ନୂଆପଡା: ପ୍ରାକୃତିକ ମନୋରମ ଦୃଶ୍ୟ ରେ ଭରପୁର ନୂଆପଡାର ସୁନାବେଡା ଅଭୟାରଣ୍ୟ । ସାଢ଼େ ୩ ହଜାର ବର୍ଗଫୁଟ ଉଚ୍ଚ ଏହି ଅଭୟାରଣ୍ୟରେ ପୂଜା ପାଆନ୍ତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈ । ପ୍ରତିବର୍ଷ ଖୁବ ଧୁମଧାମରେ ପାଳିତ ହୁଏ ପ୍ରସିଦ୍ଧ ସୁନା ଦେଈଙ୍କ ଛତର ଯାତ୍ରା । ଯେଉଁଠି ସାମିଲ ହୁଅନ୍ତି ଚକୋଟିଆ ଭୁଞ୍ଜିଆ ପହରିଆ ସମ୍ପ୍ରଦାୟର ଆଦିମ ଜନଜାତିଙ୍କ ସହ ଲକ୍ଷ୍ୟାଧିକ ଭକ୍ତ। ମାଁ ଙ୍କ ଛତର ଯାତ୍ରା ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ରହିଛି ବିଶ୍ବାସ ।
ସୁନାଦେଈଙ୍କ ଛତର ଯାତ୍ରା ପରମ୍ପରା ଅନୁଯାୟୀ ଛାତ୍ରୀଆ, ବାଡିବାଲା, ବାଜାବାଲା, ଶୀରା, ଝାଙ୍କର ସେବାୟତ ଗହଣରେ ସମ୍ପନ୍ନ ହୋଇଛି ମା’ ଙ୍କ ଛତର ଯାତ୍ରା । ଶ୍ରଦ୍ଧାଳୁଙ୍କ ସମାଗମରେ ସୁନାବେଡ଼ା ଅଭୟାରଣ୍ୟ ଜନ ସମୁଦ୍ର ହୋଇ ଉଠିଥିଲା । ୮୪ଖଣ୍ଡ ଟିକ୍ରୀକୁ ମା’ ଙ୍କ ଛତର ଭ୍ରମଣ କରି ଘରେ ଘରେ ପୂଜାପାଇବା ପରେ ବୋଦା ବଳି ଦିଆଯାଇଥାଏ । ବର୍ଷକୁ ମାଁ ସୁନାଦେଇଙ୍କ ଦୁଇ ଥର ପୂଜା ଉତ୍ସବ ହୋଇଥାଏ । ପ୍ରଥମେ ଚୈତ୍ର ମାସରେ ଚୈତ୍ରପର୍ବ, ଦ୍ଵିତୀୟରେ ଆଶ୍ବିନ ମାସରେ ବହୁ ପ୍ରସିଦ୍ଧ ଛତର ଯାତ୍ରା ପାଳିତ ହୋଇଥାଏ । ମା ସୁନାଦେଈଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ଯାତ୍ରା ସମ୍ପନ୍ନ ନହେବା ଯାଏ ଗାଁ ରେ ବିବାହ, ବ୍ରତ, ଆଦି ଯାନିଯାତ୍ରା ଶୁଭାରମ୍ଭ ହୋଇ ନଥାଏ ।
ବ୍ୟତିକ୍ରମ କଲେ ପରିବାର ମଧ୍ୟରେ ବିପଦ ପଡିଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି । ସେହିଭଳି ୮୪ ଟିକ୍ରୀର ଲୋକେ କୌଣସି ଲଘୁ ବନଜାତ ଦ୍ରବ୍ୟକୁ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ମା’ ଙ୍କ ଛତର ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ଅଗାଢ ବିଶ୍ବାସ ରହିଛି । ମାଁ ଙ୍କ କୃପାରୁ ହଜାର ହଜାର ଗାଡି ମୋଟର ବଣ ପାହାଡ଼ ଘେରା ରାସ୍ତା ଦେଇ ଯିବା ଆସିବା କରିଥିଲେ ମଧ୍ୟ କୌଣସି ଲୋକଙ୍କ କୌଣସି ଅସୁବିଧା ହୋଇନଥାଏ । ସମସ୍ତ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ପ୍ରତିବର୍ଷ ଏଠାରେ ଭିଡ଼ ଜମିବାରେ ଲାଗିଛି ।
Comments are closed.