Latest Odisha News

କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଓ ନିର୍ମାଣ ଶୈଳୀର ପରିବର୍ତ୍ତନର ପରିଚାୟକ ବୌଦ୍ଧର ଗନ୍ଧରାଡି ବା ଚାରିଶମ୍ଭୁ ମନ୍ଦିର ଯୁଗଳ

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ

କଳିଙ୍ଗ ସ୍ଥାପତ୍ୟ ଓ ମନ୍ଦିର ଶୈଳୀର ଅଭ୍ୟୁଦୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇ ପଞ୍ଚଦଶ ଶତାବ୍ଦୀ ଯାଏ ବିଭିନ୍ନ ମନ୍ଦିରର ନିର୍ମାଣରେ ପରିଲକ୍ଷିତ ହୋଇଛି । ସେହିଭଳି ଏକ ପରିବର୍ତ୍ତନ କାଳର ପରିଚାୟକ ହେଉଛି ବୌଦ୍ଧ ସହର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଗନ୍ଧରାଡି ଓ ଜଗତି ଗାଁ ନିକଟରେ ରହିଥିବା ବିଷ୍ଣୁ ଓ ମହାଦେବଙ୍କ ଯୁଗଳ ମନ୍ଦିର । ସ୍ଥାନ ଅନୁସାରେ ଏହାକୁ ଗନ୍ଧରାଡି ଅଥବା ଚାରିଶମ୍ଭୁ ମନ୍ଦିର କୁହାଯାଉଥିବାବେଳେ ବିଷ୍ଣୁଙ୍କ ମନ୍ଦିରଟି ନୀଳମାଧଵ ଓ ମହାଦେବଙ୍କ ମନ୍ଦିରଟି ସିଦ୍ଧେଶ୍ୱର ନାମରେ ପରିଚିତ ।

ଏହି ଯୁଗଳ ମନ୍ଦିର ଦ୍ଵୟର ନିର୍ମାଣ ସମୟ ନେଇ କୌଣସି ନିର୍ଦ୍ଦିଷ୍ଟ ଲିଖିତ ପ୍ରମାଣ ନଥିଲେ ମଧ୍ୟ ନିର୍ମାଣ ଶୈଳୀ, କଳାକୃତି ଓ ଭାସ୍କର୍ଯ୍ୟ ଇତ୍ୟାଦିରୁ ଏହା ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ସମେତ ପ୍ରତ୍ନତତ୍ତ୍ଵବିଦମାନଙ୍କ ଦ୍ୱାରା ଅନୁମାନ କରାଯାଇଛି ।

ଗନ୍ଧରାଡି ଗ୍ରାମର ସମତଳ ଅଂଚଳରେ ଏକ ଉଚ୍ଚ ପିଣ୍ଡି ଉପରେ ସମାନ ପ୍ରକାରର ଦେଖାଯାଉଥିବା ଏହି ହରି ହର ମନ୍ଦିର ଯୁଗଳ ଖିଂଜିଳୀ ମଣ୍ଡଳର ଭଞ୍ଜ ଶାସକଙ୍କ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଉଛି । ଗୋଟିଏ ପିଣ୍ଡି ଉପରେ ଅବସ୍ଥାପିତ ଉଭୟ ନୀଳମାଧଵ ଓ ସିଦ୍ଧେଶ୍ୱର ନିର୍ମାଣ ଶୈଳୀରୁ ଏକା ପ୍ରକାରର ହୋଇଥିଲେ ମଧ୍ୟ ନୀଳମାଧଵ ମନ୍ଦିର ଚୂଡ଼ାରେ ପଥରରେ ନିର୍ମିତ ଚକ୍ର ବା ଆକାଶ ଚକ୍ର ଅବସ୍ଥାପିତ ହୋଇଥିବାବେଳେ ସିଦ୍ଧେଶ୍ୱର ମନ୍ଦିର ଚୂଡ଼ାରେ କିନ୍ତୁ ଶିବଲିଙ୍ଗ ବା ଆକାଶଲିଙ୍ଗ ସ୍ଥାପିତ ରହିଛି । ସାଧାରଣତଃ ମହାଦେବ ମନ୍ଦିରଗୁଡିକର ମସ୍ତକ ବା ଚୂଡ଼ାରେ ତ୍ରିଶୂଳ ରହୁଥିବା ବେଳେ ଗନ୍ଧରାଡିର ସିଦ୍ଧେଶ୍ୱର ମନ୍ଦିରରେ ଏହାର ବ୍ୟତିକ୍ରମ ରହିଛି । ସେହିଭଳି ନୀଳମାଧଵ ମନ୍ଦିରରେ କଳା ମୁଗୁନି ପଥରରେ ନିର୍ମିତ ଭଗବାନ ବିଷ୍ଣୁଙ୍କ ଦୁଇଟି ପୂର୍ଣାବୟବ ଦଣ୍ଡାୟମାନ ପ୍ରତିମା ରହିଥିବାବେଳେ, ଏଥିରୁ ଗୋଟିଏ ମୁଖ୍ୟ ମନ୍ଦିରରେ ଏବଂ ଅନ୍ୟଟି ମୁଖଶାଳାର ଗୋଟିଏ କୋଣରେ ରହିଛି ।

ଉଚ୍ଚ ପିଣ୍ଡି ଉପରେ ଅବସ୍ଥାପିତ ଏହି ମନ୍ଦିର ଯୁଗଳରେ ଆଦ୍ୟ କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାର ନିଦର୍ଶନ ସ୍ୱରୂପ ଆୟତାକାର ଢାଞ୍ଚାର ମୁଖଶାଳା ବା ଜଗମୋହନ ରହିଥିବାବେଳେ ମୂଳ ମନ୍ଦିର ଦ୍ବୟ ପାରମ୍ପରିକ ରେଖା ଦେଉଳ ଶୈଳୀରେ ନିର୍ମିତ । ପ୍ରତ୍ନତତ୍ତ୍ଵବିଦମାନଙ୍କ ମତରେ ଏହାର ପରବର୍ତ୍ତୀ ସମୟରେ କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ହୋଇଥିବା ପରିବର୍ତନ ସ୍ୱରୂପ ମନ୍ଦିର ନିର୍ମାଣରେ ବର୍ଗାକାର ଢାଞ୍ଚାର ମୁଖଶାଳା ଆରମ୍ଭ ହୋଇଥିଲା ଯାହାକି ଭୁବନେଶ୍ୱରର ମୁକ୍ତେଶ୍ଵର ମନ୍ଦିରର ନିର୍ମାଣ ଶୈଳୀରେ ଦେଖାଯାଇପାରେ ।

ଭୁବନେଶ୍ୱରର ପର୍ଶୁରାମେଶ୍ୱର ଓ ଶିଶିରେଶ୍ଵର, ନିମାପଡାର ବାରାହୀ ଦେଉଳ ଏବଂ ବାଙ୍କୀର ସିଂହନାଥ ମନ୍ଦିର ଭଳି ଗନ୍ଧରାଡ଼ିର ଚାରିଶମ୍ଭୁ ମନ୍ଦିର ଯୁଗଳର ସମାନ ପ୍ରକାରର ଆୟତାକାର ଓ ଦୁଇଥାକିଆ ଛାତ ବିଶିଷ୍ଟ ଜଗମୋହନ ବା ମୁଖଶାଳା ରହିଛି । ଉଭୟ ମନ୍ଦିରରେ ଅନେକ କଳାକୃତି ଓ ଭାସ୍କର‌୍ୟ୍ୟ ରହିଥିବା ବେଳେ ସମ୍ମୁଖ ଓ ପାର୍ଶ୍ୱ ଭାଗରେ ନାଗ ସ୍ତମ୍ଭ ରହିଛି । ତେବେ ଦୁଇଟିଯାକ ମନ୍ଦିର ରହିଥିବା ଉଚ୍ଚ ପିଣ୍ଡିର ଚାରିକୋଣରେ ଏକଦା କ୍ଷୁଦ୍ର ଆକୃତିର ମନ୍ଦିର ରହିଥିବା ବିଶ୍ୱାସ ରହିଥିବାବେଳେ ଏଥିନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ ।

ତେବେ ଏହି ମନ୍ଦିର ନିର୍ମାଣରେ କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳା ସହିତ ଛତିଶଗଡ଼ ବା ମଧ୍ୟ ଭାରତର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ କଳାର ସମ୍ୟକ ପ୍ରଭାବ ରହିଥିବା ନେଇ କିଛି ପ୍ରତ୍ନତତ୍ତ୍ଵବିଦଙ୍କ ମତ ରହିଛି ।

Comments are closed.