Latest Odisha News

୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଆମ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବିଶ୍ୱ ପ୍ରାଣିଚିକିତ୍ସା ଦିବସ ଅବସରରେ ଆଜି ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ଏହି ଅବସରରେ ପ୍ରାଣିସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଆଜି ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାରେ ନିର୍ମିତ ୭୬ ଟି ପ୍ରାଣିଚିକିତ୍ସାଳୟ ଓ ୪ ଟି ପ୍ରାଣୀ ସହାୟତା କେନ୍ଦ୍ରର ନୂତନ ଗୃହ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହାସହିତ ୧୭୭ କୋଟି ଟଙ୍କା ବିନିଯୋଗରେ ୨୧୯ଟି ନୂତନ ପ୍ରାଣିଚିକିତ୍ସାଳୟ ଓ ରୋଗ ନିର୍ଣ୍ଣୟ ଲ୍ୟାବ ନିର୍ମାଣ ପାଇଁ ୬ଟି PSU ସହ MoU ମଧ୍ୟ ସ୍ୱାକ୍ଷର ହୋଇଛି। ଏହି ବୁଝାମଣା ପତ୍ରରେ କଟକର ଫୁଲନଖରାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏକ ରାଜ୍ୟସ୍ତରୀୟ ମଲିକ୍ୟୁଲାର ଲ୍ୟାବୋରେଟୋରୀ ସ୍ଥାପନ ହେବ। ସେହିପରି ପଶୁ ଖାଦ୍ୟର ଗୁଣ ପରୀକ୍ଷା ପାଇଁ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟସ୍ତରୀୟ ଖାଦ୍ୟ ପରୀକ୍ଷାଗାର ସଶକ୍ତ କରାଯିବ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅବସରରେ ଓପୋଲଫେଡ଼ର ୫୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ବ୍ରାଉନ ଅଣ୍ଡା ଓ ଦେଶୀ ‘ଅସିଲ୍’ (Aseel) ଚିକେନର ବିପଣନ କେନ୍ଦ୍ରର ଶୁଭାରମ୍ଭ କରିଥିବାବେଳେ ଏହା କୁକୁଡ଼ାପାଳକମାନଙ୍କୁ ଉଚିତ ମୂଲ୍ୟ ଦେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଆଜି ୫୦ କୋଟି ଟଙ୍କା ବ୍ୟୟରେ ଭଦ୍ରକର କସିଆ ଠାରେ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଧାମରା ମାଛଧରା ବନ୍ଦରର ଉନ୍ନତିକରଣ କାର୍ଯ୍ୟ ଉଦଘାଟିତ ହୋଇଛି।

ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଣିଚିକିତ୍ସକମାନେ କଥା କହିପାରୁନଥିବା ପ୍ରାଣୀମାନଙ୍କର ଚିକିତ୍ସା କରନ୍ତି। ପ୍ରକୃତରେ ସେମାନେ ମହାନ। ଜୀବଜନ୍ତୁମାନଙ୍କ ପାଇଁ ସାକ୍ଷାତ ଭଗବାନ ହେଲେ ଆମ Veterinary Doctor ମାନେ। ଓଡ଼ିଶାରେ କୃଷକଙ୍କ ଆୟ ବୃଦ୍ଧି ପାଇଁ କେବଳ ପାରମ୍ପରିକ ଚାଷ ପର୍ଯ୍ୟାପ୍ତ ନୁହେଁ। ମାଛଚାଷ, ଗୋପାଳନ, କୁକୁଡ଼ା ପାଳନ, ଛେଳି-ମେଣ୍ଢା ପାଳନ ପରି ଆନୁଷଙ୍ଗିକ କୃଷିକୁ ଆଗେଇ ନେବା ଆବଶ୍ୟକ। ଆମର ଲକ୍ଷ୍ୟ କେବଳ ଚାଷୀଙ୍କ ଆୟ ଦୁଇଗୁଣ କରିବା ନୁହେଁ, ବହୁଗୁଣିତ କରିବା ବୋଲି ସେ ଉଲ୍ଲେଖ କରିଥିଲେ।

ରାଜ୍ୟରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ୧,୪୨୩ କୋଟି ଟଙ୍କା ବ୍ୟୟରେ ଚାଲୁଥିବା ଏହି ଯୋଜନା ମାଧ୍ୟମରେ ଆଗାମୀ ପାଞ୍ଚବର୍ଷରେ ୧୫ ଲକ୍ଷରୁ ଅଧିକ ଗୋପାଳକ ଉପକୃତ ହେବେ। ଉଚ୍ଚ ଦୁଗ୍ଧ ଉତ୍ପାଦନକାରୀ ଗାଈ ପାଳନ ପାଇଁ ୭୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ଦିଆଯାଉଛି।ସେହିପରି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଅଧୀନରେ ନୂତନ ଗୋଶାଳା, ଖାଦ୍ୟ, ରକ୍ଷଣାବେକ୍ଷଣ ଓ ସ୍ୱାସ୍ଥ୍ୟସେବା ପାଇଁ ୩୩ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।କୁକୁଡ଼ାପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା ମାଧ୍ୟମରେ ୧,୦୩୧ କୋଟି ଟଙ୍କା ବ୍ୟୟ ହେବା ସହ ୩.୭୩ ଲକ୍ଷ ପରିବାର ଉପକୃତ ହେବେ ବୋଲି ସେ କହିଥିଲେ।

ଚଳିତ ବର୍ଷର ପ୍ରସଙ୍ଗ ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ପ୍ରାଣିଚିକିତ୍ସକ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୀତିରେ ପ୍ରାଣିସମ୍ପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ, ପ୍ରାଣୀ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଜନୀନ ସ୍ୱାସ୍ଥ୍ୟକୁ ସମନ୍ୱୟ କରି One Health ଆଭିମୁଖ୍ୟକୁ ଆହୁରି ସୁଦୃଢ କରିବା ଆବଶ୍ୟକ। ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଅନୁସାରେ ରାଜ୍ୟକୁ ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନରେ ଆତ୍ମନିର୍ଭର କରାଯିବ। ୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଲକ୍ଷ୍ୟ ରଖାଯାଇଛି।

ପ୍ରାଣୀ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ହାତପାହାନ୍ତାରେ ପହଞ୍ଚାଇବା ପାଇଁ ଆମ ସରକାର ୨୦୦୦ ପ୍ରଶିକ୍ଷିତ ‘A-HELP’ (ଗୋଷ୍ଠୀ ପ୍ରାଣିସ୍ବାସ୍ଥ୍ୟ କର୍ମୀ) ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କର୍ମୀମାନେ ଗ୍ରାମାଞ୍ଚଳରେ ଟୀକାକରଣ କ୍ଷେତ୍ରରେ ଚାଷୀମାନଙ୍କୁ ସହାୟତା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସଫଳ ପ୍ରାଣିଚିକିତ୍ସକ, ପ୍ରାଣିପାଳକ ଓ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସେମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଓ ଓଡ଼ିଶାକୁ ବିକଶିତ ରାଜ୍ୟ ଗଠନରେ ସମୁହିକ ଭାଗିଦାରି ପାଇଁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟର ସୁରକ୍ଷାରେ ପ୍ରାଣିଚିକିତ୍ସକଙ୍କର ପ୍ରମୁଖ ଭୂମିକା ରହିଛି । ପ୍ରାଣୀଙ୍କଠାରୁ ବ୍ୟାପୁଥିବା ରୋଗକୁ ପ୍ରତିହତ କରିବା ସହ ସମାଜର ପ୍ରଥମ ପ୍ରତିରକ୍ଷା ବଳୟଭାବେ ପ୍ରାଣିଚିକିତ୍ସକମାନେ ସେବା ପ୍ରଦାନ କରିଥାନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ପ୍ରେମ ଚାନ୍ଦ ଚୌଧାରୀ ଏବଂ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.