ଭୁବନେଶ୍ୱର : ଆରମ୍ଭ ହୋଇଛି ଓରେରା 2.0 ୱେବସାଇଟ୍ । ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ORERA) ଦ୍ୱାରା ଆଜି ଏକ ନୂତନ ୱେବସାଇଟ୍ (https://rera.odisha.gov.in) ଓରେରା ସଂସ୍କରଣ 2.0 ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଆୟୋଜିତ ସମାରୋହରେ ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଏହି ନୂତନ ୱେବସାଇଟକୁ ଉଦଘାଟନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଆଇଟି କମ୍ପାନୀ ସିଏସଏମ ଟେକ୍ନୋଲୋଜିଜ୍ ଦ୍ୱାରା ଏହି ଆପ୍ଲିକେସନ୍ ବିକଶିତ କରାଯାଇଛି।
ବ୍ୟବସ୍ଥାରେ ସ୍ୱଚ୍ଛତା, ଦକ୍ଷତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବାରେ ରେରା ପାଇଁ ଏହା ଏକ ଐତିହାସିକ ଦିନ ବୋଲି ଶ୍ରୀ ଦାସ କହିଥିଲେ। ଏହା ବ୍ୟବହାରକାରୀ ଅନୁକୂଳ ଏବଂ ସମସ୍ତ ଅଂଶୀଦାରମାନଙ୍କ ପାଇଁ ସହାୟକ ହେବ ବୋଲି ସେ ଆଶା କରିଛନ୍ତି। ଏହି ଅବସରରେ ଓରେରା ସଚିବ ଶ୍ରବଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୀପକ କୁମାର ବେଶରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଆପ୍ଲିକେସନରେ ଉଚ୍ଚମାନର ପ୍ରଯୁକ୍ତିବିଦ୍ୟା ସହିତ ଡ୍ୟାସବୋର୍ଡ଼, ଚାଟବଟ୍ ଇତ୍ୟାଦି ନୂତନ ଫିଚର ରହିଛି। ଏହାଦ୍ୱାରା ପ୍ରମୋଟର, ଘର କ୍ରେତା, ରିଅଲ ଇଷ୍ଟେଟ୍ ଏଜେଣ୍ଟ ଏବଂ ଓକିଲମାନେ ନିରବଚ୍ଛିନ୍ନ କାରବାର କରିପାରିବା ସହ ଏହି ନୂତନ ବ୍ୟବସ୍ଥାରେ ଉପକୃତ ହେବେ। ଏହି ପୋର୍ଟାଲରେ ଓରେରାର ହେଲ୍ପଲାଇନ୍ ବ୍ୟବସ୍ଥା କରାଯାଇଛି। ବ୍ୟବହାରକାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ୦୬୭୨୪- ୨୫୭୦୭୫୭ ନମ୍ବର ବିଶିଷ୍ଟ ଏକ ହେଲ୍ପ ଡେସ୍କ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଜନସାଧାରଣଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ସମାଧାନ ପାଇଁ ସିଷ୍ଟମରେ ଏକ ଇଣ୍ଟରାକ୍ଟିଭ୍ ଚାଟବଟ୍ ମଧ୍ୟ ଅଛି।
ଏହି ଅବସରରେ ଓରେରା (ସଦସ୍ୟ) ପ୍ରଦୀପ କୁମାର ବିଶ୍ୱାଳ, ଗୋପାଳ ଚନ୍ଦ୍ର ପଟ୍ଟନାୟକ ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତ ଥିଲେ।