Latest Odisha News

ପାଟଅଗଣାର ଡାକ-୨

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଶ୍ରୀମନ୍ଦିର ବାୟୂକୋଣରେ ପାଟ ଅଗଣାର ଏହି ଅଂଶ, ବିଶେଷ ଆକର୍ଷଣୀୟ । ଲକ୍ଷ୍ମୀ ମନ୍ଦିରଠାରୁ ଆନନ୍ଦ ବଜାର ପ୍ରବେଶପଥ ପର୍ଯ୍ୟନ୍ତ ବେଶ ପ୍ରଶସ୍ତ । ସବୁଠାରୁ ଆନନ୍ଦଦାୟକ । କେତେବେଳେ ଦିବ୍ୟଲୀଳାର ଅଙ୍ଗନ ବା କେତେବେଳେ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ବ୍ୟବହୃତ । ପ୍ରଚଣ୍ଡ ନିଦାଘରେ ମଧ୍ୟ ଶୀତଳ ପବନ ସଦା ପ୍ରବାହିତ । ଲକ୍ଷ୍ମୀ ମନ୍ଦିରରେ ସେ ପଦ୍ମାସନା ସୁବର୍ଣ୍ଣ ମୁକୁଟ ପରିହିତା ସକଳ ଐଶ୍ୱର୍ଯ୍ୟ ଦାୟିନୀ ମା’ଙ୍କୁ ଦଣ୍ଡବତ ହୋଇ ଜଗମୋହନର ମସୃଣ ମାର୍ବଲ ଚଟାଣ ଉପରେ ବସିପଡ଼ିଲେ । ଆଭ୍ୟନ୍ତରର ପାରମ୍ପରିକ ଚିତ୍ରଣ ଦେଖି ମନ ମୁଗ୍ଧ ହେଇଗଲା । ଶ୍ରୀ ଉପାସନାର ପ୍ରବକ୍ତା ରାମାନୁଜ ସ୍ୱାମୀ ଓ ତାଙ୍କ ସମ୍ପ୍ରଦାୟର ସ୍ୱାମୀମାନଙ୍କର ନାମକରଣ ସହିତ ଚିତ୍ରଣ ତଳେ ବିଭିନ୍ନ ଉପିନଷଦର ବାଣୀ ଉଲ୍ଲେଖ ହୋଇଛି । ପୂର୍ବପଟ କାନ୍ଥରେ ବିଶାଳ ହନୁମାନ ମୂର୍ତ୍ତି ଓ ବାଇଶି ଭୂଜ ବିଶିଷ୍ଟ ଶ୍ରୀନୃସିଂହଙ୍କ ଅନନ୍ୟ ରୂପଚିତ୍ର ଦେଖି ସେ ଚମକୃତ ହେଲେ ।

ସହସ୍ର ଫଣାଯୁକ୍ତ ଷଡ଼ଭୁଜ ଚିନ୍ତାମଣି କୃଷ୍ଣଙ୍କ ରୂପ ଚିତ୍ରଣର ରହସ୍ୟ ବୁଝିବା ତାଙ୍କ ଭଳି ନିରୁତା ଭକ୍ତଟିଏ ପାଇଁ ଦୂରୁହ । ହୟଗ୍ରୀବ ଶ୍ରୀ ବିଷ୍ଣୁଙ୍କ ପ୍ରତିରୂପ ହେଲେ ମଧ୍ୟ ତାଙ୍କ ଉପାସନା ମଧ୍ୟ ଆମ ସଂସ୍କୃତିରେ ବିରଳ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ପାଇଁ ଶ୍ରେଷ୍ଠ, ସକଳ ତତ୍ତ୍ୱ, ସିଦ୍ଧାନ୍ତ ଓ ବିଶ୍ୱାସର ଆଦିମୂଳ । ମା’ ଲକ୍ଷ୍ମୀ ତାଙ୍କର ଆହ୍ଳାଦିନୀ ଶକ୍ତି । ଏଇ ଜଗମୋହନରେ ଗୁରୁବାର ରାତିରେ ମାଧବ ଓ ଶ୍ରୀଦେବୀଙ୍କ ବିଗ୍ରହ ଆସି ଏକାନ୍ତ ନୀତି ରଚିଥାନ୍ତି । ଦିବ୍ୟ ଦାମ୍ପତ୍ୟର ପ୍ରତୀକାତ୍ମକ ପରିପ୍ରକାଶ । ସେ ନିୟମିତ ଖବରକାଗଜରେ ପ୍ରଥମେ ଶ୍ରୀମନ୍ଦିରର ଖବର ପଢ଼ନ୍ତି । ଶ୍ରୀମନ୍ଦିରରେ ଘଟୁଥିବା ଘଟଣା ଗଣମାଧ୍ୟମର ପଣ୍ୟ ସ୍ୱରୂପ ।

ସେ ଏବେ ବାହାରକୁ ଆସି ପାଟ ଅଗଣାରେ ଉନ୍ମୁକ୍ତ ରୂପ ଉପଭୋଗ କଲେ । ସେ ଜାଣନ୍ତି ଏହି ପାଟ ଅଗଣା ଅନେକ ରୀତିନୀତି ପାଳନ ହେବାର କ୍ଷେତ୍ର । କୃଷ୍ଣଜନ୍ମ ନୀତି ପାଳନ ବେଳେ ନିଶାତଳେ ମା’ ଭୁବନେଶ୍ୱରୀଙ୍କ ମନ୍ଦିରର ସମ୍ମୁଖ ସ୍ଥଳ କାଳ୍ପନିକ ଯମୁନା ନଦୀ ଭାବରେ ବ୍ୟବହାର କରାଯାଇଥାଏ । ସେଠାରେ ଜଣେ ପୂଜାପଣ୍ଡା ଉଗ୍ରସେନ ଭୂମିକାରେ ଘାଟ ଜଗିବା ଅଭିନୟ କରନ୍ତି । ଜଣେ ମହାଜନ ସେବକ ଶ୍ରୀକୃଷ୍ଣରୂପୀ ମଦନ ମୋହନଙ୍କୁ ରୂପା ଥାଳିରେ ଧରି ଏହି କାଳ୍ପନିକ ଯମୁନା ନଦୀ ତଟରେ ପହଞ୍ଚନ୍ତି ।ଉଗ୍ରସେନ ପ୍ରଭୁଙ୍କୁ ଦେଖି ଦଣ୍ଡପ୍ରଣାମ କଲାପରେ ମୁଦିରସ୍ତଙ୍କ ଦ୍ୱାରା ଭୋଗ ବନ୍ଦାପନା କରାଯାଇ ଘଣ୍ଟା, ଛତା , କାହାଳି ସହିତ ବିଗ୍ରହ ପୁନଃ ପାଟଅଗଣାର ଆଦି ନୃସିଂହ ମନ୍ଦିରର ପଛ ପାଖରେ ଥିବା ନାଭିକଟା ମଣ୍ଡପକୁ ଆସିଥାଆନ୍ତି । ରାମଜନ୍ମ ଅବସରରେ ଉତ୍ତର ପାଶ୍ୱର୍ରେ ଥିବା ଦଧିବାମନ ମନ୍ଦିର ପାଖରେ ରଘୁନାଥ ମନ୍ଦିର ପିଣ୍ଡାରେ କାଳିକା ଦେବୀ ସାହିର ଛୋଟ ପିଲାମାନେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ହନୁମାନ ବେଶରେ ବାହାରି ଆସି ବସିଥାଆନ୍ତି । ଏହା ସହିତ ଆହୁରି ଅନେକ ନୀତି ମଧ୍ୟ ଏହି ପାଟଅଗଣା ପରିସରରେ ସମ୍ପାଦିତ ହୁଏ । ଆଷାଢ଼ ମାସର ରୁକ୍ମଣୀବିଭା ନୀତିର ଅନୁପାଳନ ହେଲାବେଳେ ସାରା ପାଟଅଗଣା ହୋଇଉଠେ ଲୋକାରଣ୍ୟ, ଉତ୍ସବମୁଖର ।
ବିମଳାଙ୍କ ମନ୍ଦିର ନିକଟରେ କନ୍ୟା ଚୋରି ହୋଇ ସୂର୍ଯ୍ୟମନ୍ଦିର ନିକଟରେ ଶିଶୁପାଳ ସହିତ ମହାପ୍ରଭୁଙ୍କ ଯୁଦ୍ଧନୀତି ସାଙ୍କେତିକ ଭାବରେ ସଙ୍ଗଠିତ ହୋଇଥାଏ । ଉତ୍ସାହୀ ଭକ୍ତଗଣ ବେଶ ଉପଭୋଗ କରନ୍ତି ଏହି ଲୀଳା ।

ବିମାନ କାନ୍ଥରେ ଖୋଦିତ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସହିତ ଭିନ୍ନ ଭିନ୍ନ ଭଙ୍ଗୀରେ ନାୟିକା, ଗଜସିଂହ, ଉଡ଼ାସିଂହ, ଗଜବିଡ଼ାଳ, ବଜ୍ରମସ୍ତକ ଆଦି ସୁସଜ୍ଜିତ ଭାସ୍କର୍ଯ୍ୟ ସମୁହ ଆମ ଶୈଳ୍ପୀକ ବିଭବର ଗୌରବମୟ ଜୀବନ୍ତ ଫର୍ଦ୍ଦ । ଜଗମୋହନ କାନ୍ଥରେ ମୈଥୁନ ମୂର୍ତ୍ତିଗୁଡ଼ିକ ଭକ୍ତଜନଙ୍କ ଭକ୍ତିଭାବର ପରୀକ୍ଷା ପାଇଁ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । ସେ ସୂର୍ଯ୍ୟ ମନ୍ଦିରରେ ଦର୍ଶନ କରି ରଘୁନାଥ ମନ୍ଦିର ପାଖରେ ଦେଖିଲେ ନୀଳଚକ୍ରରୁ ଓଲାଗି ବାନାସବୁ ଚୂନରା ସେବକମାନେ ବିକ୍ରି କରୁଛନ୍ତି । ଅପରାହ୍ନରେ ବଡ଼ ଦେଉଳର ଛାଇରେ ଶହ ଶହ ଲୋକ ତଳେ ବସିରହି ଏକ ଲୟରେ ହାତଯୋଡ଼ି ନୀଳଚକ୍ରକୁ ଦେଖୁଛନ୍ତି । ଚୂନରା ସେବକ ଅଭ୍ୟାସ କ୍ରମେ ମନ୍ଦିର ଚୂଡ଼ାକୁ ଉଠି
ନୀଳଚକ୍ର ଉପରେ ମେରୁ ବାଉଁଶ ଖୋଲି ସେଥିରେ ବାନା ବାନ୍ଧି ଫେରି ଆସିବା ବେଳେ ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପାଟଅଗଣାର ପରିବେଶ ପ୍ରକମ୍ପିତ ହେଲା । ପରେ ଅନେକ ଯାତ୍ରୀ ସେହି ସେବକର ପାଦଛୁଇଁଲେ । ଏ ଦୃଶ୍ୟ ତାଙ୍କୁ ମଧ୍ୟ ବିଗଳିତ କଲା । ଧନ୍ୟ ସେହି ମହାପ୍ରଭୁଙ୍କ ଲୀଳା, ଧନ୍ୟ ତାଙ୍କର ସେବା ଓ ସେବକଗଣ ।

ସାତ ପାହାଚ ପାଖରେ ଲାଗିଛି ଭିଡ଼ । ଷ୍ଟିଲ୍ ବାରିକେଡ଼ ଭିତରେ ଧାଡ଼ିରେ ଖୁନ୍ଦିଖାନ୍ଦି ହେଇ ଭକ୍ତଜନେ ଦର୍ଶନ ପାଇଁ ଭିତରକୁ ଯିବାକୁ ଅପେକ୍ଷାରତ । ଏହି ସାତ ପାହାଚ ଦେଇ ସ୍ନାନ ପୂଣ୍ଣିମା, ଶ୍ରୀଗୁଣ୍ଡିଚା, ଓ ବାହୁଡ଼ା ଯାତ୍ରା ପର ନିଳାଦ୍ରି ବିଜେ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଲୀଳା ସମ୍ପନ୍ନ ହୋଇଥାଏ । ଗଗନ ପବନ ଘଣ୍ଟ ନାଦରେ ମୁଖରିତ ହୁଏ । ଏହିଠାରେ ଶ୍ରୀବିଗ୍ରହଙ୍କୁ ଦିବ୍ୟ ଟାହିଆ ଲାଗିହୋଇ
ବାଦ୍ୟର ତାଳେ ତାଳେ ଝୁଲୁଥାଏ । ସେ ପାତାଳେଶ୍ୱର ମନ୍ଦିର ପାଖରୁ ପୁଣି ଥରେ ନୀଳଚକ୍ର ଦର୍ଶନ କରି ଭିଡ଼ ଆଡ଼କୁ ଦେଖିଲେ । ବର୍ଷେ କାର୍ତ୍ତିକ ମାସରେ ନାଗାର୍ଜୁନ ବେଶ ଦିନ ଏମିତି ହେଇଥିଲା ପ୍ରବଳ ଭିଡ଼ । ଏଇ ସାତ ପାହାଚ ବାହାରେ ପାଟଅଗଣାରେ ଅନର୍ଥ ହେଲା । କେତେଜଣ ଭକ୍ତ ଦଳାଚକଟାରେ ପ୍ରାଣ ହରାଇଲେ । ପରଦିନ ସକାଳେ କେତେ ଝୁଡ଼ି ଭଙ୍ଗାଚୁଡ଼ି ଏହିଠାରୁ ଉଦ୍ଧାର କରାଯାଇଥିଲା । ସେହିଥିରୁ ସେହି ଦୁଃଖଦ ଘଟଣାର ଭୟାବହତା ସହଜରେ ଅନୁମେୟ । ସେଇ ଘଟଣା ପାଟଅଗଣାର ସ୍ୱର୍ଣ୍ଣିମ ଦିନଲିପିରେ କଳଙ୍କର ଏକ ଛିଟା ।

ପାଟଅଗଣା ନବକଳେବର ବେଳେ ଅନେକଟା ଉଦାସ ହୋଇପଡ଼େ । ଦଇତାମାନେ ମହା ଅଣସର ଅବଧିରେ ଏକ କ୍ଷୁଦ୍ର ରଥରେ ଦାରୁ ସ୍ଥାପନ କରି ପାଟଅଗଣାରେ ବୁଲାଇ ସମସ୍ତ ଦେବଦେବୀଙ୍କୁ ମହାପ୍ରଭୁଙ୍କ ଦେହ ଛାଡ଼ିବା ବିଷୟ ଅବଗତ କରାଇଥାଆନ୍ତି, ଭବିଷ୍ୟତରେ ନୂତନ ଦାରୁ ବିଗ୍ରହଙ୍କ ସହିତ ଏହି ଦେବଦେବୀଙ୍କର ଅଲୌକିକ ସମ୍ପର୍କ ସ୍ଥାପନ ପାଇଁ ଏହି ଗୁପ୍ତ ଗୁଣ୍ଡିଚା ଏକ ବିଧି ସ୍ୱରୂପ । କେତେ ହୃଦୟସ୍ପର୍ଶୀ ସେ ନୀତି !

ବିଶ୍ୱନିୟନ୍ତାଙ୍କ ଆସନ୍ନ ଦେହାନ୍ତର ଖବର । ପୁନଶ୍ଚ ଘଟ ପରିବର୍ତ୍ତନ ପରେ ସମସ୍ତ ବିଗ୍ରହଙ୍କ ପରିତ୍ୟକ୍ତ ରୂପକୁ ଏହି ପାଟଅଗଣା ଦେଇ କୋଇଲି ବୈକୁଣ୍ଠକୁ ନିଆଯାଏ ନିଭୃତ୍ତରେ । କେତେ ଲୋମହର୍ଷକ ସେ ଅଦେଖା ଦୃଶ୍ୟ, ଦଇତାସେବକଙ୍କ ଦ୍ୱାରା ନିଷ୍ଠାର ସହ
ସମାହିତ । ଏହି କଥା ଚିନ୍ତା କରି ଅନମନସ୍କ ହେଇ ସେ ହାତୀ ଦ୍ୱାର ଡେଇଁ କୋଇଲି ବୈକୁଣ୍ଠର ପ୍ରବେଶ ପଥରେ ପହଞ୍ଚିଲେ । ସେ ଭିତରକୁ ଯିବାପାଇଁ ଇଛା କଲେନାହିଁ, ଫେରି ଆସିଲେ ପୁଣି ସେହି ପାଟଅଗଣାକୁ । ମଝିରେ ମଝିରେ ପ୍ରତିଧ୍ୱନୀତ ହେଉଥିଲା ଜୟ ଜଗନ୍ନାଥ ଧ୍ୱନିର ଅପୂର୍ବ ସମନ୍ୱିତ ଉଚ୍ଚାରଣ ।

ହାତୀଦ୍ୱାରରୁ ଫେରି ବାମ ପାଖରେ ପାତାଳେଶ୍ୱରଙ୍କ ମନ୍ଦିର ସାମ୍ନାରେ ସେ ଦେଖିଲେ ଏକ ଆସ୍ଥାନ, ଲକ୍ଷ୍ମୀନାରାୟଣ ମନ୍ଦିର ଯେଉଁଠାରେ ମହାପ୍ରଭୁଙ୍କ ବେଶ ପାଇଁ କେତେ ଜାତିର ଫୁଲନେଇ କିଛି ଲୋକ ପୁଷ୍ପାଳଙ୍କାର ପ୍ରସ୍ତୁତ କରୁଥିଲେ । ସେ ଦଣ୍ଡେ ରହି ସୁଗନ୍ଧିତ ଫୁଲର ମହକରେ ଆମୋଦିତ ହେଲେ । କେତେ ନିଷ୍ଠାର ସହ ସେମାନେ ସ୍ୱଇଚ୍ଛାରେ ଏହି ସେବା ଅର୍ପଣ କରିଆସୁଛନ୍ତି । ସେ ସେଠାରୁ ଆସି ପୁଣି ବାମ ଦିଗକୁ ବୁଲିପଡ଼ି ଏକ ସମାଧି ସ୍ୱରୂପ କ୍ଷୁଦ୍ର ମନ୍ଦିର ଦେଖିଲେ । ଲେଖାଥିଲା ‘ଗୌରାଙ୍ଗ ମହାପ୍ରଭୁଙ୍କ ଶ୍ରୀଚରଣ’ । ଶ୍ରୀ ଚୈତନ୍ୟଙ୍କ ଦେହାନ୍ତ ଶ୍ରୀମନ୍ଦିର ଭିତରେ ହେଇଥିଲା । ମୃତ୍ୟୁ ପରେ ତାଙ୍କ ମରଶରୀରକୁ ସତ୍କାର କିଭଳି କରାଗଲା ତା’ର କୌଣସି ସଠିକ୍ ତଥ୍ୟ ମିଳେ ନାହିଁ ।

ଗବେଷକମାନେ ସେ ବିଷୟରେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି । ସାଧାରଣ ଭାବରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସହିତ ମିଶିଗଲେ ବା ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ଲୀନ ହୋଇଗଲେ ବୋଲି କୁହାଯାଇଛି । ଆହୁରି କିଏ ତାଙ୍କୁ ତୋଟା ଗୋପୀନାଥ ମନ୍ଦିର ଅଥବା ଗୁଣ୍ଡିଚା ଘର ପରିସରରେ ସମାଧି ଦିଆଯାଇଛି ବୋଲି କହିଛନ୍ତି । ଅନେକ ଆଧ୍ୟାତ୍ମିକ ଐତିହାସିକ ସେ ପ୍ରସଙ୍ଗଠାରୁ ଆଡ଼େଇଯାଇ ଶ୍ରୀଚୈତନ୍ୟଙ୍କ ସମର୍ପିତ ଭକ୍ତିଭାବ ଓ ନୀତିବାଣୀ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଅନୁସନ୍ଧାନୀ ଲେଖକ ବିବୁଧ ରଞ୍ଜନ ତାଙ୍କ ରଚିତ ‘ସେ ଏବେ କେଉଁଠି’ ବହିରେ ପୂର୍ବ ପ୍ରକାଶିତ ବହୁ ମତର ବିଶ୍ଲେଷଣ କରି ତତ୍‌କାଳୀନ ଧର୍ମୀୟ, ରାଜନୈତିକ ତଥା ସାମାଜିକ ସ୍ଥିତି ଆଧାରରେ ନିଜସ୍ୱ ଶୈଳୀରେ ଦୃଢ଼ଭାବରେ ଯେଉଁ ମତ ଉପସ୍ଥାପନ କରିଛନ୍ତି, ତାହା ହେଲା ଗଜପତି ପ୍ରତାପରୂଦ୍ର ଦେବଙ୍କ ଚତୁର
ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ଶ୍ରୀଚୈତନ୍ୟଙ୍କ ସୁପରିକଳ୍ପିତ ମୃତ୍ୟୁ ହୋଇଥିଲା । ଆଉ ତାଙ୍କ ମରଶରୀରକୁ ପାଟଅଗଣା ଭିତରେ ସମ୍ଭବତଃ ଠିକ ଏହି ପାଦପଦ୍ମ ପୀଠ ତଳେ ସମାଧି ଦିଆଯାଇଛି । ଏହି ତଥ୍ୟ ଯଦି ସତ୍ୟ ହୋଇଥାଏ ତେବେ ସାଙ୍ଘାତିକ, ଶ୍ରୀମନ୍ଦିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ନିଶ୍ଚୟ । ଏହି କଥା ଭାବି ସେହି ପାଦପଦ୍ମ ପୀଠରେ ମଥାନତ କରି ପୁଣି ସେ ଆଗେଇଲେ । ଆନନ୍ଦ ବଜାର ବାଟର ପାଖାପାଖି ଏକ ସ୍ଥାନରେ ଛିଡ଼ା ହେଇ ଏକ ସଙ୍ଗେ ବାମରେ ସତ୍ୟନାରାୟଣ, ସଳଖରେ ମା’ ଶ୍ରୀମହାଲକ୍ଷ୍ମୀ ଓ ଶ୍ରୀମନ୍ଦିର ଚୂଡ଼ାରେ ନୀଳଚକ୍ର ଦର୍ଶନ କରି କୁତାର୍ଥ ଲଭିଲେ ।

ରତ୍ନସଂହାସନରେ ଚତୁର୍ଦ୍ଧାମୂତ୍ତିଙ୍କ ଦର୍ଶନ ପାଇଁ ତାଙ୍କ ମନ ଉଚ୍ଛନ୍ନ ହେଲା । ପାଟଅଗଣାରେ ଦୀର୍ଘ ସମୟ ବୁଲିବା ପରେ ମହାପ୍ରଭୁ ତାଙ୍କୁ ଭିତରକୁ ଯିବାପାଇଁ ଡାକିନେଲେ । ସାତ ପାହାଚ ଆଡ଼କୁ ଯିବା ପାଇଁ ବାରିକେଡ଼ ଭିତରେ ପ୍ରବେଶ କଲେ । ବାମରେ ଭୋଗମଣ୍ଡପର ଉତ୍ତରଦ୍ୱାର ନିକଟରେ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଆରମ୍ଭ କରିବା ପାଇଁ କେତେଜଣ ଗିନି ଖଞ୍ଜଣୀ ଆଦି ସରଞ୍ଜାମ ସହିତ ପ୍ରସ୍ତୁତ ହେଉଥିଲେ । ପ୍ରତ୍ୟହ ସନ୍ଧ୍ୟା ପରେ ଏହି ଦଳଗତ ଭଜନ ଗାୟନ ପାଟ ଅଗଣାର ଅନ୍ୟତମ ଆକର୍ଷଣ । ଏହି କୀର୍ତ୍ତନ ଚକଡ଼ା ଏବେ ସଙ୍କୁଚିତ । ବିଦେଶାଗତ ଓ ଭକ୍ତମାନେ ମଧ୍ୟ ଏହି ପାଟ ଅଗଣାରେ ନିନ୍ଦ୍ୱର୍ନ୍ଦରେ ଭଜନ କୀର୍ତ୍ତନ କରିଥାନ୍ତି ।

ଶ୍ରୀମନ୍ଦିରକୁ ଥରେ ଆସିଥିବା ଭକ୍ତକୁ ପାଟଅଗଣାର ଆତ୍ମିକ ମହକ ମୋହଗ୍ରସ୍ତ କରିପାରେ । ମହାପ୍ରଭୁଙ୍କ ମହିମାରେ ସମୃଦ୍ଧ ଏହି ପାଟଅଗଣାର ଚିତ୍ର ଭକ୍ତଜନଙ୍କ ସ୍ମୃତିରେ ଉଜ୍ଜଳ ରହେ, ବାରମ୍ବାର ଡାକେ , ଆମନ୍ତ୍ରଣ କରେ । କେ ଜାଣେ କାହାକୁ ପୁଣି ଥରେ ମହାପ୍ରଭୁଙ୍କ ଡୋରି ଲାଗେ ଏହି କ୍ଷେତ୍ରକୁ ଆସିବା ପାଇଁ !

ମୋ: ୯୪୩୭୧୬୬୩୬୯

Comments are closed.