Latest Odisha News

ବନ୍ୟା ପରେ ଦୁର୍ଦ୍ଦଶାରେ ଚାଷୀ, ଧୋଇ ଯାଇଛି ଏକର ଏକର ଧାନ ଚାଷ

ଯାଜପୁର: ବନ୍ୟା ପାଣି ଛାଡ଼ି ଯାଇଛି । ହେଲେ ଦେଇ ଯାଇଛି ଦୁଃଖ । ନଷ୍ଟ ହୋଇ ଯାଇଛି ଏକର ଏକର ଜମିରେ ହୋଇଥିବା ଚାଷ । ଯାଜପୁରର ବୈତରଣୀ ଏବଂ ଶାଖା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର, ଯାଜପୁର ବ୍ଲକର ବ୍ୟାପକ ଅଞ୍ଚଳରେ ଚାଷ କାର୍ଯ୍ୟ ନଷ୍ଟ ହୋଇଛି । ଧାନ ରୁଆ ପୋତା ସମୟରେ ବନ୍ୟା ପାଣି ମାଡ଼ିଯିବାରୁ ଚାଷୀଙ୍କ ବର୍ଷକର ସ୍ୱପ୍ନ ଧୋଇ ଯାଇଛି । ରୁଆ ହୋଇଥିବା ତଳି ବନ୍ୟା ପାଣିରେ ଭାସୁଛି । ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ ।

ବନ୍ୟାରେ ଯାଜପୁର, ଦଶରଥପୁର ବ୍ଲକର ୨୦ରୁ ଅଧିକ ପଞ୍ଚାୟତରେ ଚାଷ ଜମି ପ୍ରଭାବିତ ହୋଇଛି । ଧାନ ଅମଳ ହେବାର କୌଣସି ସମ୍ଭାବନା ନାହିଁ । ରିଲିଫ୍ ବାବଦକୁ କେବଳ ଲୋକେ ଚୁଡା ଓ ଗୁଡ଼ ପାଇଥିବା ବେଳେ ଚାଷୀମାନେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ୩୦ ତାରିଖ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଆସିବ ଏବଂ ଉକ୍ତ ରିପୋର୍ଟକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିକଟକୁ ପଠାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି ।

ଗୋଟିଏ ପଟେ ବନ୍ୟା, ବର୍ଷା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରତିବର୍ଷ ଚାଷୀ କ୍ଷତି ସହୁଛନ୍ତି । ଅନ୍ୟପଟେ ସରକାରୀ ସହାୟତା ବା କ୍ଷତିପୁରଣ ମିଳିବା ଆଶାରେ ଚାଷୀ ଚାତକ ଭଳି ଚାହିଁ ରହୁଥିବା ବେଳେ ଯାହା ମିଳୁଛି ସମୁଦ୍ରକୁ ଶଙ୍ଖେ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି ।

Comments are closed.