Latest Odisha News

BREAKING NEWS

ପାକିସ୍ତାନରେ ଭୂମିକମ୍ପ ବେଳେ ଜେଲରୁ ଫେରାର ୨୦୦ରୁ ଅଧିକ କଏଦୀ 

କରାଚୀ: ପାକିସ୍ତାନର କରାଚୀ ସହରର ଏକ ଉଚ୍ଚ ସୁରକ୍ଷା ବିଶିଷ୍ଟ ଜେଲରୁ ୨୦୦ରୁ ଅଧିକ କଏଦୀ ଫେରାର ହୋଇଯାଇଛନ୍ତି। ମଙ୍ଗଳବାର ଦିନ ଜଣେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସିନ୍ଧ ଗୃହମନ୍ତ୍ରୀ ଜିଆ-ଉଲ ହାସନ ଲାଞ୍ଜର କହିଛନ୍ତି ଯେ ଯଦି କଏଦୀମାନେ ସ୍ୱେଚ୍ଛାକୃତ ଭାବରେ ଫେରିଆସନ୍ତି, ତେବେ ସରକାର ସେମାନଙ୍କ ଦଣ୍ଡ ହ୍ରାସ କରିବା ବିଷୟରେ ବିଚାର କରିବେ। ପୋଲିସ ଦ୍ୱାରା ଧରାପଡ଼ିଥିବା କଏଦୀଙ୍କ ବିରୁଦ୍ଧରେ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସୋମବାର ଏଠାରେ ତିନୋଟି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏପରି ପରିସ୍ଥିତିରେ କଏଦୀମାନଙ୍କୁ ବାରାକରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ କଏଦୀମାନେ ପୋଲିସ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ମାଲିର ଜିଲ୍ଲା ଜେଲରୁ ୨୧୬ ଜଣ କଏଦୀ ପଳାଇ ଯାଇଥିଲେ। ଯେଉଁଥିରୁ ୨୪ ଘଣ୍ଟା ମଧ୍ୟରେ ୭୮ କଏଦୀ ଧରାପଡ଼ିଥିଲେ।

ତେବେ କଏଦୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିଂସାତ୍ମକ ଘଟଣାରେ ଏକ ଡଜନରୁ ଅଧିକ ପୋଲିସ ଏବଂ କଏଦୀ ଆହତ ହୋଇଛନ୍ତି। ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ଜଣେ କଏଦୀଙ୍କୁ ଗୁଳିମାଡ କରାଯାଇଥିଲା। ଯେଉଁଥିରେ ତାର ମୃତ୍ୟୁ ଘଟିଥିଲା।

 

Comments are closed.