paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
ଭୁବନେଶ୍ବର: ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ଗୁରୁବାର ଠାରୁ ସ୍ୱାଭାବିକ ହେବ ଧାନ ସଂଗ୍ରହ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ସେ କହିଛନ୍ତି ଯେ, ୧୫ ଦିନ ଭିତରେ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆମେ ଆନ୍ଦୋଳରୁ ଓହିରିଗଲୁ ।
ଯଦି ୧୫ ଦିନ ଭିତରେ ଦାବି ପୂରଣ ନ ହେଲେ ବୈଠକ କରି ନିଷ୍ପତ୍ତି ନେବୁ । ଆମର ଆଶା ସରକାର ଦାବି ପୂରଣ କରିବେ । ୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରିଛନ୍ତି ବୋଲି ମିଲର୍ସ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ୪ ଦଫା ଦାବି ନେଇ ସମଗ୍ର ରାଜ୍ୟରେ ମିଲର ସଙ୍ଘ ଆନ୍ଦୋଳନ ଡାକରା ଦେଇଥିଲା । ତେବେ ସରକାର ଦାବି ଗୁଡିକ ମଧ୍ୟରୁ ଗୋଟେ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ମିଲର୍ସ ସଂଘ । ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଦାବିକୁ ସରକାର ମାନି ନେଇଛନ୍ତି ଏବଂ ପରିବହନ ବାବଦ ଖର୍ଚ୍ଚ ନେଇ ସରକାର ତର୍ଜମା କରିବାକୁ ୧୫ ଦିନ ସମୟ ମାଗିଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ମିଳିବା ପରେ ଗୁରୁବାର ଠାରୁ ଧାନ ସଂଗ୍ରହ ଆରମ୍ଭ କରିବେ ।
୧୯ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି କିନ୍ତୁ ବାକି ୧୧ ଜିଲ୍ଲାରେ ଆସନ୍ତା ୧୦ ତାରିଖରେ ଧାନ କିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩ ଲକ୍ଷ ୧୫ ହଜାର ୪୩୧ ଚାଷୀଙ୍କ ଠାରୁ ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଏଥିମଧ୍ୟରୁ ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲର ମାନେ ଉଠାଇଛନ୍ତି । ଏ ବାବଦରେ ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଶଂ ଦିଆଯାଇଛି ।