ଭୁବନେଶ୍ୱର: ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭ୍ଲପ୍ମେଣ୍ଟ କର୍ପୋରେସନ (ଓଆରଏଚଡିସି) ଆର୍ଥିକ ଅନିୟମିତତା ମାମଲାର ଆସିଲା ରାୟ । ରିଟାର୍ଡ ଆଇଏଏସ୍ ବିନୋଦ କୁମାରଙ୍କ ସମେତ ଅନ୍ୟ ୨ ଜଣଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ ଜେଲ ଦଣ୍ଡାଦେଶ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟ ଆଜି ଏହି ରାୟ ପ୍ରକାଶ କରିଛନ୍ତି ।
ବିନୋଦ କୁମାରଙ୍କ ସମେତ ଓଆରଏଚଡିସିର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ ଓ ଭୁବନେଶ୍ୱର ସ୍ଥିତ ଏନଜିଓ ଆୱାରର ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନାଯୋଗ୍ୟ, ୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ୨୦୨୨ ମସିହାରେ ରାଜ୍ୟ ସରକାର ପୂର୍ବରୁ ଚାକିରିରୁ ବହିଷ୍କୃତ କରିଥିଲେ । ସେ ଓଏଚଆରଡିସିର ପରିଚାଳନା ନିର୍ଦ୍ଦେଶକ ପଦବୀରେ ଥିବାବେଳେ ୨୦୦୦-୨୦୦୧ ମସିହାରେ ବେଆଇନ ଭାବେ ୩୩.୩୪ କୋଟି ଟଙ୍କା ବିଭିନ୍ନ ବିଲଡର ଓ ଠିକାଦାରଙ୍କୁ ଅନୁମୋଦନ କରିଥିବା ଅଭିଯୋଗ ହୋଇଥିଲା ।