ଭୁବନେଶ୍ୱର: ଏମ୍ସ ରାସ୍ତା ଅବରୋଧ ଯୋଗୁଁ ଅନେକ ସମୟରେ ରୋଗୀ ଓ ସଂପର୍କୀୟମାନେ ଯାତାୟାତରେ ଅସୁବିଧା ହେଉଥିଲା, ଏପରିକି ଆମ୍ବୁଲାନ୍ସ ଯିବା ବେଳେ ମଧ୍ୟ ବହୁ ସମସ୍ଯା ଭୋଗୁଥିଲେ ରୋଗୀ ଓ ସମ୍ପର୍କୀୟ। ଏଥିପାଇଁ ବୁଧବାର ଏମ୍ସ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)।
ଉଚ୍ଛେଦ ଆରମ୍ଭରୁ ବିରୋଧ ସତ୍ତ୍ବେ ଜାତୀୟ ରାଜପଥରୁ ଏମ୍ସ ପର୍ଯ୍ଯନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ଥିବା ଜବରଦଖଲକୁ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ହଟାଇଛି। ଦୈନିକ ରାଜ୍ଯ ଓ ରାଜ୍ଯ ବାହାରୁ ଏଠାକୁ ହଜାର ହଜାର ରୋଗୀ ଓ ତାଙ୍କ ସଂପର୍କୀୟମାନେ ଏମ୍ସ ଆସୁଛନ୍ତି। ତେଣୁ ରୋଗୀ, ସଂପର୍କୀୟ ଓ ସାଧାରଣ ଲୋକଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନହୁଏ, ତାହାକୁ ଦୃଷ୍ଟିରେ ରଖି ବିଡିଏ ଓ ଭୁବନେଶ୍ଵର ନଗର ନିଗମ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ଯ କରାଯାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୨୪୭ କବାଡିଆ, ଆଜବେଷ୍ଟସ ଦୋକାନ, କ୍ଯାବିନ, ହୋଟେଲ ଓ ଗ୍ଯାରେଜ ଉଚ୍ଛେଦ କରାଯାଇଛି।
ପ୍ରାୟ ୨ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୁରୁଷ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ସମୟରେ ବିଏମସି ଦକ୍ଷିଣ-ପଶ୍ଚିମ ଜୋନର ଡେପୁଟି କମିଶନର ରାକେଶ କୁମାର ପାତ୍ର, ବିଡିଏ ଏନଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିଲେ। ସେହିଭଳି ଦ୍ୱିତୀୟ ଉଚ୍ଛେଦଟି ପଟିଆ ମୌଜାରେ ହୋଇଥିଲା। ଏହି ଉଚ୍ଛେଦ ସମୟରେ ୩ଟି ଆଜବେଷ୍ଟସ ଘର, ୫୦ ଫୁଟ ଲମ୍ବର ପାଚେରୀ ଭଙ୍ଗାଯାଇଛି। ପ୍ରାୟ ୧୦୦ ଡିସିମିଲ ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି।