Latest Odisha News

BREAKING NEWS

ସୈନିକ ସ୍କୁଲ ପାଖ ଅଳିଆ ଗଦା ହଟିବା ନେଇ ମେୟର ଏବଂ କମିସନରଙ୍କ ଭିନ୍ନ ଭିନ୍ନ ଯୁକ୍ତି, ବର୍ଷିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଟ୍ରାନଜିଟ୍ ସେଣ୍ଟର (ଟିଟିସି)ରୁ ଅଳିଆ ସମ୍ପୂର୍ଣ୍ଣ ହଟାଇବା ଦାବିରେ ବୁଧବାର ବିଜେପି ଭୁବନେଶ୍ୱର ଶାଖା ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ପୂର୍ବରୁ ବିଜେପି ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଅଳିଆ ଗଦା ଯୋଗୁଁ ସେମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ବୁଝିଥିଲେ। ଏଥିସହ ଅଳିଆ ଗଦା ହଟିବା ନେଇ ମେୟର ଏବଂ କମିସନରଙ୍କ ଭିନ୍ନ ଭିନ୍ନ ଯୁକ୍ତି କଥା କହି ସ୍ଥାନୀୟ ପ୍ରଶାସନକୁ ଘେରିଛି।

ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ଯେ, ଏହି ଘଟଣାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ୱର ସହରର କେନ୍ଦ୍ରସ୍ଥଳରେ ଅଳିଆ ପାହାଡ଼ ପ୍ରତିଷ୍ଠା ପାଇଁ ମେୟର ଓ ବିଏମସି କମିଶସରଙ୍କୁ କିଏ ଅଧିକାର ଦେଲା? ଏହି ଅଳିଆ ପାହାଡ଼ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ଆସନ୍ତା ଦୁଇ ମାସ ମଧ୍ୟରେ ଟିଟିସିକୁ ସ୍ଥାନାନ୍ତର କରାଯିବ ବୋଲି ମେୟର ଦାବି କରୁଥିବା ବେଳେ ଏହି ଅଳିଆ ସଫା କରିବା ପାଇଁ ଅତିକମରେ 6 ମାସ ସମୟ ଲାଗିବ ବୋଲି ବିଏମସି କମିସନର କହିଛନ୍ତି। ଆମେ କାହା ଉପରେ ଭରସା କରିବୁ ବୋଲି ବାବୁ ସିଂହ ପ୍ରଶ୍ନ କରିଛନ୍ତି।

ଏହି ଅଞ୍ଚଳରୁ ଟିଟିସିକୁ ସ୍ଥାୟୀ ଭାବେ ହଟାଇବା ପାଇଁ ବିଜେପି ଦାବି କରିବା ସହ ଦାବି ପୂରଣ ନହେଲେ ସତ୍ୟାଗ୍ରହକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି।

ଏବେ ଆମେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରୁଛୁ। ତେବେ ଯଦି ଆମର ଦାବି ତୁରନ୍ତ ପୂରଣ କରାନଯାଏ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇ ଆଇନ ଅମାନ୍ୟ ଅଭିୟାନ ଆରମ୍ଭ କରିବୁ ବୋଲି ବାବୁ ସିଂହ କହିଛନ୍ତି। ସୈନିକ ସ୍କୁଲ ପଛପଟେ ଥିବା ଟିଟିସିରୁ ବାହାରୁଥିବା ଦୁର୍ଗନ୍ଧ ଆଖପାଖ ଅଞ୍ଚଳର ଲୋକଙ୍କ ଦୈନନ୍ଦିନ ଜୀବନକୁ ବିଶେଷ ଭାବେ ବ୍ୟାହତ କରୁଛି। ରୁମାଲରେ ମୁହଁ ନ ଢାଙ୍କି ଦୈନନ୍ଦିନ କାମ ସମ୍ପାଦନ କରିବା ପାଇଁ ସଙ୍ଘର୍ଷ କରୁଛନ୍ତି ବସ୍ତିବାସିନ୍ଦା।

ଡମ୍ପିଂ ୟାର୍ଡରୁ ବାହାରୁଥିବା ଦୁର୍ଗନ୍ଧରେ ମଞ୍ଚେଶ୍ୱର, ଭିଏସ୍ଏସ୍ ନଗର, ସହିଦ ନଗର, ଆଚାର୍ଯ୍ୟ ବିହାର, ଡମଣା, ଚନ୍ଦ୍ରଶେଖରପୁର, ରଙ୍ଗମାଠିଆ ଆଦି ଅଞ୍ଚଳରୁ ଦୁର୍ଗନ୍ଧ ବାହାରୁଛି। ଏହି ସବୁ ଅଞ୍ଚଳରେ ଲଗାତାର ଅଳିଆ ଟ୍ରକ ଚଳାଚଳ କରିବା ଫଳରେ ସହରବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢିବାରେ ଲାଗିଛି।

Leave A Reply

Your email address will not be published.