ମ ନେଇଥିଲେ। ହାଇଦ୍ରାବାଦର ଓସମାନିଆ ବିଶ୍ବବିଦ୍ୟାଳୟରୁ ସେ 1971 ମସିହାରେ ଲ ପଢିଥିଲେ। ଭାରତ ନ୍ୟାୟପାଳିକାର ଅନ୍ୟତମ ପ୍ରମୁଖ ଚେହେରା ବି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ବିରୋଧୀ ଇଣ୍ଡିଆ ମେଣ୍ଟ।
କାହିଁକି ସୁଦର୍ଶନଙ୍କ ନାଁରେ ମୋହର?
ଦକ୍ଷିଣ ଭାରତୀୟ ଦଳଙ୍କ ଉପରେ ନଜର ରଖି ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଥିଲା ଏନଡିଏ। ଏବେ ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଘୋଷଣା କରି ଦକ୍ଷିଣ ସମୀକରଣ କଷିଛନ୍ତି ବିରୋଧୀ। ଏନଡିଏ ସଂଘ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ପ୍ରାର୍ଥୀ କରିଥିବା ବେଳେ ଇଣ୍ଡିଆ ମେଣ୍ଟ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ସାମନାରେ ଠିଆ କରାଇଛି। ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିବା ବେଳେ ସବୁ ବିରୋଧୀ ଦଳଙ୍କ ମତ ନିଆଯାଇଛି। ଡିଏମକେ ଦକ୍ଷିଣ ଭାରତୀୟ ପ୍ରାର୍ଥୀ ଚାହୁଁଥିବା ବେଳେ ଅଣରାଜନୈତିକ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା ଟିଏମସି। ସୁଦର୍ଶନଙ୍କୁ ପ୍ରାର୍ଥୀ କରିବା ବେଳେ ଏସବୁ ଦିଗ ଉପରେ ଧ୍ୟାନ ଦିଆଯାଇଛି।
ତେଲୁଗୁ ଅସ୍ମିତା କାର୍ଡ
ଇଣ୍ଡିଆ ମେଣ୍ଟ ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରି ତେଲୁଗୁ ଅସ୍ମିତା କାର୍ଡ ଖେଳିଛି। ଏନଡିଏର ସହଯୋଗୀ ଦଳଙ୍କ ପାଇଁ ସୁଦର୍ଶନଙ୍କୁ ସମର୍ଥନ ନକରିବା ସହଜ ହେବନି। ଆନ୍ଧ୍ରପ୍ରଦେଶର ନିବାସୀ ସୁଦର୍ଶନଙ୍କୁ ରାଜ୍ୟର ଶାସକ ତେଲୁଗୁ ଦେଶମ ପାର୍ଟି ବିରୋଧ କଲେ ପ୍ରଶ୍ନ ଘେରକୁ ଆସିବେ। ସେହିପରି ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ଓ୍ବାଇଏସଆରସିପିର ମଧ୍ୟ ଦ୍ବନ୍ଦ୍ବ ବଢିବ। ତେଲେଙ୍ଗାନା ସୋସିଆଲ ଇଞ୍ଜିନିୟରିଂରେ ବି ସୁଦର୍ଶନ ରେଡ୍ଡୀଙ୍କ ବଡ଼ ଭୂମିକା ଥିଲା। ତେଣୁ ବିଆରଏସ ମଧ୍ୟ ନିଜ ସମର୍ଥନ ରଣନୀତି ନେଇ ଦ୍ବିତୀୟ ଥର ଚିନ୍ତା କରିପାରେ।
ସିପି ରାଧାକୃଷ୍ଣନଙ୍କ ପ୍ରାର୍ଥୀ କରି ଦ୍ରାବିଡ଼ ଦଳଙ୍କୁ ଧର୍ମସଂକଟରେ ପକାଇଥିଲା ଏନଡିଏ। କାରଣ ଦକ୍ଷିଣ ଭାରତୀୟ ଦଳ ହୋଇ ତାଙ୍କୁ ବିରୋଧ କଲେ ଭିନ୍ନ ସନ୍ଦେଶ ଯାଇଥାନ୍ତା। ହେଲେ ବି. ସୁଦର୍ଶନ ରେଡ୍ଡୀଙ୍କ ନାଁ ନେଇ ଏନଡିଏକୁ ଚେକ୍ ଦେଇଛନ୍ତି ବିରୋଧୀ।
Comments are closed.