Latest Odisha News

ପେଜର ଆଟାକ୍: ଇସ୍ରାଏଲର ‘ସାଇକୋଲୋଜିକାଲ ୱାର୍’

ନୂଆଦିଲ୍ଲୀ: ହିଜବୋଲ୍ଲାକୁ ଟାର୍ଗେଟ କରି ଦୁଇ ଦିନରେ ଦୁଇ ଦୁଇଟି ବଡ ଆକ୍ରମଣ କରିଛି ଇସ୍ରାଏଲ୍ । ଲେବାନନରେ ପ୍ରଥମେ ପେଜର ଓ ପରେ ୱାକିଟକି ବିସ୍ଫୋରଣ କରିଛି ଇସ୍ରାଏଲ । ଯୋଗାଯୋଗ ସଂରଜାମ ଜରିଆରେ ବିସ୍ଫୋରଣ କରି ହିଜବୋଲ୍ଲାକୁ ମାନସିକ ଚାପରେ ପକାଇବାକୁ ଚେଷ୍ଟା କରିଛି ଇସ୍ରାଏଲ୍ । ହିଜବୋଲ୍ଲା ବିରୋଧରେ ଇସ୍ରାଏଲର ଏଭଳି ଆକ୍ରମଣକୁ ବିଶେଷଜ୍ଞ ସାଇକୋଲୋଜିକାଲ ୱାର ବା ମନୋବୈଜ୍ଞାନିକ ଯୁଦ୍ଧ ବୋଲି ମନେ କରୁଛନ୍ତି ।

କମ୍ୟୁନିକେସନ ନେଟୱର୍କକୁ ଟାର୍ଗେଟ

ଲେବାନନରେ ହିଜବୋଲ୍ଲା ବିରୋଧରେ ଦୁଇ ଦିନରେ ଦୁଇଟି ବଡ ଧରଣର ଆକ୍ରମଣ । ପ୍ରଥମେ ପେଜର୍ ଓ ପରେ ୱାକିଟକି, ସୋଲାର ପ୍ୟାନେଲ, ଫିଙ୍ଗରପ୍ରିଂଟ ଡିଭାଇସ ଓ ରେଡିଓ ଜରିଆରେ ସିରିଆଲ ବିସ୍ପୋରଣ କରିଛି ଇସ୍ରାଏଲ୍ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଯେଉଁ ସବୁ ଯୋଗାଯୋଗ ଡିଭାଇସରେ ବିସ୍ଫୋରଣ ହୋଇଛି, ସେସବୁ ୫ ମାସ ପୂର୍ବେ କିଣିଥିଲା ହିଜବୋଲ୍ଲା । ଯୋଗାଯୋଗ ପାଇଁ ହିଜବୋଲ୍ଲାର ଜରୁରୀ ଡିଭାଇସକୁ ଏବେ ଟାର୍ଗେଟ କରୁଛି ଇସ୍ରାଏଲ୍ । ଜାଣିବା ଶୁଣିବା ଲୋକେ ଏଭଳି କୌଶଳକୁ ସାଇକୋଲୋଜିକାଲ ୱାରଫେୟାର ବୋଲି କହନ୍ତି ।

ପେଜର, ୱାକିଟକି ବିସ୍ଫୋରଣ ପରେ ଲେବାନନରେ ଭୟର ମାହୋଲ

ଲେବାନନରେ ପ୍ରଥମେ ପେଜର ଓ ପରେ ୱାକିଟକି ଡିଭାଇସ ବିସ୍ଫୋରଣ ପରେ ଅନେକ ମୃତାହତ ହୋଇଛନ୍ତି । ଏଭଳି ବିସ୍ଫୋରଣ ଥିଲା ଅପ୍ରତ୍ୟାଶିତ । କିଏ କେବେ ବି କଳ୍ପନା କରିନଥିଲେ ନିତିଦିନିଆ ଜୀବନରେ ବ୍ୟବହାର ହେଉଥିବା ଏକ ସଂଚାର ସଂରଜାମରେ ବିସ୍ଫୋରଣ ହେବ । ହିଜବୋଲ୍ଲାକୁ ଟାର୍ଗେଟ କରି ହିଁ ଏଭଳି ବିସ୍ଫୋରଣ କରାଯାଇଥିଲା ବୋଲି କୁହାଯାଉଛି । ସିରିଜ୍ ବିସ୍ଫୋରଣ ପରେ ଏବେ ଲେବାନନରେ ଭୟର ମାହୋଲ । ପେଜର ଓ ୱାକିଟକି ବ୍ୟବହାରକୁ ଭୟ କରୁଛନ୍ତି ଲୋକେ । ଲେବାନନ ରାଜଧାନୀ ବିରୁଟରୁ ଉଡାଣ ଭରୁଥିବା ବିମାନଗୁଡିକରେ ୱାକିଟକି ମନା ହୋଇଛି । ବିସ୍ଫୋରଣ ପଛରେ ଇସ୍ରାଏଲ ରହିଛି ବୋଲି ଲେବାନନ ସରକାର, ହିଜବୋଲ୍ଲା ଓ ଇରାନ କହିଛନ୍ତି । ଇସ୍ରାଏଲ କିନ୍ତୁ ଆନୁଷ୍ଠାନିକ ଭାବେ ଏହା ସ୍ୱୀକାର କି ଅସ୍ୱୀକାର କରିନାହିଁ । ଇସ୍ରାଏଲ ବିସ୍ଫୋରଣର ଉଚିତ ଜବାବ ଦିଆଯିବ ବୋଲି ହିଜବୋଲ୍ଲା କହିଛି ।

ଇସ୍ରାଏଲର କଡା ସନ୍ଦେଶ

ଲେବାନନରେ ହିଜବୋଲ୍ଲାର କମ୍ୟୁନିକେସନ ନେଟୱର୍କକୁ ଟାର୍ଗେଟ୍ କରି ଇସ୍ରାଏଲର ନୈତିକ ବିଜୟ ହୋଇଛି ବୋଲି କିଛି ସାମରିକ ବିଶେଷଜ୍ଞ କହିଛନ୍ତି । ପେଜର ଓ ୱାକିଟକି ବିସ୍ଫୋରଣରୁ ଇସ୍ରାଏଲ ଓ ହିଜବୋଲ୍ଲାର କ୍ଷମତାରେ ଥିବା ବ୍ୟବଧାନ ବାରି ହୋଇଯାଇଛି । ହିଜବୋଲ୍ଲାର ସପ୍ଲାଏ ଚେନ୍ ରେ ଅନୁପ୍ରବେଶ କରିବାରେ ସଫଳ ହୋଇଛି ଇସ୍ରାଏଲ୍ । କିଛି ମାସ ତଳେ ତାଇୱାନର ଗୋଲ୍ଡ ଆପୋଲୋ କମ୍ପାନିରୁ ତିନି ହଜାର ପେଜର୍ ପାଇଁ ଅର୍ଡର ଦେଇଥିଲା ହିଜବୋଲ୍ଲା । ହିଜବୋଲ୍ଲା ପାଖରେ ପହଂଚିବା ଆଗରୁ ହିଁ ସବୁ ପେଜର ଇସ୍ରାଏଲ ହାତରେ ଲାଗିଥିଲା । ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୋସାଦ ଏସବୁ ପେଜରରେ ପିଇଟିଏନ୍ ନାମକ ବିସ୍ଫୋରକ ଖଞ୍ଜି ଲେବାନନ ପଠାଇଥିଲା ବୋଲି କିଛି ରିପୋର୍ଟରେ କୁହାଯାଇଛି । ଏଭଳି ବିସ୍ଫୋରଣ ହିଜବୋଲ୍ଲାକୁ ମାନସିକ ଚାପରେ ରଖିବ । ଆଉ ଏହା ହିଁ ସାଇକୋଲୋଜିକାଲ ୱାରଫେୟରର ବଡ ବିଜୟ ବୋଲି କୁହାଯାଉଛି । କିନ୍ତୁ ଇସ୍ରାଏଲର ପେଜର ଆକ୍ରମଣ ଆଗକୁ ମଧ୍ୟପ୍ରାଚ୍ୟ ସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.