Latest Odisha News

BREAKING NEWS

‘ଆତଙ୍କବାଦୀଙ୍କ ବିରୋଧରେ ଲଢିଥିଲା ଭାରତ, ହେଲେ ଆତଙ୍କୀଙ୍କ ସାଥ୍ ଦେଲା ପାକିସ୍ତାନ’

ନୂଆଦିଲ୍ଲୀ: ‘ଆମ ଲଢେଇ ଆତଙ୍କବାଦୀଙ୍କ ବିରୋଧରେ ଥିଲା, ହେଲେ ଆତଙ୍କୀଙ୍କ ସାଥ୍ ଦେଲା ପାକିସ୍ତାନ’, ଆଜି ଡିଜିଏମଓ ବ୍ରିଫିରେ କିଛି ଏପରି କହି ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପୁଣି ପଦାରେ ପକାଇଛନ୍ତି ଡିଜିଏମଓ । ଆଜି ଉଭୟ ଦେଶର ଡିଜିଏମଓ ସ୍ତରୀୟ ଆଳୋଚନା ପୂର୍ବରୁ ଭାରତୀୟ ସଶସ୍ତ୍ରବାହିନୀର ତିନି ଡିଜିଏମଓ ପକ୍ଷରୁ ଦ୍ବିତୀୟ ଥର ପାଇଁ ପ୍ରେସ ବ୍ରିଫି କରାଯାଇଥିବା ବେଳେ ପୁଣି ଥରେ ଭାରତକୁ କଡା ଚେତାବନୀ ଦେଇଛନ୍ତି ସେନା ପ୍ରମୁଖ ।

ତେବେ ୧୦ ମଇ ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ପରେ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏବେ ଟିକିଏ ହ୍ରାସ ପାଇଛି। କିନ୍ତୁ, ଅସ୍ତ୍ରବିରତିର ମାତ୍ର ତିନି ଘଣ୍ଟା ପରେ, ପାକିସ୍ତାନ ଏହାକୁ ଭାଙ୍ଗି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରିଥିଲା । ଯାହାକୁ ନେଇ ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନ ସେନାଙ୍କ ବିରୋଧରେ ନୁହେଁ ବରଂ ଆତଙ୍କବାଦୀଙ୍କ ବିରୋଧରେ ଆମର ଲଢ଼େଇ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା । ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା ବୋଲି ସେ କହିଛନ୍ତି । ଏଥିସହିତ ପାକିସ୍ତାନ ବ୍ୟବହାର କରିଥିବା ଚୀନ ମିସାଇଲ ଭଗ୍ନାବଶେଷ ଦେଖାଇ, ବାୟୁସେନା କିପରି ପାକିସ୍ତାନ ଏୟାର ବେସକୁ ଟାର୍ଗେଟ୍‌ କରିଥିଲା ତାହାର ମଧ୍ୟ ଚିତ୍ର ଦେଖାଇଥିଲା ସେନା ।

ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି, ଆମର ସମସ୍ତ ସାମରିକ ଘାଟି, ସାମରିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ସକ୍ରିୟ ଏବଂ ଆବଶ୍ୟକ ହେଲେ ଭବିଷ୍ୟତର ଯେକୌଣସି ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଯଦି ଆଗକୁ କେବେ ଲଢ଼େଇ ହେବ ତାହା ପୂରା ଅଲଗା ହେବ । ଏଥିପାଇଁ ଆମେ ସମସ୍ତ ପ୍ରକାର କୌଶଳକୁ ଆପଣାଉଛୁ  । ଭଗବାନ କରନ୍ତୁ ଲଢ଼େଇ ନ ହେଉ, କିନ୍ତୁ ଯଦି ହୁଏ ପୂରା ଅଲଗା ହେବ ବୋଲି କହିଛନ୍ତି ଏକେ ଭାରତୀ ।

ସେପଟେ ନିଜ ବ୍ରିଫିରେ ପାକିସ୍ତାନର ସବୁ ମିଛର ପ୍ରମାଣ ଦେଇ ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ଏଲଓସି ଏବଂ ଆଇବି ପାର ନକରି ଆତଙ୍କବାଦୀଙ୍କ ଉପରେ ଆମର ସଠିକ ଆକ୍ରମଣ କରାଯାଇଥିଲା । ଆମର ସମ୍ପୂର୍ଣ୍ଣ ଆଶଙ୍କା ଥିଲା ଯେ ପାକିସ୍ତାନର ଆକ୍ରମଣ ମଧ୍ୟ ସୀମା ପାରରୁ ହେବ, ତେଣୁ ଆମେ ବାୟୁ ପ୍ରତିରକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲୁ। ଯେତେବେଳେ ପାକିସ୍ତାନ ବାୟୁସେନା ୯-୧୦ ମେ ରେ ଆମର ବାୟୁ କ୍ଷେତ୍ର ଏବଂ ଲଜିଷ୍ଟିକ୍ ସଂସ୍ଥାପନ ଉପରେ ଆକ୍ରମଣ କରିଥିଲା, ସେମାନେ ଏହି ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ଗ୍ରୀଡ୍ ଆଗରେ ବିଫଳ ହୋଇଥିଲେ । ଆମକୁ ଅପରେସନ ସିନ୍ଦୂରର ବାୟୁ ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନକୁ ଏକ ପରିପ୍ରେକ୍ଷୀରେ ବୁଝିବାକୁ ପଡିବ । ଗତ କିଛି ବର୍ଷ ମଧ୍ୟରେ, ଆତଙ୍କବାଦୀ କାର୍ଯ୍ୟକଳାପର ଚରିତ୍ର ପରିବର୍ତ୍ତନ ହେଉଥିଲା, ଏବେ ଆମର ସେନା ସହିତ, ନିରୀହ ଲୋକଙ୍କ ଉପରେ ମଧ୍ୟ ଆକ୍ରମଣ ହେଇଥିଲା । ୨୦୨୪ ରେ ଶିବଖୋଡି ମନ୍ଦିର ଯାଉଥିବା ତୀର୍ଥଯାତ୍ରୀଙ୍କ ଠାରୁ ନେଇ ଏହି ବର୍ଷ ଏପ୍ରିଲରେ ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ପର୍ଯ୍ୟନ୍ତ, ପହଲଗାମ ଦ୍ୱାରା, ପାକିସ୍ତାନର ପାପର ପାତ୍ର ଭରିଯାଇଛି ବୋଲି ସେ କହିଛନ୍ତି ।

ଏଥିସହିତ ପାକିସ୍ତାନ ଆମର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିପାରିବନି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । କହିଛନ୍ତି, ଆମର ଚାରି ଲେୟର ସୁରକ୍ଷା କବଚ ରହିଛି, ପାକିସ୍ତାନ ପାଖରେ ତାହା ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଞ୍ଚି ପାରି ନାହାନ୍ତି । ପରନ୍ତୁ ପାକିସ୍ତାନ କ’ଣ କ୍ଷତି ସହିଛି ତାହା ଆମେ ଦେଖାଇ ସାରିଛୁ । ଲୋକଙ୍କ ବୁଝିବା ପାଇଁ ଅଷ୍ଟ୍ରେଲିଆ-ଇଂଲଣ୍ଡ କ୍ରିକେଟ ଲଢ଼େଇ କଥାର ମଧ୍ୟ ଉଦାହରଣ ଦେଇ କହିଥିଲେ, ଇଂଲଣ୍ଡ ବ୍ୟାଟରଙ୍କୁ ଜେଫ୍‌ ଥମ୍ପ୍‌ସନ, ଡେନିସ ଲିଲି ଧରାଶାୟୀ କରିଥିଲେ । ଆସେସ୍‌ ଲଢ଼େଇରେ ଏହି ୨ ବୋଲରଙ୍କୁ ସାମ୍ନା କରି ପାରିନଥିଲେ । ଆଉ କୋହଲିଙ୍କର ସେ ଜଣେ ବଡ଼ ସମର୍ଥକ ବୋଲି କହିଛନ୍ତି ରାଜୀବ ଘାଇ  ।

Comments are closed.