ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ଓ ସାଇବର୍ ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଡିଜିଟାଲ ଗିରଫ ଠକେଇ ଉପରେ କଟକଣା ଜାରି କରି ଗୃହ ମନ୍ତ୍ରଣାଳୟ (MHA) ୧୭ ହଜାରରୁ ଅଧିକ ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ କରିଛି। ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍ ଆରେଷ୍ଟ ଏବଂ ସାଇବର ଠକେଇ ମାମଲା ସହିତ ଜଡିତ ଥିଲା ବୋଲି କୁହାଯାଉଛି।
ସୂଚନାନୁସାରେ, ଏହି ଖାତାଗୁଡ଼ିକ ମଧ୍ୟରୁ ଅଧିକାଂଶ କାମ୍ବୋଡିଆ, ମିଆଁମାର, ଲାଓସ୍ ଏବଂ ଥାଇଲ୍ୟାଣ୍ଡ ଭଳି ଦେଶରେ ଚିହ୍ନିତ ହୋଇଥିଲା ଯେଉଁଠାରେ ସାଇବର ଠକେଇ ପାଇଁ ସେମାନଙ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏଥିସହ ଗୃହ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଏହି କମିଟି ଉପରେ ନଜର ରଖିଛନ୍ତି। ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ ୭୦୯ଟି ମୋବାଇଲ୍ ଆପ୍କୁ ମଧ୍ୟ ବ୍ଲକ୍ କରିଦେଇଛି।
ଗୃହ ମନ୍ତ୍ରଣାଳୟର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଦ୍ୱାରା ନିଆଯାଇଥିବା ଏହି କାର୍ଯ୍ୟ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ପୀଡିତଙ୍କ ଅଭିଯୋଗ ଉପରେ ଆଧାରିତ। ଗୃହ ମନ୍ତ୍ରଣାଳୟ ଅଭିଯୋଗର ସମୀକ୍ଷା କରିଛି, ସନ୍ଦେହଜନକ ଆକାଉଣ୍ଟକୁ ଫ୍ଲାଗ୍ କରିଛି ଏବଂ ଏହାକୁ ବ୍ଲକ୍ କରିବାକୁ ହ୍ୱାଟସ୍ ଆପ୍କୁ ନିର୍ଦ୍ଦେଶ ଦେଇଛି।
ସୂଚନା ମୁତାବକ ଚଳିତ ବର୍ଷ ୬ ହଜାରରୁ ଅଧିକ ଡିଜିଟାଲ ଆରେଷ୍ଟ ମାମଲା ରୁଜୁ ହୋଇଛି। ସାଇବର ଠକେଇ ଏବଂ ଡିଜିଟାଲ ଆରେଷ୍ଟ ଘଟଣାରେ ୬ ଲକ୍ଷ ମୋବାଇଲ୍ ଫୋନ୍ ଜଡିତ ଥିବା ଜଣାପଡିଛି। ଏପରି ଅପରାଧକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆଗାମୀ ଦିନରେ ଅଧିକ କଠୋର ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି।
Comments are closed.