କଟକ: ସ୍ୱତନ୍ତ୍ର ଓଟିଇଟି (OTET) ପରୀକ୍ଷା ବାତିଲ ହେବାକୁ ନେଇ ବିଜୁ ଜନତା ଦଳ (ବିଜେଡି) ସୋମବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି। ରବିବାର ହେବାକୁ ଥିବା ଏହି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗ ପରେ ବାତିଲ କରାଯାଇଥିଲା। ହେଲେ ବିଳମ୍ବିତ ରାତିରେ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ନିଷ୍ପତ୍ତି ନେଇଥିଲା। ଯାହା ୭୫ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି ବୋଲି ବିଜେଡି କହିଛି। ଯାହାର ପ୍ରତିବାଦ କରି ବିଜେଡି କର୍ମୀ ଓ ଛାତ୍ର-ଯୁବ ସଙ୍ଗଠନ ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି।
ବିଜେଡି ବିଧାୟକ ବ୍ୟୋମକେଶ ରାୟ ଅଭିଯୋଗ କରିଛନ୍ତି ଯେ, ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ସୂଚନା ନ ଦେଇ ପରୀକ୍ଷା ବାତିଲ କରାଯାଇଛି, କାରଣ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବଦିନ ଭାଇରାଲ ହୋଇଥିଲା। ସେ କହିଛନ୍ତି, “ଓପିଏସସି, ଏସଏସସି, ଆରଆଇ ଓ ଅମିନ ପରୀକ୍ଷାରେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଛି। ବିଜେପି ନେତା ଓ ମନ୍ତ୍ରୀମାନେ ଇଚ୍ଛାକୃତ ଭାବେ ଏହା କରୁଛନ୍ତି। ଗତ ୧୨ ମାସରେ ୧୨ଟି ପରୀକ୍ଷାରେ ଲିକ୍ ଓ ତ୍ରୁଟି ଦେଖାଦେଇଛି, ଯାହା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ନେଇଛି।” ସେ ଆହୁରି ଦାବି କରିଛନ୍ତି ଯେ, ଏହି ସରକାର ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୋର୍ଡ ଅଧ୍ୟକ୍ଷ ଓ ମନ୍ତ୍ରୀ ଗଣ୍ଡଙ୍କୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବାକୁ ସେ ଦାବି କରିଛନ୍ତି।
ଅନ୍ୟ ଜଣେ ବିଜେଡି କର୍ମୀ ଅଭିଯୋଗ କରିଛନ୍ତି, “ଓଟିଇଟି ପ୍ରଶ୍ନପତ୍ର ବିକ୍ରି ହୋଇଛି। ପରୀକ୍ଷା ବାତିଲ ହେବା ଏକ ସ୍ପଷ୍ଟ ‘ଲାଞ୍ଚ ପାଇଁ ଚାକିରି’ ଘୋଟାଲାକୁ ସୂଚାଉଛି। ଏଥିପାଇଁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଦେବାକୁ ପଡ଼ିବ।” ବିକ୍ଷୋଭରେ ବିଜେଡିର ଯୁବ ଓ ଛାତ୍ର ସଙ୍ଗଠନ ନେତୃତ୍ୱ ନେଇଥିବା ବେଳେ, ବିଧାୟକ ଦେବୀ ରଂଜନ ତ୍ରିପାଠୀ ମଧ୍ୟ ଏହାରେ ସାମିଲ ହୋଇଥିଲେ।
ବିଜେଡି ଏହାକୁ ରାଜ୍ୟ ସରକାରଙ୍କ ଅପାରଗତାର ପ୍ରମାଣ ବୋଲି ଦାବି କରିଛି। ତେବେ, ବୋର୍ଡ ଅଧିକାରୀ କିମ୍ବା ମନ୍ତ୍ରୀ ଗଣ୍ଡ ଏ ପର୍ଯ୍ୟନ୍ତ ଏହି ଅଭିଯୋଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
Comments are closed.