Latest Odisha News

ଅଧା ଓଡିଶାରେ ପ୍ରକୃତି ପ୍ରହାର

ଭୁବନେଶ୍ବର: ଧୋଇ ଅଞ୍ଚଳରେ ମରୁଡି ତ ଶୁଖିଲା ଅଞ୍ଚଳରେ ବନ୍ୟା। ପ୍ରକୃତିର ଅଭିଶାପରେ ଥରହର ହେଲାଣି ଓଡିଶା। କେତେବେଳେ ବାତ୍ୟା ତ କେତେବେଳେ ବନ୍ୟା, ରାଜ୍ୟରେ ବଢିବାରେ ଲାଗିଛି ପ୍ରାକୃତିକ ବିପର୍ଯ୍ୟୟର ଗ୍ରାଫ। ଓଡିଶାର ୬୦ପ୍ରତିଶତ ଜିଲ୍ଲାରେ ପ୍ରକୃତିର ଚରମ ପ୍ରଭାବ ଦେଖିବାକୁ ମିଳୁଛି। ଆଇପିଇ ଗ୍ଲୋବାଲ ଓ ଏସରି ଇଣ୍ଡିଆ ପକ୍ଷରୁ କରାଯାଇଥିବା ଷ୍ଟଡିରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ୧୯୭୩ରୁ ୨୦୨୩ ମସିହା ୫୦ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟଣାକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ବିପର୍ଯ୍ୟୟ ବଢିଛି ପାଞ୍ଚ ଗୁଣା

ଗତ ୧୦ବର୍ଷ ମଧ୍ୟରେ କେବଳ ଚରମ ପ୍ରାକୃତିକ ପ୍ରଭାବ ପାଞ୍ଚ ଗୁଣା ବଢିଛି। ସେହିପରି ବନ୍ୟା ବିପର୍ଯ୍ୟୟ ୪ଗୁଣା ବଢିଛି। ପୂର୍ବ ଭାରତର ବିଭିନ୍ନ ଅଞ୍ଚଳ ବନ୍ୟା ବିପର୍ଯ୍ୟୟର ସର୍ବାଧିକ ସାମନା କରୁଛନ୍ତି। ଏହା ପଛକୁ ରହିଛି ଉତ୍ତରପୂର୍ବ ଓ ଦକ୍ଷିଣ ଭାରତ। ବନ୍ୟା ସହ ବଢିଛି ମରୁଡି ଓ ବାତ୍ୟା। ମରୁଡି ଦୁଇଗୁଣା ବଢିଥିବା ବେଳେ ବାତ୍ୟା ଚାରିଗୁଣା ବଢିଛି।

୧୦ରୁ ୯ଜଣଙ୍କ ଉପରେ ପ୍ରକୃତି ପ୍ରହାର

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଦେଶର ୧୦ରୁ ୯ଜଣ ନାଗରିକ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛନ୍ତି। ପ୍ରକୃତିର ପ୍ରହାର ଯୋଗୁଁ ଗତ ଶତାବ୍ଦୀ ଅପେକ୍ଷା ୦.୬ ଡିଗ୍ରୀ ବଢିଛି। ନିକଟରେ କେରଳରେ ହୋଇଥିବା ଭୂସ୍ଖଳନ ହେଉ କିମ୍ବା ଗୁଜରାଟର ବନ୍ୟା କିମ୍ବା ଅଚାନକ ବର୍ଷାରେ ଜଳମଗ୍ନ ହେଉଥିବା ସହର। ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପ ଦେଖି ସାରିଲାଣି ମାନବ ସମାଜ। ରିପୋର୍ଟ ଅନୁସାରେ ୨୦୩୬ ସୁଦ୍ଧା ୧୪୭କୋଟିରୁ ଅଧିକ ଭାରତୀୟ ପ୍ରକୃତିର ଚରମ ରୂପକୁ ଅଙ୍ଗେ ନିଭେଇବେ।

ବଦଳୁଛି ବିପର୍ଯ୍ୟୟର ରୂପ

୪୫ପ୍ରତିଶତରୁ ଅଧିକ ଜିଲ୍ଲାରେ ବଦଳୁଛି ବିପର୍ଯ୍ୟୟର ରୂପ। ବନ୍ୟା ପ୍ରବଣ ଅଞ୍ଚଳରେ ମରୁଡି ସ୍ଥିତି ଦେଖାଦେଲାଣି। ବନ୍ୟାଞ୍ଚଳରୁ ମରୁଡି ଅଞ୍ଚଳକୁ ବଦଳିଥିବା ଜିଲ୍ଲା ସଂଖ୍ୟା ମରୁଡିରୁ ବନ୍ୟାଞ୍ଚଳ ପାଲଟିଥିବା ଅଞ୍ଚଳଠାରୁ ବଢିଗଲାଣି। ବର୍ଷକୁ ବର୍ଷ  ତାପମାତ୍ରା ବୃଦ୍ଧି ଜୀବନ, ଜୀବିକା ଓ ଭିତ୍ତିଭୂମି ଉପରେ ପ୍ରଭାବ ପକାଉଛି। ପ୍ରକୃତିର କୋପ ଦିନକୁ ଦିନ ଅଚାନକ ଓ ଭୀଷଣ ହେଉଛି। କିଛି କେହି ଜାଣିବା ଆଗରୁ ମୃତ୍ୟୁଦୂତ ସାଜି ଦୁଆର ମୁହଁରେ ପହଞ୍ଚି ଯାଉଛି ବିପର୍ଯ୍ୟୟ। ତେଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସ୍ବତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିବା  କରିବାର ସମୟ ଆସିଛି।

Comments are closed.