Latest Odisha News

ପାଟଅଗଣାର ଡାକ-୧

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” 

ମହାପ୍ରଭୁଙ୍କ ଡୋରୀ ଲାଗିଲେ କାହିଁ କେଉଁ ପ୍ରାନ୍ତରୁ ଟାଣିହେଇ ଆସନ୍ତି ଭକ୍ତମାନେ । କରୁଣା ହେଲେ ଦର୍ଶନ ମିଳେ, ଦର୍ଶନ ନମିଳିଲେ ବି ଭାବବନ୍ଧନ ଅତୁଟ ରହେ । କିଏ ଗହଳି ଭିତରେ କାଳିଆ ସାଆନ୍ତଙ୍କ ଗୋଟିଏ ଆଖି ମାତ୍ର ଦର୍ଶନ କରି ଫେରନ୍ତି ତ ପୁଣି କିଏ ସିଂହଦ୍ୱାର ଗୁମୁଟ ଭିତରେ ପତିତପାବନ ଅଥବା କଳ୍ପବଟ ନିକଟରେ ବଟଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଯାଆନ୍ତି । ଯିଏ ଗହଳି ଭିତରେ ଭିତରକାଠ ପର୍ଯ୍ୟନ୍ତ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଏ ସେ ନିଜକୁ ଭାଗ୍ୟବାନ ମଣେ ।

ଠାକୁରଙ୍କ ଦର୍ଶନ ସହିତ ଶ୍ରୀମନ୍ଦିରର ଅନ୍ୟ ମୁଖ୍ୟ ଅଂଶଗୁଡ଼ିକର ଆକର୍ଷଣ ମଧ୍ୟ କିଛି କମ୍ ନୁହେଁ । କାହାକୁ ବାଇଶି ପାହାଚ ଡାକେ ତ କାହାକୁ ନିଶାତଳ, ପୁଣି କାହାକୁ ଆନନ୍ଦ ବଜାର ଡାକେ ତ ଆଉ କାହାକୁ ପାଟ ଅଗଣା ଯାହାର ଅନ୍ୟ ନାମ କୁର୍ମବେଢ଼ା ବା ଭିତରବେଢ଼ା । ଏମିତି କେତେ ଭକ୍ତ କାଳିଆକୁ ଝୁରୁଥାଆନ୍ତି, ଶ୍ରୀକ୍ଷେତ୍ରକୁ ଆସିବାର ସ୍ୱପ୍ନ ଦେଖନ୍ତି, ଦୂରଦର୍ଶନ, ଖବରକାଗଜରୁ ମହାପ୍ରଭୁଙ୍କ ମହିମା ବିଷୟରେ ସବୁ ଖବର ରଖିଥାନ୍ତି । ବିିଭିନ୍ନ ବହି ପଢ଼ି କ୍ଷେତ୍ରର ମାହାତ୍ମ୍ୟ ବିଷୟରେ ଅବଗତ ଥାଆନ୍ତି ଆଉ ଡୋରି ନଲାଗିବା ପର୍ଯ୍ୟନ୍ତ ଦର୍ଶନ ପାଇଁ ଅପେକ୍ଷା କରି ରହିଥାନ୍ତି ।

ଏମିତି ଜଣେ ଭକ୍ତଙ୍କୁ କାଳିଆ ସାଆନ୍ତଙ୍କ ଡୋରି ଲାଗିଲା ଆଉ ସେ ଚାଲିଆସି ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ପତିତପାବନ ଓ ବାମରେ ଫତେ ମହାବୀରଙ୍କ ଦର୍ଶନ କରି ବାଇଶି ପାହାଚ ଚଢ଼ି କାରୁକାର୍ଯ୍ୟ ମଣ୍ଡିତ ଗୁମୁଟ ମଧ୍ୟ ଦେଇ ପହଞ୍ଚନ୍ତି ଆହୁରି ଅଧିକ ସୂକ୍ଷ୍ମ କାରିଗରୀ ଖଚିତ ଏକ ବିଶାଳ ପ୍ରାଚୀର ସମ୍ମୁଖରେ । ସେ କାରିଗରୀର ନିପୁଣତାରେ ନିମଗ୍ନ ହୋଇ ଉତ୍କଳୀୟ ଭାସ୍କର୍ଯ୍ୟ କଳାକୁ ଉପଭୋଗ କରି ମନେ ମନେ ଗର୍ବିତ ହୁଅନ୍ତି । ଭୋଗ ମଣ୍ଡପର ଢାଉ ରଙ୍ଗବୋଳା ସୂକ୍ଷ୍ମକଳା ବିମଣ୍ଡିତ ପୂର୍ବପଟର ପ୍ରାଚୀରର ମଧ୍ୟ ଭାଗରେ ସୁସଜ୍ଜିତ ଦ୍ୱାରବନ୍ଧ ଆଉ ଦୁଇ ପାଶ୍ୱର କାନ୍ଥରେ ବିପୁଳ କୁଟିକମ ଖଚିତ ଭାସ୍କର୍ଯ୍ୟ ସମୁହ ମଧ୍ୟରେ ସମବ୍ୟବଧାନ ରଖି ଉଭୟ ପାଶ୍ୱର୍ରେ ଚାରିଗୋଟି ଲେଖାଏଁ କଳା ମୁଗୁନି ପଥର ନିର୍ମିତ ଚିତାକର୍ଷକ ମୂର୍ତ୍ତି ତାଙ୍କୁ କିଛି ସମୟ ମୁଗ୍ଧ କରି ବାନ୍ଧି ରଖିଲା । ସେଠାରେ ସେ ଦୁଇ ପାଶ୍ୱର୍ରେ ଖୋଲା ସ୍ଥାନ ଦେଖି କୋଉ ବାଟ ଦେଇ ଦର୍ଶନ କରିବାକୁ ଯିବେ ବୋଲି ଦଣ୍ଡେ ଭାବିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମ କରି ଶ୍ରୀମନ୍ଦିର ଭିତରକୁ ଆସିଥିବା ଭକ୍ତମାନେ ବାଉଳା ହେବା ସ୍ୱାଭାବିକ । କାରଣ ସେ ଉଭୟ ପାଶ୍ୱର୍ରେ ପ୍ରଶସ୍ତ ଖୋଲା ସ୍ଥାନ ଦେଖି ବାଟବଣା ହେଇଥାନ୍ତି ।

ଦେଉଳିଆ ପଣ୍ଡାମାନେ ଏହିଠାରେ ସତେ ଯେମିତି ତାଙ୍କୁ ସହାୟତା କରିବା ପାଇଁ ଅପେକ୍ଷା କରିରହିଥାନ୍ତି । ସେ ଏବେ କାହାର ସାହାଯ୍ୟ ନନେଇ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସ୍ଥିର କଲେ । କୌଣସି ଏକ ‘ଶ୍ରୀମନ୍ଦିର ଦର୍ଶନ ବିଧି’ ସମ୍ବଳିତ ପୁସ୍ତକରେ ଥିବା ସୂଚନା ମନେ ପକାଇ ସେହି ଅନୁସାରେ ସେ ଜାଣିଲେ ଯେ ଏହା ସେହି ସ୍ଥାନ ଯାହାକୁ ପାଟ ଅଗଣା କୁହାଯାଏ । ସମଗ୍ର କୁର୍ମବେଢ଼ା ପରିସରର ମଧ୍ୟ ଭାଗରେ ପ୍ରକାଣ୍ଡ ଶ୍ରୀବତ୍ସଖଣ୍ଡଶାଳ ଓ କୁର୍ମବେଢ଼ା ପାଚେରୀ ସଂଲଗ୍ନ ବିଭିନ୍ନ ଦେବଦେବୀଙ୍କ ମନ୍ଦିର, ଅନେକ ସରଘର, କଳ୍ପବଟ, ମୁକ୍ତି ମଣ୍ଡପ ଆଦି ବ୍ୟତିତ ଯେଉଁ ଖୋଲା ସ୍ଥାନ ତାହା ହିଁ ପାଟ ଅଗଣା ନାମରେ ଖ୍ୟାତ । ଆକାରରେ ପ୍ରଶସ୍ତ, ଚଟାଣରେ ଶକ୍ତ
ସାହାଣ ପଥର ଖଚିତ ତଥା ମୁକ୍ତାକାଶ ତଳେ ବିଦ୍ୟମାନ ।

ଏବେ ଭକ୍ତ ଜଣକ ପୋଥି ପ୍ରଦତ୍ତ ସୂଚନା ଆଧାରରେ ବାମ ପାଶ୍ୱର୍କୁ ଆଗେଇଲେ । ଛେକବୁହା ଅଳିନ୍ଦ ଅତିକ୍ରମ କଲା ପୂର୍ବରୁ ବାମ ପାଶ୍ୱର୍ରେ ଅଗ୍ନିଶ୍ୱର ମହାଦେବଙ୍କୁ ଦର୍ଶନ କଲେ । ଯୋଗକୁ ଛେକ ବୁହା ରାସ୍ତାର ଧଡ଼ା ପଡ଼ିନଥିଲା ନଚେତ୍‌ ବ୍ୟତିକ୍ରମ । ସମ୍ମୁଖରେ ଶ୍ରୀ ସତ୍ୟନାରାୟଣଙ୍କ ଭବ୍ୟ ମୂର୍ତ୍ତିଙ୍କୁ ଦର୍ଶନ କରି ତାଙ୍କୁ ଲାଗିଲା ଏ ମୂତ୍ତି କୌଣସି ସ୍ଥାନରୁ ସ୍ଥାନାନ୍ତରିତ ହୋଇଛନ୍ତି । ଯଦି ମନ୍ଦିରକୁ ନେଇ ବିଗ୍ରହ ବା ବିଗ୍ରହକୁ ନେଇ ମନ୍ଦିର ତେବେ ଏ ଦୀର୍ଘ ମୂର୍ତ୍ତି ପାଇଁ ଏ କ୍ଷୁଦ୍ର ମନ୍ଦିର ପ୍ରଯୁଜ୍ୟ ନୁହେଁ । ପୁଣି ସେ ଆଗେଇଲେ । ସାମ୍ନାରେ ସାମାନ୍ୟ ଡାହାଣକୁ ସମଗ୍ର ଦେଉଳର ପ୍ରକାଣ୍ଡ ରୂପ ଦେଖି ନୀଳଚକ୍ର ଆଡ଼କୁ ଚାହିଁ ତାଙ୍କ ହାତ ଦୁଇଟି ଆପଣାଛାଏଁ ଉପରକୁ ଯୋଡ଼ି ହେଇଗଲା । ସେ ଅଭିଭୂତ ହେଲେ । ଏ ସେଇ ମନ୍ଦିର ଯାହା ସେ ଫଟୋରେ ଅନେକ ଥର ଦେଖିଛନ୍ତି । ଆଜି ଏତେ ପାଖରୁ ଦେଖି ତାଙ୍କ ମନରେ ଶିହରଣ ଜାତ ହେଲା । ସେ ନିଜ ଜୀବନକୁ ଧନ୍ୟ ମନେ କଲେ ।

ଏହା ପରେ ସେ ବାମ ଆଡ଼କୁ ଚାହିଁ ଦେଖିଲେ କଳ୍ପବଟର ପ୍ରତ୍ୟକ୍ଷ ରୂପ । କଳ୍ପବଟର ପ୍ରାଚୀନତା କଳିବା କଷ୍ଟ । ଦେଉଳ ତୋଳା ହେବା ପୂର୍ବରୁ ଏହା ଏହିଠାରେ ଏମିତି ଶାଖା ପ୍ରଶାଖା ମେଲି ରହିଛି । ତା’ ପାଖକୁ ଯାଇ ଦେଖିଲେ କେତେ ଲୋକଙ୍କର ଆଶା ଆକାଂକ୍ଷା, ମାନସିକ ଭାବେ ଗୋଡ଼ିଟିଏ ହୋଇ ସୂତାଖିଆରେ ଝୁଲିଛି । ଶହ ଶହ ଲୋକଙ୍କର ସେହି ଭରଷାର ଭାରରେ ନଇଁଯାଇନି କଳ୍ପବୃକ୍ଷ । ବନ୍ଧ୍ୟା ମାଇପିଏ କାନିପାରି ବସନ୍ତି ଏହାର ଛାଇରେ । ଯଦି ଫଳଟିଏ ଖସି ପଡ଼ିବ ପଣତ କାନିରେ, ବନ୍ଧ୍ୟା ଦୋଷରୁ ତ୍ରାହି ମିଳିବ ଅବା! କେତେ ମହାବାତ୍ୟା, ଝଡ଼ ତୋଫାନର ମୁକସାକ୍ଷୀ ଏଇ କଳ୍ପବଟ । ଛୋଟ ଦୁର୍ବଳ ଡାଳ ସହିତ ପତ୍ର ସବୁ ଝଡ଼ିଯାଇଛି, ଆଉ ପୁଣି କଅଁଳିଛି । ହାଲରେ ୨୦୧୯ ମଇ ତିନି ତାରିଖ ‘ଫନି’ ବାତ୍ୟାରେ ଶଗଡ଼ ପ୍ରମାଣେ ଡାଳ ପତର ଝଡ଼ି ପଡ଼ିଥିଲା ତଳେ । କେତେ ଭକ୍ତ ଡାଳ ସବୁକୁ ମୁଣ୍ଡରେ ଲଗେଇ କୋଉଠି ପୋତିବେ ବୋଲି ନେଇଗଲେ । ଚେର ଲାଗିଲା କି ନାହିଁ କିଏ ଜାଣେ!

କଳ୍ପବଟ ପ୍ରତି ତାଙ୍କ ମନରେ ଶ୍ରଦ୍ଧାଭାବ ଜାଗି ଉଠିଲା । କେତେ ଘଟଣା ଦୂର୍ଘଟଣାର ନିରବ ସାକ୍ଷୀ ଏହି କଳ୍ପବଟ, କାହିଁ କେତେକାଳରୁ ଶାଖାପ୍ରଶାଖା ମେଲି ରହିଛି ଏହି ପବିତ୍ର ସ୍ଥାନରେ । ଅନ୍ୟପକ୍ଷରେ କ୍ଷେତ୍ରର ପ୍ରାଚୀନତା, ପବିତ୍ରତା ପ୍ରମାଣିତ ହେବା ପଛରେ କଳ୍ପବଟ ନୁହେଁ କି ଅନ୍ୟତମ ବଳିଷ୍ଠ ଉପାଦାନ! ସେ ଏବେ ବଟଗଣେଶଙ୍କୁ ପ୍ରଣାମ କରି ବାହନ ଚିକ୍କଣ ପଥର ମୂଷା ପିଠିରେ ଟିକେ ହାତ ବୁଲାଇ
ଆଣିଲେ । ତାଙ୍କର ମନପଡ଼ିଲା ଏହି ବଟଗଣେଶଙ୍କ ପାଖରେ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ଅତିବଡ଼ୀ ଜଗନ୍ନାଥ ଦାସ ପୋଲାଙ୍ଗ ତେଲରେ ଦୀପ ଜାଳି ଲୋକଙ୍କୁ ସ୍ୱଲିଖିତ ଭାଗବତ ବାଣୀ ଶୁଣାଉ ଥିଲେ । ଆହା! କେତେ ମହିମାମୟ ଏ ସ୍ଥାନ! ସେ ନଇଁପଡ଼ି
ଚଟାଣକୁ ଛୁଇଁ ପ୍ରଣିପାତ କେଲେ । ଆହୁରି ମନେ ପଡ଼ିଲା ଏହି ସ୍ଥାନରେ ଶ୍ରୀଚୈତନ୍ୟଙ୍କ ସହିତ ଅତିବଡ଼ୀଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ସାକ୍ଷାତ ତ ନୁହେଁ, ମହାମିଳନ । ଦୁହେଁ ଭାବ ସମୁଦ୍ରରେ ଏମିତି ମଜ୍ଜି ଯାଇଥିଲେ ଯେ ପରସ୍ପରକୁ ଆଲିଙ୍ଗନରେ
କେତେ ଘଣ୍ଟା ଧରି ବାନ୍ଧି ରଖିଲେ । ଦୁଇ ମହାନ ଆତ୍ମା ସେହି ଆଲିଙ୍ଗନ ମଧ୍ୟରେ ଏକ ଆରେକକୁ ବୁଝି ପାରିଲେ । ସେହି ଦେହ ସ୍ପର୍ଶ ଅବଧିରେ ଭାବର ଆଦାନ ପ୍ରଦାନ ସୂକ୍ଷ୍ମ ସ୍ତରରେ ସମାହିତ ହୋଇଗଲା । ଶ୍ରୀଚୈତନ୍ୟ ଅତିବଡ଼ି ଆଖ୍ୟା ପ୍ରଦାନ କରିଥିଲେ ।

ସେ ଏବେ ବଟଗଶେଣଙ୍କ ପାର୍ଶ୍ଵ ଦେଇ ବାମରେ ପଞ୍ଚମହାଦେବଙ୍କୁ ଦର୍ଶନ କଲେ । କଳ୍ପବଟ ଘେରା ପାଚେରୀରେ ଫୁଟି ରହିଥିବା ବୃକ୍ଷର ଶାଖାକୁ ସ୍ପର୍ଶକରି ନୀଳଚକ୍ର ଦର୍ଶନ କଲେ । ପାଶ୍ୱର୍ରେ ବଟ ମଙ୍ଗଳାଙ୍କୁ ପ୍ରଣାମ ଜଣାଇ ସେ ଦେଖିଲେ କଳ୍ପବଟର ଅତିରିକ୍ତ ସଂସ୍କରଣ ପୁଣି ପଞ୍ଚ ମହାଦେବଙ୍କ ମନ୍ଦିର ପଛରେ ଆତ୍ମପ୍ରକାଶ କରିଛି । ସମ୍ମୁଖରେ ନାଟ ମଣ୍ଡପର ଦ୍ୱାର ଖୋଲାଥିବା ଦେଖି ସେ ପ୍ରଥମେ କାଳିଆ ସାଆନ୍ତଙ୍କ ଦର୍ଶନ କରିବାକୁ ଯିବାକୁ ଚାହିଁଲେ ମାତ୍ର ପାଟଅଗଣାର ମୋହ ତାଙ୍କୁ ବାନ୍ଧି ରଖିଲା । ଶ୍ରୀମନ୍ଦିରର ଦର୍ଶନ ବିଧି ଅନୁସାରେ ସେ ପ୍ରଥମେ ବେଢ଼ା କରି ଶେଷରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ସ୍ଥିର କଲେ । ମାର୍କଣ୍ଡେଶ୍ୱର ମନ୍ଦିରରେ ସୁସଜ୍ଜିତ ଲିଙ୍ଗ ଶକ୍ତିଙ୍କୁ ଦର୍ଶନ କରି ଡାହାଣ ପଟେ ଏକ ମନ୍ଦିରରେ ମା’ ଇନ୍ଦ୍ରାଣୀଙ୍କ ବିଗ୍ରହ ଦେଖି ଚମତ୍କୃତ ହେଲେ ।

ପୁଣି କଳ୍ପବଟର ଦ୍ୱିତୀୟ ପ୍ରସ୍ତ ତଳଦେଇ ମୁକ୍ତି ମଣ୍ଡପ ପାଶ୍ୱର୍ରେ ଅନନ୍ତଶାୟୀ ବିଷ୍ଣୁଙ୍କ ଦର୍ଶନ କରି ଫେରିଆସି ମଣ୍ଡପର ଅପର ପାର୍ଶ୍ଵରେ ଆଦିନୃସିଂହ ମନ୍ଦିରକୁ ଗଲେ । ଏଇ ତ ସର୍ବ ପ୍ରାଚୀନ କୀର୍ତ୍ତି । ମନ୍ଦିରକୁ ଚାହିଁ କ୍ଷୁଦ୍ର ବିଗ୍ରହ । ମନ୍ଦିରର ବାହ୍ୟ ଅଂଶ କାରୁକାର୍ଯ୍ୟ ମଣ୍ଡିତ । ପ୍ରବେଶପଥର ଦୁଇ ପାଖରେ ଅସ୍ପଷ୍ଟ ଶିଳାଲେଖଗୁଡ଼ିକ ପ୍ରାଚୀନତାର ନିଦର୍ଶନ, ଇତିହାସର ବାର୍ତ୍ତାବହ । ସେ ଥରେ ସେ ଶିଳାଲେଖ ଉପରେ ହାତ ବୁଲାଇ ଆଣିଲେ । ଐତିହ୍ୟ ରୂପକ ବୀଣାର ସୁଲଳିତ ଝଙ୍କାର ନିନାଦିତ ହେଲା ତାଙ୍କ ଭିତରେ । ସମ୍ମୁଖରେ ଦିବ୍ୟ
ଷୋହଳଖମ୍ବ ଖଚିତ ମୁକ୍ତିମଣ୍ଡପ । ଆଦିଶଙ୍କରଙ୍କ ପ୍ରିୟ ଆସ୍ଥାନ, ପରେ ବ୍ରାହ୍ମଣ ପଣ୍ଡିତମାନଙ୍କୁ ସମର୍ପିତ । ଏକଦା ଶାସ୍ତ୍ର ଚର୍ଚ୍ଚା ଓ ସାମାଜିକ ଦିଗ୍‌ଦର୍ଶନର କେନ୍ଦ୍ର ଆଜି କେବଳ ଦାନ ଦକ୍ଷିଣା ଆଦାୟ କେନ୍ଦ୍ରରେ ପରିଣତ ହେଇଛି । ଝୁଲଣ ମଣ୍ଡପରେ ସେ ଦଣ୍ଡେ ରହିଲେ । ଉପରେ ଛାତତଳେ ଅଙ୍କିତ ବିଭିନ୍ନ ପଶୁପକ୍ଷୀ ତଥା ପୁରାଣ ବର୍ଣ୍ଣିତ କାଳ୍ପିନକ ପ୍ରାଣୀମାନଙ୍କ ଚିତ୍ର ସମୁହ ଦେଖିଲେ । ବେକ ଭାଙ୍ଗି ଉପରକୁ ଚାହିଁ ଅଜାଣତରେ ଦି’ ଘେରା ଘୁରିଗଲେ । ଚତୁଃର୍ଦିଗରେ ସ୍ଥାପତ୍ୟ ସହିତ ଚିତ୍ରକଳାର ଅପୂର୍ବ ସଂଯୋଗ । ଜଗମୋହନର ବେହେରଣ ଦ୍ୱାର ଦେଇ ପ୍ରବେଶ ନିଷେଧ । ଦକ୍ଷିଣି ଘର ଓ ମାଜଣା ମଣ୍ଡପର ଶୋଭା ଉପଭୋଗ କଲେ, ପୁଣି ଆଗେଇଲେ ।

ଏବେ ସେ ପହଞ୍ଚିଲେ ଅଧିକ ପ୍ରଶସ୍ତ ଉନ୍ମୁକ୍ତ ପାଟଅଗଣାରେ । ଡାହାଣ ପଟେ ବିଶାଳ ଦେଉଳ ଓ ବାମ ପାଶ୍ୱର୍ରେ ଜଳକ୍ରୀଡ଼ା ମଣ୍ଡପ ପରେ ରୋହିଣୀ କୁଣ୍ଡ ଇତ୍ୟାଦି । ରୋହିଣୀ କୁଣ୍ଡ କ୍ଷେତ୍ର ମଧ୍ୟରେ ଅନ୍ୟତମ ତୀର୍ଥ । କାକଭୁଷଣ୍ଡିଙ୍କ ଆସ୍ଥାନ । ଏହାର ଜଳ ପବିତ୍ର ।
ଏବେ ସେ ପହଞ୍ଚିଲେ କ୍ଷେତ୍ରେଶ୍ୱରୀ ମା’ ବିମଳାଙ୍କ ପୀଠରେ । ଶ୍ରୀମନ୍ଦିରରେ ବୈଷ୍ଣବୀୟ ଉପାସନା ସହିତ ଶାକ୍ତ ପରମ୍ପରାର ରହସ୍ୟମୟ ସମ୍ପର୍କର ନିଦର୍ଶନ । ମା’ ରତ୍ନସିଂହାସନଠାରୁ ଦୂରରେ ରହି ମଧ୍ୟ ମହାପ୍ରଭୁଙ୍କ ରୀତିନୀତି ସହିତ ଦୈନନ୍ଦିନ ସମ୍ପୃକ୍ତି ରହିଆସିଛି । ଶାରଦୀୟ ଦୂର୍ଗୋତ୍ସବ ବେଳେ ଆହୁରି କେତେ ସ୍ୱତନ୍ତ୍ର ନୀତି । ମନ୍ଦିରର ଜଗମୋହନକୁ ଉଠିଯାଇ ମା’ଙ୍କ ଦର୍ଶନକରି ଦଶମହାବିଦ୍ୟା ଓ ଅନ୍ୟ ଠାକୁରାଣୀମାନଙ୍କ ଚିତ୍ରିତ ପ୍ରତିମା ଦେଖି ମୁଗ୍ଧ ହେଲେ ।

ତା’ପରେ ପାଖ ଦ୍ୱାରଦେଇ ବାହାରକୁ ଆସିଲେ। ଏବେ ବଡ଼ ଦେଉଳ ବିରାଟ ରୂପ ନେଇ ତାଙ୍କ ଆଗରେ ଉଭା ହେଲା। ସର୍ବାଙ୍ଗ କାରୁକାର୍ଯ୍ୟ ମଣ୍ଡିତ ଦେଉଳର ଅଗ୍ରରେ ନୀଳଚକ୍ର ଓ ପତିତପାବନ ବାନା ଅଧାଆକାଶରେ ମିଶିଗଲା ଭଳି ପ୍ରତ୍ୟୟ ହେଲା । ଦକ୍ଷିଣା ପବନର ଛଳଛଳ ଗତିରେ ସେ ଆମୋଦିତ ହେଲେ । ଏଇ ତ! ପାଟ ଅଗଣାର ବିଶେଷତ୍ୱ । ନିଶାତଳର ଆକର୍ଷଣ । ଥରେ ଆସି ବୁଲି ଯାଇଥିବା ଭକ୍ତମାନଙ୍କୁ ମହାପ୍ରଭୁଙ୍କ ବ୍ୟତିତ ଏହି ପାଟଅଗଣା ମଧ୍ୟ ଡାକିଥାଏ । କହେ, ଆସ ଭକ୍ତଗଣ, ମୋ ବୁକୁରେ ଥରେ ବୁଲିଗଲେ ଯେଉଁ ଆନନ୍ଦ ପାଇବ ତାହା ଆଉ କେଉଁଠି ମିଳିବନି । ଏବେ ସେ ଆନମନା ହେଇ ଉତ୍ତର ଦିଗକୁ ବଢ଼ିଲେ । ବାମରେ ଗୋପେଶ୍ୱର ମନ୍ଦିର, ବେଣୁମାଧବ ମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ମୁଣ୍ଡିଆ ମାରି ସେ କାଞ୍ôଚ ଗଣେଶଙ୍କ ପାଖରେ ପହଞ୍ଚିଲେ । ଓଡ଼ିଆ ଜାତିର ଗୌରବର ବାର୍ତ୍ତା ବହନ କରିଛି ଏଇ ବିଗ୍ରହ । ବାମ ଜାନୁରେ ନାରୀ ମୂର୍ତ୍ତିଙ୍କ ସହିତ ଅଶ୍ଲ୍ଳୀଳ ମୁଦ୍ରାରେ ଉପବିଷ୍ଟ । ବିଗତ ପଞ୍ଚଦଶ
ଶତାବ୍ଦୀରେ ଗଜପତି କପିଳେନ୍ଦ୍ର ଦେବଙ୍କ ଉତ୍ତର ଦାୟାଦ ବୀର ପ୍ରତାପ ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟ ଜୟ କରି ପଦ୍ମାବତୀଙ୍କୁ ବିବାହ କରି ଫେରିବା ବେଳେ ଯୌତୁକରେ ଏହି କଳାମୁଗୁନି ପଥରର ଅନନ୍ୟ ବିଗ୍ରହଙ୍କୁ ହାତୀପିଠିରେ ଲଦି ଆଣିଥିଲେ । ମୂର୍ତ୍ତିକୁ ତାତ୍ତ୍ୱିକ ଦୃଷ୍ଟିରୁ ଅନୁଶୀଳନ କଲେ ତାନ୍ତ୍ରିକ ଧାରାର ଉପାସ୍ୟ ବୋଲି ବିଚାର କରାଯାଏ । ସେହି କାଳରୁ ଏହି ସ୍ୱତନ୍ତ୍ର ମନ୍ଦିରରେ ପୂଜିତ ।

ଡାହାଣ ପାଖରେ ବଡ଼ ଦେଉଳର ପଶ୍ଚିମ ପାଶ୍ୱର୍-ମନ୍ଦିରରେ ନିଶା ନୃସିଂହଙ୍କ ଦର୍ଶନ କଲେ । ପଶ୍ଚିମ ଦ୍ୱାର ଆଡ଼କୁ ଯାଇ କାନପତା ହନୁମାନଙ୍କ ଦର୍ଶନ କରି ଫେରି ଆସିଲେ । ପୁଣି ପୁଷ୍ପାଳକ ନିଯୋଗରେ ପୂଜିତ ରାଧାକୃଷ୍ଣଙ୍କ ଦିବ୍ୟ ମୂର୍ତ୍ତି ଦର୍ଶନ କରି ଆଗକୁ ବଢ଼ିବାରେ ଏକ ମନ୍ଦିରପୁଞ୍ଜ ଦୃଷ୍ଟିଗୋଚର ହେଲା । ମା’ଭୁବନେଶ୍ୱରୀ, ନୀଳମାଧବ, ବେଢ଼ାକାଳି, ମା’ଲକ୍ଷ୍ମୀ ଇତ୍ୟାଦି ମନ୍ଦିରର ଚୂଡ଼ା ସମୁହ ଏକତ୍ର ଏକ ସୁନ୍ଦର କଳାତ୍ମକ ଦୃଶ୍ୟ ସୃଷ୍ଟି କରୁଥିଲା । ନିଶାତଳେ ସାମୁଦ୍ରିକ ପବନର ଧାରା ସେମିତି ଅପରିବର୍ତ୍ତିତ , ମନମୋହକ ଥିଲା ।

କ୍ରମଶଃ….

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.