Latest Odisha News

BREAKING NEWS

ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ପୁରୀ: ଡିସେମ୍ବର ୧୫ ସୁଦ୍ଧା ପୁରୀ ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଇଏଏସ ଚାକିରିରୁ ଭିଆରଏସ ନେବା ପରେ ଆଜି ପ୍ରଥମ ଥର ପାଇଁ ଭୋର ସମୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଏହାପରେ ପୁରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରି ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ଛୋଟ ଦୋକାନ ଗୁଡିକୁ ସ୍ଥାନାନ୍ତର ,ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଛନ୍ତି।

ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମ ର ଅଗ୍ରଗତି ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ , ଏସପି ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

୨୦୨୧ ନଭେମ୍ବର ମାସରେ ଏହି ୮୦୦ କୋଟି ଟଙ୍କାର ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ମେଘନନ୍ଦା ପାଚେରି (ଶ୍ରୀଜଗନ୍ନାଥ ମନ୍ଦିରର ବାହାର କାନ୍ଥ) ଚାରିପାଖରେ ୭୫ ମିଟରର ଏକ ବାଧାମୁକ୍ତ କରିଡର ନିର୍ମାଣ କରିବ। ଶହ ଶହ ବର୍ଷ ମଧ୍ୟରେ ଏହା ହେଉଛି ମନ୍ଦିର ଚତୁଃପାର୍ଶ୍ୱର ସବୁଠାରୁ ବଡ଼ ପୁନଃବିକାଶ ପ୍ରକଳ୍ପ।

ଏହା ସମ୍ପୂର୍ଣ୍ଣ ହେବା ପରେ ଭକ୍ତମାନେ ଦୂରରୁ ମନ୍ଦିରକୁ  ଦେଖି ପାରିବେ। ଏହି କରିଡର ଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେବ ବୋଲି ରାଜ୍ୟ ସରକାର କହିଛନ୍ତି।

ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ରହିଛି। ଏହାପୂର୍ବରୁ ରାଜ୍ୟ ସରକାର ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତି କାମ କରି ଚାଲିଛନ୍ତି। ଏପରି କରି ବିରୋଧୀ ବିଜେପିର ହିନ୍ଦୁତ୍ବର ଭୋଟ୍ ବ୍ୟାଙ୍କ ଉପରେ ଶାସକ ଦଳ ବିଜୁ ଜନତ ଦଳ ନଜର ରଖିଛି ବୋଲି କୁହାଯାଉଛି। ଆଉ ଯେଉଁ ସବୁ ମନ୍ଦିର କାମ ଉନ୍ନତି ହେଉଛି ସେଥିମଧ୍ୟରୁ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଅନ୍ୟତମ। ଏହି ପ୍ରକଳ୍ପ କାମ ଆରମ୍ଭରୁ ବିଭିନ୍ନ ବିବାଦ ଦେଖାଦେଇଥିଲା। ଯାହାକୁ ନେଇ ମାମଲା କୋର୍ଟ ଯାଏ ଯାଇଥିଲା।

Comments are closed.