ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ସସ୍ପେଣ୍ଡ। କ୍ରାଇମ୍ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଗଣଶିକ୍ଷା ବିଭାଗର ଆକ୍ସନ୍ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ବୋର୍ଡର ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ଓ ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଗିରଫ ହୋଇ ଜେଲ୍ ଯାଇ ସାରିଛନ୍ତି । ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟର୍ ପ୍ରତିଦିନ ଜେରାକୁ ସାମ୍ନା କରୁଛନ୍ତି । ଏବେ ଧିରେ ଧିରେ ବୋର୍ଡର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଆଡ଼କୁ ଅଙ୍ଗୁଳି ଉଠିଲାଣି । ବିଶେଷକରି ଉପସଭାପତି ନିହାରଙ୍କୁ ସବୁ ପରୀକ୍ଷାର ପ୍ରଶ୍ନପତ୍ର ସେଟିଂ ଓ ପ୍ରସ୍ତୁତି ଦାୟିତ୍ୱ ଦିଆଯିବା ଓ କ୍ଷମତାଶାଳୀ କରାଯିବା ସନ୍ଦେହଜନକ ବ୍ୟାପାର ମନେ ହେଉଥିବାରୁ ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ବିବାଦ ଘେରକୁ ଆସିଲେଣି ।
ପ୍ରଶ୍ନ ଲିକ୍ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ୍ରେ ଅଭିଯୋଗ ହେବା ଦିନଠୁ କ୍ରାଇମବ୍ରାଞ୍ଚ୍ ଡିଆଇଜି ବାତୁଲା ଗଙ୍ଗାଧର ଓ ତଦନ୍ତକାରୀ ଅନ୍ୟ ଅଧିକାରୀମାନେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଏକାଧିକ ଥର ପଚରାଉଚରା କରି ବୟାନ ରେକର୍ଡ କରିଛନ୍ତି । ସୋମବାର ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବୋର୍ଡ ସଭାପତି ହାଜର ହୋଇ ପ୍ରଶ୍ନ ଲିକ୍ ଘଟଣା ସମ୍ପର୍କରେ ମନ୍ତ୍ରୀ, ସଚିବଙ୍କୁ କୈଫିୟତ ଦେଇଥିବା ବେଳେ ମଙ୍ଗଳବାର ମଧ୍ୟ ବିଭାଗରେ ହାଜର ହୋଇ କୈଫିୟତ ରଖିଥିବା ସୂଚନା ମିଳିଛି। ଏ ପୂରା କେଳେଙ୍କାରୀ ପ୍ରସଙ୍ଗରେ ବୋର୍ଡର ସଭାପତି-ଉପସଭାପତିଙ୍କ ଯୋଡ଼ି ଆଡ଼କୁ ଏବେ ସନ୍ଦେହର ଆଙ୍ଗୁଳି ଉଠିଛି।
Comments are closed.