Latest Odisha News

ଆମ ଭାଷା, ଆମ ବ୍ୟାକରଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଅକ୍ଷର

ଆମ ଓଡ଼ିଆ ଅକ୍ଷର ପ୍ରାଚୀନ ବ୍ରାହ୍ମୀ ଲିପିରୁ ଆସିଛି। ଲିପି ହେଉଛି ପ୍ରତ୍ୟେକ ଭାଷାର ଉତ୍ସ। ବ୍ରାହ୍ମୀ ଲିପିରୁ ସୃଷ୍ଟି ଆମ ଅକ୍ଷରର ଲିଖନ ପଦ୍ଧତି ସ୍ୱତନ୍ତ୍ର ଧରଣର। ବଙ୍ଗଳା, ଅସମୀୟା, ହିନ୍ଦୀ , ମୈଥିଳୀ ଆଦି ଅନ୍ୟାନ୍ୟ ଭାଷାଠାରୁ ଓଡ଼ିଆ ଭାଷା , ଅକ୍ଷର ଦୃଷ୍ଟିରୁ ଅଲଗା ଆସନର ଅଧିକାରୀ। କଥିତ ଓଡ଼ିଆ ଭାଷାର ଲିଖିତ ରୂପକୁ ବର୍ଣ୍ଣମାଳା ବା ଅକ୍ଷର ମାଳା ସାହାଯ୍ୟରେ ଲେଖା ଯାଇଥାଏ।

ଓଡ଼ିଆ ଅକ୍ଷରର ଲିଖନ ପଦ୍ଧତି ଦୁଇ ପ୍ରକାରର। ଗୋଟିଏ ପାରମ୍ପରିକ ପ୍ରଚଳିତ ଶୈଳୀ । ଅନ୍ୟଟି କରଣୀ ଶୈଳୀ। ପ୍ରଚଳିତ ଶୈଳୀ ଅଧ୍ୟୟନରେ ବ୍ୟବହାର ହେଉଥିବା ବେଳେ କରଣୀ ଶୈଳୀ ଅଦାଲତ ଆଦିରେ ସିରସ୍ତାର ବା ପେଶାଦାରମାନଙ୍କଦ୍ୱାରା ବ୍ୟବହାର ହୋଇଥାଏ।

ଓଡ଼ିଆ ଭାଷାର ଅକ୍ଷର ପଦ୍ଧତି , ଓଡ଼ିଆ ଅକ୍ଷରତତ୍ତ୍ୱ । ପ୍ରତ୍ୟେକ ଭାଷାର ଅକ୍ଷର ସେହି ଭାଷାକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ।

ସାଧାରଣତଃ ଭାଷାର ଲିପିକୁ ଅକ୍ଷର କୁହାଯାଏ। ଦ୍ଵାଦଶ ଶତାବ୍ଦୀରେ ଫରାସୀ ଭାଷାର ଲିଟର ( lettre) ଏବଂ ଲାଟିନ ଭାଷାର ଲିଟେରା ( littera ) ଶବ୍ଦରୁ ଇଂରାଜୀ ଲେଟର ( letter ) ବା ଅକ୍ଷର ଆସିଥିବାର ଅନୁମାନ କରାଯାଏ। ଭାଷାର ଲିଖିତ ଲିପି ଅକ୍ଷର । ଗଠନ ଆଧାରରେ ଅକ୍ଷର ଦୁଇ ପ୍ରକାରର। ମୁକ୍ତ ଓ ଆବଦ୍ଧ ଅକ୍ଷର ବିଶିଷ୍ଟ । ଭାଷାରେ ବ୍ୟବହାର ହେଉଥିବା ଅକ୍ଷର ଓ ଅକ୍ଷର ଗଠନ ସମ୍ବନ୍ଧୀୟ ସମସ୍ତ ଅଥ୍ୟାବଳୀର ଉପସ୍ଥାପନ ହେଉଥିବା ବିଭାଗ ହେଉଛି ଅକ୍ଷର ତତ୍ତ୍ୱ।

ଲିଖନ ପଦ୍ଧତି କେମିତି ଶୁଦ୍ଧ ଓ ସୁନ୍ଦର ହୋଇପାରିବ ଏବଂ ଶବ୍ଦର ଠିକ ବନାନକୁ କେମିତି ପାରମ୍ପରିକ ଭାବରେ ଉପସ୍ଥାପନ କରାଯାଇପାରିବ ସେ ବିଷୟରେ ଏହି ଅକ୍ଷର ତତ୍ତ୍ୱରେ ହିଁ ବର୍ଣ୍ଣନା ହୋଇଥାଏ। ଆଧୁନିକ ଭାଷା ବିଜ୍ଞାନ ଆଧାରରେ ଅକ୍ଷର ତତ୍ତ୍ୱ ହେଉଛି ଭାଷାର ଲିଖନ କଳା ଯେଉଁଥିରେ କି ଅକ୍ଷର ଲିଖନ ପଦ୍ଧତି ବା ଅକ୍ଷର ଗଠନରେ ଅକ୍ଷର ଓ ଉଚ୍ଚାରିତ ଧ୍ୱନୀ ବିଷୟରେ ବିଶଦ ବର୍ଣ୍ଣନା ରହିଥାଏ। ଯେମିତିକି ‘ଗଛ’ ଶବ୍ଦରେ ‘ଗ’ ଓ ‘ଛ’ ଦୁଇଟି ଅକ୍ଷରର ଉଚ୍ଚାରଣ ସହ ‘ଗ’ ଓ ‘ଛ’ ଦୁଇଟିର ଲିଖନ ପଦ୍ଧତି ଓ ଭାଷାରେ ବ୍ୟବହାର ହେବା ସମୟରେ ‘ଗଛ’ ଶବ୍ଦର ବନାନ ଓ ଅର୍ଥ ପ୍ରୟୋଗକୁ ଅକ୍ଷର ତତ୍ତ୍ୱରେ କୁହାଯାଇଥାଏ । ଓଡ଼ିଆ ଭାଷାରେ ଅବଶ୍ୟ ବର୍ଣ୍ଣକୁ ଭାଷାର ଉଚ୍ଚାରଣ ଓ ଅକ୍ଷର ସହିତ ସଂଯୋଗ କରାଯାଇ ପାରମ୍ପରିକ ବ୍ୟାକରଣରେ ଅକ୍ଷର ତତ୍ତ୍ୱ କୁହାଯାଉଥିଲା।  ଧ୍ୱନି ଓ ଅକ୍ଷର ବା ବର୍ଣ୍ଣର ଅଲଗା ବିଚାର ହେଉଛି ଆଧୁନିକ ଭାଷା ବିଜ୍ଞାନରେ ମୂଳକଥା। ଧ୍ୱନି ଉଚ୍ଚାରିତ ହୁଏ , ଅକ୍ଷର ଲେଖାଯାଏ। ସ୍ୱର ଉଚ୍ଚାରିତ ହେଲେ ଧ୍ୱନି , ଲେଖାଗଲେ ସ୍ୱରବର୍ଣ୍ଣ। ଏହି କଥା ଆମକୁ ଭାଷା ବିଜ୍ଞାନ ବୁଝାଇ ଦିଏ। ଉଚ୍ଚାରିତ ଧ୍ୱନିକୁ ବର୍ଣ୍ଣ ଓ ଲିଖିତ ଅକ୍ଷର ଲିପି। ଅବଶ୍ୟ ଲିପିକୁ କେହି କେହି ଉଭୟ ଅକ୍ଷର ଓ ବର୍ଣ୍ଣ ଭାବରେ ଗ୍ରହଣ କରିଥାନ୍ତି। ଓଡ଼ିଆ ଭାଷାର ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ସାଧାରଣତଃ ଗୋଟିଏ ଗୋଟିଏ ଅକ୍ଷର । ଓଡ଼ିଆ ଉଚ୍ଚାରଣରେ ସ୍ୱରବର୍ଣ୍ଣର ଦୀର୍ଘତା ନଥିଲେ ମଧ୍ୟ ଲେଖିଲାବେଳେ ଏହି ଅକ୍ଷରର ଆବଶ୍ୟକତା ରହିଛି । ଯେମିତିକି ଈ, ଊ । ଅକ୍ଷର ପଦ୍ଧତିରେ ଆମ ଓଡ଼ିଆ ଅକ୍ଷରର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହାର ଲିଖିତ ରୂପ ଓ ଲିଖନ ପ୍ରଣାଳୀ। ଲିଖିତ ରୂପରେ ତଳ ଓ ଉପର ଉଭୟ ଭାଗରେ ଓଡ଼ିଆ ଅକ୍ଷର ବୃତ୍ତାକାର, ଅର୍ଦ୍ଧ ବୃତ୍ତାକାର ଓ ଅର୍ଦ୍ଧ ମୁଣ୍ଡଳାକାର। ଅକ୍ଷରର ତଳ ଭାଗ କ୍ଷୁଦ୍ର ବୃତ୍ତାକାର ଓ ଉପରଭାଗର ବୃତ୍ତାକାର ଅପେକ୍ଷାକୃତ ବଡ଼। ଅନ୍ୟାନ୍ୟ ସ୍ଵତନ୍ତ୍ର ମଧ୍ୟରେ ଅକ୍ଷରର ଉଚ୍ଚତା, ଆକାରର ମାତ୍ରା, ଅକ୍ଷର ଲିଖନ ପ୍ରଣାଳୀରେ ହାତଲେଖାର ହାତ ପ୍ରାୟତଃ ନିରବଚ୍ଛିନ୍ନ ଭାବରେ ଗତି କରିଥାଏ।

ଓଡ଼ିଆ ଯୁକ୍ତାକ୍ଷର ଗଠନର କେତୋଟି ପଦ୍ଧତି ବି ଏଠାରେ କୁହାଯାଇପାରେ। ବର୍ଗ୍ୟ ବ୍ୟଞ୍ଜନଗୁଡ଼ିକ ନାସିକ୍ୟ ବ୍ୟଞ୍ଜନ ଯୋଗ କାରାଯାଇ ସ୍ୱତନ୍ତ୍ର ଯୁକ୍ତାକ୍ଷର ଗଠନ ପଦ୍ଧତି ଓଡ଼ିଆରେ ପ୍ରଚଳିତ । ଯେମିତିକି ଅଙ୍କ, ପଙ୍କ, ସାଙ୍ଗ , ପାଞ୍ଚ, ସଞ୍ଜ, ଲାଞ୍ଜ , ଅଣ୍ଟା, କଣ୍ଟା, ଆଣ୍ଠୁ, ଷଣ୍ଢ, ଦାନ୍ତ କମ୍ପନ, ଆମ୍ବ, ଆରମ୍ଭ । କେତେକ ଯୁକ୍ତାକ୍ଷର ଗଠନରେ ଗୋଟିଏ ବ୍ୟଞ୍ଜନ ସହ ଆଉ ଗୋଟିଏ ବ୍ୟଞ୍ଜନ ଯୋଗ ହୋଇ ସ୍ୱତନ୍ତ୍ର ଚିହ୍ନ ହୋଇଥାଏ। ଉଦାହରଣ ସ୍ୱରୂପ ରକ୍ତ, ଉତ୍କଳ, କାପ୍ତା, ସୁସ୍ଥ, ବତ୍ସ । ଯେମିତି ଦୁଇଟି ବ୍ୟଞ୍ଜନକୁ ଗୋଟିଏ ଯୁକ୍ତାକ୍ଷର ରୂପରେ ଯୁଦ୍ଧ, ଶବ୍ଦ। ଦୁଇଟି ବ୍ୟଞ୍ଜନ ତଳ ଉପର ଓ ବଡ଼, ସାନ ଭାବରେ ଗଠିତ ଯୁକ୍ତାକ୍ଷର : ବାଷ୍ପ ବିସ୍ଫୋରଣ, ପିପ୍ପଳ । ଗୋଟିଏ ଅକ୍ଷରର ନିମ୍ନ ଭାଗକୁ ସେହି ଅକ୍ଷରର ତଳେ ଯୋଗ କରି ଶୁକ୍ଳ, ଭାସ୍କର, ସଜ୍ଜିତ, ବକ୍ୱଳ ଆଦି ଅକ୍ଷରରୁ ଭାଷାର ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟ ବୁଝାପଡ଼େ। ଅକ୍ଷର ଭାଷାର ସୌରଭ ଓ ଗୌରବ।

Comments are closed.