Latest Odisha News

BREAKING NEWS

କାକଟପୁର ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବାକୁ ଦଣ୍ଡ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଜମି ଜବରଦଖଲକାରୀଙ୍କ ପକ୍ଷ ନଶୁଣି ଜୋରିମାନା ଲଗାଇବା ମହଙ୍ଗା ପଡିଛି । ଏଥିପାଇଁ ଓଡ଼ିଶା ହାଇକୋର୍ଟ କଟକ ଜିଲ୍ଲାର କାକଟପୁର ତହସିଲଦାରଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଏକ ପ୍ରକାର ଦଣ୍ଡ ବୋଲି ହାଇକୋର୍ଟ କହିଛନ୍ତି। ପକ୍ଷ ନରଖି ଶୁଣାଣି କରିଥିଲେ  ତହସିଲଦାର । ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏକ ଜମି ଜବରଦଖଲ ମାମଲାରେ ମିତା ଦାସଙ୍କୁ କାକଟପୁର ତହସିଲଦାର ଗତ ବର୍ଷ ସେପ୍ଟେମ୍ବର ୧୫ ତାରିଖରେ ନିଜ କୋର୍ଟକୁ ଡକାଇଥିଲେ। ହେଲେ ମିତା ଦାସ କୋର୍ଟରେ ହାଜର ହୋଇପାରିନଥିଲେ। ଏହାପରେ ତାଙ୍କୁ ଆଉ ଏକ ତାରିଖ ନଦେଇ କିମ୍ବା ତାଙ୍କ ପକ୍ଷ ନଶୁଣି ତହସିଲଦାର ସେହି ଦିନ ମିତା ଦାସଙ୍କୁ ଜୋରିମାନା ଦେବାକୁ କହି ଦଣ୍ଡିତ କରିଥିଲେ। ଏହାପରେ ମିତା ଦାସ ତହସିଲଦାରଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମିତା ଦାସ ।

ଶୁଣାଣି ବେଳେ ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଅନୁଭବ କରିଛନ୍ତି, ଆବେଦନକାରୀଙ୍କ ବିରୋଧରେ ଜୋରିମାନା ନିର୍ଦ୍ଦେଶ ଦେବା ପୂର୍ବରୁ ତହସିଲଦାର ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେଇନାହାନ୍ତି । ଯଦି ତହସିଲଦାର ଖାମଖିଆଲି ଭାବେ କାମ କରିନଥାନ୍ତେ ତାହେଲେ ଏହି ମାମଲା ହାଇକୋର୍ଟ ଆସିନଥାନ୍ତା । ସେହିପରି କୋର୍ଟରେ କେସ ସଂଖ୍ୟା ମଧ୍ୟ ବଢୁନଥାନ୍ତା । ତେଣୁ ଜଣେ ସାଧାରଣ ଲୋକଙ୍କ ବିରୋଧରେ କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ତହସିଲଦାର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ଦରକାର ଥିଲା। ତେଣୁ କାକଟପୁର ତହସିଲଦାର ନିଜର ଭୁଲ ପାଇଁ ଦଣ୍ଡ ସ୍ୱରୂପ କଟକ ସିଡିଏର ରାସ୍ତା କଡରେ ୫୦ଟି ଗଛ ଲଗାଇବେ। ଏଥିପାଇଁ ସେ ସିଡିଏର ପରାମର୍ଶ ନେବେ।

ଆଗାମୀ ଦିନରେ ଏପରି ନହୁଏ ସେଥିପାଇଁ ହାଇକୋର୍ଟ ସମସ୍ତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଓ ଆଇନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.