Latest Odisha News

BREAKING NEWS

ମାଗଣା ଚାଉଳ କ୍ଷୁଧା ନିବାରଣ କିରିଛି କିଛି ମାତ୍ରାରେ, ଦାରିଦ୍ର୍ୟ ଦୂରୀକରଣ କରିପାରିବ ନାହିଁ: କଂଗ୍ରେସ

ଭୁବନେଶ୍ୱର: ଆଜି କେନ୍ଦ୍ର କ୍ୟାବିନେଟ୍ ରେ ୫ ବର୍ଷ ମାଗଣା ଚାଉଳ ଦେବାକୁ ମଞ୍ଜୁରୀ ହୋଇଛି । ଏହି ମାଗଣା ଚାଉଳ ବଣ୍ଟନକୁ ଗୋଟେପଟେ ବିଜେଡି ପରୋକ୍ଷ ଭାବେ ସମର୍ଥନ କରୁଥିବାବେଳେ ଏହାକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟରେ ମାଗଣା ଚାଉଳ ବଣ୍ଟନ ବ୍ୟବସ୍ଥା ହେତୁ କ୍ଷୁଧା ନିବାରଣ କିଛି ମାତ୍ରାରେ ହୋଇଛି ସତ କିନ୍ତୁ ଏହା ଦାରିଦ୍ର‌୍ୟ ଦୂରୀକରଣ କରିପାରିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଏହାସହ ସେ ଓଡ଼ିଶାରେ ଏକ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶାରେ ନବୀନ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରଚାର ଓ ପ୍ରସାର ସଂପୂର୍ଣ୍ଣ ରୂପେ ଭ୍ରମାତ୍ମକ ଏବଂ ଓଡ଼ିଶାରେ ଦାରିଦ୍ର‌୍ୟର ବାସ୍ତବ ଚିତ୍ରକୁ ଘୋଡ଼ାଇ ଦେବାପାଇଁ ଏକ ପ୍ରୟାସ ମାତ୍ର । ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତଥ୍ୟକୁ ଯଦି ଆମେ ଦେଖିବା ସେଥିରୁ ଓଡ଼ିଶାର ଦାରିଦ୍ର‌୍ୟ ସମ୍ବଦ୍ଧରେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ଆଜିର ଦିନରେ ରାଜ୍ୟରେ ରକ୍ତ ହୀନତା ରୋଗର ଶିକାର ହୋଇଥିବା ମହିଳାଙ୍କ ସଂଖ୍ୟା ୬୪.୩ ପ୍ରତିଶତ । ସମାନ ଭାବରେ ୬ ରୁ ୫୯ ମାସ ଶିଶୁ ମାନଙ୍କ କ୍ଷେତ୍ରରେ ରକ୍ତହୀନତାର ରୋଗର ପରିମାଣ ୬୪.୨ ପ୍ରତିଶତ ।

ଆଜିର ଦିନରେ ଅତ୍ୟଧିକ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ୮ ପ୍ରତିଶତ । ୩୦ ପ୍ରତିଶତ ଶିଶୁ କୁପୋଷଣର କ୍ରମାଙ୍କ ସଂଖ୍ୟା ୧ ରୁ ୪ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଅଛନ୍ତି । ରାଜ୍ୟରେ ଶିଶୁ ମୃତ୍ୟୁହାର ସଂଖ୍ୟା ୩୬.୩ ପ୍ରତିଶତ ହୋଇଥିବା ବେଳେ ମାତୃ ମୃତ୍ୟୁହାର କଥା ନକହିବା ଭଲ । ମହିଳା ଏବଂ ଶିଶୁମାନେ ଯଦି ରକ୍ତହୀନତା ଏବଂ କୁପୋଷଣର ଶିକାର ହେଉଛନ୍ତି ତାହାର ମୁଖ୍ୟ କାରଣ ହେଉଛି ଦାରିଦ୍ର‌୍ୟ । ଓଡ଼ିଶାରେ କର୍ମନିଯୁକ୍ତିର ଅଭାବ ଏବଂ ଉତ୍କଟ ବେକାରୀ ହେତୁ ଦାରିଦ୍ର‌୍ୟ ବଢ଼ୁଛି ଏବଂ ଓଡ଼ିଶା ସମଗ୍ର ଭାରତବର୍ଷରେ ବର୍ତ୍ତମାନ ଦରିଦ୍ରତମ ରାଜ୍ୟ ଭିତରେ ଅଷ୍ଟମ ସ୍ଥାନ ଅଧିକାର କରିଛି ।

ସାଧାରଣ ଲୋକ ଓଡ଼ିଶାରେ ଅତ୍ୟଧିକ ଦରଦାମ ବୃଦ୍ଧି ଏବଂ ରୋଜଗାର ନଥିବା ହେତୁ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି । ଦରଦାମ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ବିଜେପି ଏବଂ ରାଜ୍ୟ ବିଜେଡ଼ି ସରକାରଙ୍କ ତରଫରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆନଯିବା ଅତ୍ୟନ୍ତ ପରିତାପର ବିଷୟ । କେନ୍ଦ୍ର ବିଜେପି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାର ଅବସ୍ଥା କହିଲେ ନସରେ ।

କାନୁନଗୋ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ଏକ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦାବି ଉପସ୍ଥାପନ କରିବା ସହିତ ୪୦ ଦିନ ଭିତରେ ତାର ରିପୋର୍ଟକୁ ସାର୍ବଜନୀନ କରିବାପାଇଁ କହିଥିଲେ । ପୂର୍ବରୁ ୨୦୦୨ ମସିହାରେ ଯେଉଁ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଇଥିଲା ଏବଂ ସେ କମିଟିର ରିପୋର୍ଟ ୨୦୦୮ ମସିହାରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା ତାକୁ ଏପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଇନାହିଁ ତାକୁ ନେଇ ସେ ପ୍ରଶ୍ନ କରିଥିଲେ ।

ସେ ଦାବିକରିଥିଲେ ଯେ, ୨୦୦୨-୨୦୦୮ ମସିହା ମଧ୍ୟରେ ତତ୍‌କାଳୀନ ଆଞ୍ଚଳିକ ବୈଷମ୍ୟ କମିଟି ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାକୁ ସାର୍ବଜନୀନ କରିବା ସହିତ ବର୍ତ୍ତମାନ ଆଉ ଗୋଟିଏ କମିଟି ଗଠନ କରି ଓଡ଼ିଶା ଭିତରେ ଜିଲ୍ଲା-ଜିଲ୍ଲା ମଧ୍ୟରେ ଥିବା ବୈଷ୍ୟମତାକୁ ରିପୋର୍ଟ ଆଧାରରେ ଓଡ଼ିଶାବାସୀଙ୍କ ସାମନାରେ ରଖନ୍ତୁ । ଯାହା ଫଳରେ ଓଡ଼ିଶାରେ ଗରିବି ଏବଂ ଦାରିଦ୍ର‌୍ୟର ତାଡ଼ନାରେ ଅହରହ ସଂଗ୍ରାମ କରୁଥିବା ସାଧାରଣ ଲୋକଙ୍କର ପ୍ରକୃତ ଚିତ୍ର ସାମନାକୁ ଆସିବ ଏବଂ ରାଜ୍ୟ ସରକାରଙ୍କର ମିଛି ଦାବି ସଂପର୍କରେ ମଧ୍ୟ ଜଣାପଡ଼ିବ ।

Leave A Reply

Your email address will not be published.