Latest Odisha News

BREAKING NEWS

ଓଡ଼ିଶାର ସବୁଠୁ ଉଚ୍ଚତମ ଏବଂ ପ୍ରାଚୀନ ଇଟା ନିର୍ମିତ ମନ୍ଦିର ‘ଇନ୍ଦ୍ରଲାଠ’

କୃଷ୍ଣ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ

ଐତିହ୍ୟ ଭରା ଓଡ଼ିଶାରେ ଉତ୍କୃଷ୍ଟ ପଥର ଶିଳ୍ପ,କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଅନେକ ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଲାଲ ଇଟାରେ ସୁନ୍ଦର ଭାବରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀନ ଶିବ ମନ୍ଦିର ରହିଛି ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ ନିକଟରେ ।

ରାଣୀପୁର ଝରିଆଲର ପ୍ରସିଦ୍ଧ ତନ୍ତ୍ର ପୀଠ ଚଉଷଠି ଯୋଗିନୀ ମନ୍ଦିର ନିକଟରେ ଦଣ୍ଡାୟମାନ ଏହି ମନ୍ଦିରଟି ‘ଇନ୍ଦ୍ରଲାଠ’ ମନ୍ଦିର ନାମରେ ବେଶ ପରିଚିତ ।

ଏକ ଉଚ୍ଚ ପଥର ପିଣ୍ଡି ଉପରେ ଅବସ୍ଥାପିତ ଏହି ଇଟା ନିର୍ମିତ ଇନ୍ଦ୍ରଲାଠ ମନ୍ଦିର ଭାରତରେ ରହିଥିବା ଅଳ୍ପ କେତୋଟି ଇଟା ନିର୍ମିତ ପ୍ରାଚୀନତମ ମନ୍ଦିର ମଧ୍ୟରୁ ଅନ୍ୟତମ । ପ୍ରାୟ ୭୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଓଡ଼ିଶାର ଉଚ୍ଚତମ ଇଟା ନିର୍ମିତ ପ୍ରାଚୀନ ମନ୍ଦିର ହୋଇଥିବା ବେଳେ ନିର୍ମାଣ ଶୈଳୀରୁ ଏହା ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଇଛି । ପ୍ରତ୍ନତତ୍ତ୍ଵବିଦ ଜୀବନ ପଟ୍ଟନାୟକଙ୍କ ମତରେ ସୋମବଂଶୀ କେଶରୀ ରାଜବଂଶର ରାଜତ୍ୱ କାଳରେ ଏହି ମନ୍ଦିର ନିର୍ମିତ ହୋଇଥିବା ଅନୁମାନ କରାଯାଇଛି । ତେବେ କାଳକ୍ରମେ କ୍ଷୁର୍ଣ୍ଣ ହୋଇପଡିଥିବା ଏହି ମନ୍ଦିରଟିର ପରବର୍ତୀ ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପୁନରୁଦ୍ଧାର କରାଯାଇଥିବା ସେ କହିଛନ୍ତି । ଏହି ପୁରାତନ ଇଟା ତିଆରି ମନ୍ଦିରର ନିରୀକ୍ଷଣ ବେଳେ ପ୍ରତ୍ନତତ୍ତ୍ୱବିଦମାନେ ଏହି ମନ୍ଦିରର ନିର୍ମାଣରେ ବ୍ୟବହୃତ ଇଟାର ପ୍ରସ୍ତୁତି ସମୟରେ ମାଟି ସହିତ ଧାନର ଚଷୁ ବ୍ୟବହାର ହୋଇଥିବା ଜାଣିବାକୁ ପାଇଥିଲେ ।

ଫଟୋ ସୌଜନ୍ୟ-ସୁରେଶ କୁମାର ମିଶ୍ର

ସମ୍ଭବତଃ ଜଣେ ସୋମବଂଶୀ ରାଜା ଇନ୍ଦ୍ରେଶ୍ୱରଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମକରଣ ହୋଇଥିବା ଅନୁମାନ କରାଯାଇଥିବା ବେଳେ ଏକଦା ଦେବରାଜ ଇନ୍ଦ୍ର ଏହି ସ୍ଥାନରେ ମହାଦେବଙ୍କ ଆରାଧନା କରିବା ସହ ତାଙ୍କ ସମ୍ମାନରେ ଏହି ମନ୍ଦିର ସ୍ଥାପନା କରିଥିଲେ ବୋଲି ସ୍ଥାନୀୟ ଲୋକକଥା ରହିଛି ।

ସମ୍ପୂର୍ଣ୍ଣ ମନ୍ଦିରଟି ଲାଲ ରଙ୍ଗର ଇଟାରେ ବେଶ ସୁନ୍ଦର ଭାବରେ କାରୁକାର‌୍ୟ୍ୟ ଓ ଭାସ୍କର‌୍ୟ୍ୟ ସହିତ ନିର୍ମିତ ହୋଇଥିବା ବେଳେ ଏହାର ସମ୍ମୁଖ ଦ୍ୱାର ଚାରିପାଖ ପଥରରେ ନିର୍ମିତ ହୋଇଛି । ରେଖା ଦେଉଳ ଢାଞ୍ଚାରେ ହୋଇଥିବା ଏହି ମନ୍ଦିରର କାରୁକାର‌୍ୟ୍ୟ ମଧ୍ୟରେ ଉମା ମହେଶ୍ୱର, ବିଷ୍ଣୁ, ନୃସିଂହ, କାର୍ତ୍ତିକେୟ ଏବଂ ଗଣେଶଙ୍କ ପ୍ରତିମା ରହିଥିବାରୁ ଏହା ଏକଦା ହରିହର ଆରାଧନା ପୀଠ ରହିଥିବା ମନେ କରାଯାଉଛି ।

ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସଂରକ୍ଷଣରେ ରହିଥିବା ଇନ୍ଦ୍ରଲାଠ ମନ୍ଦିରକୁ ନେଇ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକଟିକଟ ପ୍ରଚଳନ କରାଯାଇଥିବା ବେଳେ, ଓଡ଼ିଶାର ଶକ୍ତି କ୍ଷେତ୍ରର ଏକ ପ୍ରମୁଖ ସରକାରୀ ଉଦ୍ୟୋଗ ୨୦୧୫ ମସିହାରେ ନିଜ କ୍ୟାଲେଣ୍ଡର ପୃଷ୍ଠାରେ ଇନ୍ଦ୍ରଲାଠ ମନ୍ଦିରକୁ ସ୍ଥାନ ଦେଇଥିଲା ।

Leave A Reply

Your email address will not be published.