ଭୁବନେଶ୍ବର: ପୁଣି ଗୋଟିଏ ଦିନରେ ୨ଟି ଗୁରୁତ୍ବପୂର୍ଣ ପରୀକ୍ଷା । ଆସନ୍ତା ଏପ୍ରିଲ୍ ୨୨ରେ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ମେନ୍ ଏବଂ ରେଳବାଇ ଜେଇ ପରୀକ୍ଷା । ଯାହାକୁ ନେଇ ଏବେ ଚିନ୍ତାରେ ପରୀକ୍ଷାର୍ଥୀ । କରିବେ କ’ଣ, ଗୋଟିଏ ଦିନରେ ଦୁଇଟି ପରୀକ୍ଷା ପଡିଥିବା ବେଳେ, ନିହାତି ଗୋଟିଏ ପରୀକ୍ଷା ଦେବାରୁ ସେମାନେ ବଞ୍ଚିତ ରହିବେ । ଆଉ ଦୁଇଟି ପରୀକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଯେଉଁ ପରୀକ୍ଷାର୍ଥୀମାନେ ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି କରିଛନ୍ତି, ସେମାନେ ଏବେ ଦ୍ବନ୍ଦ୍ବରେ ପଡିଛନ୍ତି ।
ଓଡ଼ିଶା ସିଭିଲ୍ ସର୍ଭିସ୍-୨୦୨୩ର ମୁଖ୍ୟ ପରୀକ୍ଷା ଏପ୍ରିଲ୍ ୨୨ ତାରିଖରେ ହେଉଥିବା ବେଳେ, ଠିକ୍ ସେହି ଦିନ ରେଳବାଇ ପକ୍ଷରୁ କନିଷ୍ଠ ଇଞ୍ଜିନିୟର(ଜେଇ) ପଦ ଲାଗି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୨୩ ପାଇଁ ଗତ ମାର୍ଚ୍ଚ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଯେଉଁଥିରେ ଆସନ୍ତା ଏପ୍ରିଲ୍ ୧୯, ୨୦, ୨୨,୨୪ ଏପ୍ରିଲ ୨୭ରେ ପରୀକ୍ଷା କରାଯିବା ନେଇ ସୂଚନା ଜାରି ହୋଇଛି । ଯେଉଁଥିରେ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । କିନ୍ତୁ କନିଷ୍ଠ ଇଞ୍ଜିନିୟର (ଜେଇ) ପଦ ଲାଗି (ଆରଆରବି) ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଗତ ଫେବ୍ରୁଆରୀ ୧୮ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଏପ୍ରିଲ୍ ୧୯ ଏବଂ ୨୦ ତାରିଖ ଦୁଇଦିନ ଧରି କରାଯିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇ, ଏହା ଆସନ୍ତା ଏପ୍ରିଲ ୨୨ ତାରିଖରେ ଆୟୋଜିତ ହେବ ।
ତେବେ ପର୍ବରୁ ମଧ୍ୟ ଏଭଳି ସ୍ଥିତି ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ କାରଣରୁ ଏହାକୁ ପରିବର୍ତ୍ତନ କରାଯାଇଛି । ଯାହାକୁ ନେଇ ଏଥିରେ ମଧ୍ୟ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।
Comments are closed.