Latest Odisha News

BREAKING NEWS

ବାତ୍ୟା ‘ୟଶ୍’ ପ୍ରଭାବ, ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ବାତ୍ୟା ‘ୟଶ୍’ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାର ଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପାରାଦୀପ ଠାରୁ ୫୨୦ ଏବଂ ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଦୂରରେ ରହିଛି । ଏହା ଆାଗମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଯାଇ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ । ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ।

ବାତ୍ୟା ‘ୟଶ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟାର ବାହାର ଭାଗରେ ଥିବା ମେଘ ଖଣ୍ଡ ବର୍ଷା କରାଉଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ସମେତ ବାଲେଶ୍ୱର ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ ହୋଇଛି । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟମରେ ସ୍ଥଳଭାଗ ଛୁଇଁ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ହେବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଗୋପାଳପୁର ଓ ପୁରୀରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ।

Leave A Reply

Your email address will not be published.