Latest Odisha News

BREAKING NEWS

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ରଦ୍ଦ କଲେ ହାଇକୋର୍ଟ, ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ରଦ୍ଦ ହୋଇଛି । ଓଡିଶା ହାଇକୋର୍ଟ ଏହି ଜାମିନକୁ ରଦ୍ଦ କରିଛନ୍ତି । ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ଶୁକ୍ରବାର ଏହାର ରାୟ ପ୍ରକାଶ କରିଛନ୍ତି । ଆସନ୍ତା ୨୩ ତାରିଖରେ ବିଧାୟକଙ୍କୁ ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଉଭୟ ଆବେଦନକାରୀ ଏବଂ ସରକାରୀ ଓକିଲ ବିଧାୟକଙ୍କ ନିୟମିତ ଜାମିନକୁ ବିରୋଧ କରିଥିଲେ। ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ ବ୍ଲକ ପରିସରକୁ ଯିବା ଯୁକ୍ତିଯୁକ୍ତ ନଥିଲା । ଏହାସହିତ ପୋଲିସ ବାରଣ କରିବା ସତ୍ୱେ ବିଧାୟକ ଜାଲ ନମ୍ବର ଥିବା ଗାଡ଼ି ଚଳାଇ ଉଦେଶ୍ୟମୂଳକ ଭାବେ ଲୋକ ଏବଂ ପୋଲିସ ଉପରକୁ ଗାଡ଼ି ଚଢ଼ାଇଥିଲେ ।

୧୯୯୨ ମସିହାରୁ ଏଯାବତ ବିଧାୟକଙ୍କ ବିରୋଧରେ ୧୨ଟି ଅପରାଧିକ ମାମଲା ରହିଛି । ତେଣୁ ସେ ଜଣେ ଅଭ୍ୟାସଗତ ଅପରାଧୀ । ସେହିପରି ଗତବର୍ଷ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ଜାମିନ ମିଳିବା ପରେ ପୁଣି ବିଧାୟକଙ୍କ ବିରୁଦ୍ଧରେ ଦୁଇ ଦୁଇଟା ଅପରାଧିକ ମାମଲା ରୁଜୁ ହୋଇଛି । ଯାହାଦ୍ୱାରା ସେ ଜାମିନ ସର୍ତ୍ତ ଉଲଂଘନ କରିଥିବାର ଦର୍ଶାଇଥିଲେ ପୀଡ଼ିତମାନଙ୍କ ଓକିଲ ।

ଏଥିସହ ପୁର୍ବରୁ ସମାନ ଧରଣର ଦୁଇ ଗୋଟି ମାମଲାରେ ଆପେକ୍ସ କୋର୍ଟ ଦେଇଥିବା ରାୟର ମଧ୍ୟ ଉଦାହରଣ ଦେଇଥିଲେ ପୀଡ଼ିତମାନଙ୍କ ଓକିଲ । ବିଧାୟକଙ୍କ ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଜେଲରେ ଦେଖାଯାଏ ତେବେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଜେଲ କର୍ତ୍ତୃପକ୍ଷ କରିପାରିବେ ବୋଲି ଉକ୍ତ ରାୟରେ ଉଲ୍ଲେଖ ରହିଛି।

ଏବେ ବିଧାୟକଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ସମସ୍ତ ଦ୍ୱାର ବନ୍ଦ ହୋଇଯାଇଥିବା ସ୍ଥଳେ ସେ ନିୟମିତ ଜାମିନ ପାଇବା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଆଇନଜୀବୀ କହିଛନ୍ତି ।

Leave A Reply

Your email address will not be published.