Latest Odisha News

ଓପିଏସସିରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା: ରାଜ୍ୟପାଳଙ୍କ ପାଖରେ ଆପତ୍ତି ପରେ ଲାଗିଲା ରୋକ୍

ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦ ଉପରେ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଲାଗୁ କରିଛନ୍ତି। ଏହାପରେ ବି ରାଜ୍ୟ ସରକାର ଏହି ଆଇନ ଅନୁଯାୟୀ ଅଧ୍ୟାପକ ଓ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିଲେ। ଯାହାକୁ ଆପତ୍ତି ଉଠାଇ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ । ନିଯୁକ୍ତି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ଏକ ସ୍ମାରକ ପତ୍ର ରାଜ୍ୟପାଳ ଗଣେଶୀ ଲାଲୁଙ୍କୁ ଦେଇଥିଲେ । ଏହାପରେ ରାଜ୍ୟ ସରକାର ଚେତିବା ସହିତ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି। ଆଗାମୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ୟ୍ୟନ୍ତ ଏହି ପ୍ରକ୍ରିୟା ଉପରେ ରୋକ୍ ଲଗାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଓପିଏସସି ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ଫିଜିକ୍ସ ପଦବୀ ପାଇଁ ସାକ୍ଷାତକାର ହେବାକୁ ଥିବା କାର୍ୟ୍ୟସୂଚୀକୁ ଏବେ ସାମୟିକ ଭାବେ ବାତିଲ କରି ଦିଆଯାଇଛି। ପୂର୍ବରୁ ଏହି ସାକ୍ଷାତକାର ଆସନ୍ତା ମାସ ୦୪ ତାରିଖରେ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିପରି ଆସିଷ୍ଟାଣ୍ଟ ପ୍ରଫେସର କମର୍ସ ପଦବୀ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ ଜୁନ ୦୬ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ କିନ୍ତୁ ଏହା ବାତିଲ ହୋଇଛି।  ସେହିପରି ଇଂରାଜୀର ଆସିଷ୍ଟାଣ୍ଟ ପ୍ରଫେସର ପରୀକ୍ଷା ଫଳକୁ ସ୍ଥଗିତ ରଖାଯାଇଛି।

ୟୁଜିସିର ନିୟମ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ କର୍ମଚାରୀମାନେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ସିଲେକ୍ଟିଭ୍ ପ୍ୟାନେଲ ଦ୍ୱାରା ନିଯୁକ୍ତି ପାଆନ୍ତି। କିନ୍ତୁ ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଓପିଏସସି ଏଭଳି ନିଯୁକ୍ତି କରିବାର କ୍ଷମତା ହାସଲ କରିଛି। ଯାହାକି ୟୁଜିସିର ନିୟମାବଳୀର ବିରୁଦ୍ଧାଚରଣ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ।

ୟୁଜିସି ସୁପ୍ରିମକୋର୍ଟରେ କହିଥିଲା, ଓଡ଼ିଶା ସରକାରଙ୍କ ସଂଶୋଧିତ ନିୟମ ୟୁଜିସର ୨୦୧୮ ନିୟମର ଉଲ୍ଲଂଘନ। ବିଶେଷ କରି ଅଧ୍ୟାପକ ଏବଂ କୁଳପତି ଚୟନରେ ଉଲ୍ଲଙ୍ଘନ ଦର୍ଶାଇ ୟୁଜିସି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଆବେଦନ ଦାଖଲ କରିଥିଲା। ଗତ ମେ’ ୨୦ ତାରିଖରେ ସୁପ୍ରିମକୋର୍ଟ ଏହି ରାୟ ଉପରେ ୩ ମାସ ପାଇଁ ରହିତା ଦେଶ ଜାରି କରିଥିଲେ। କିନ୍ତୁ ଓପିଏସସି ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୁପ୍ରିମକୋର୍ଟଙ୍କ  ନିୟମକୁ ଉଲ୍ଲଂଘନ କରି ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖିଥିଲେ। ଯାହାକୁ ଆପତ୍ତି ଉଠାଇ ଆଜି ରାଜ୍ୟପାଳଙ୍କୁ ଭେଟିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ ।

Comments are closed.