Latest Odisha News

BREAKING NEWS

ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷ କହୁଛି ପାକିସ୍ତାନ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୮ଦିନ ପରେ ୩ ଆତଙ୍କୀ ସଫା । ଲୋକସଭାରେ ଅପରେସନ୍ ସିନ୍ଦୂର ବିତର୍କରେ ସମ୍ବୋଧନ କରି ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୨୨ତାରିଖରେ ବୈସରନ ଘାଟିରେ ୨୬ଜଣଙ୍କୁ ହତ୍ୟା କରିଥିବା ଆତଙ୍କୀଙ୍କ ମାଷ୍ଟରମାଇଣ୍ଡ ହାସିମ ମୁସା ଓରଫ ସୁଲେମାନ ଶାହ, ଆଫଗାନ ଓ ଜିବ୍ରାନକୁ ଅପରେସନ୍ ମହାଦେବରେ ନିପାତ କରାଯାଇଛି । ଲସ୍କର-ଏ-ତୋଏବାର ଆତଙ୍କବାଦୀ ସୁଲେମାନ ଶାହ ପାକିସ୍ତାନୀ ସେନାର ଏଲିଟ୍ ୟୁନିଟ୍ କୁହାଯାଉଥିବା ସ୍ପେଶାଲ ସର୍ଭିସ ଗ୍ରୁପର ପୂର୍ବତନ କମାଣ୍ଡୋ ଥିଲା । ୨୦୨୩ ସେପ୍ଟେମ୍ବରରେ ଭାରତରେ ଅନୁପ୍ରବେଶ କରି ଦକ୍ଷିଣ କାଶ୍ମୀରରେ ଆତଙ୍କୀ ଗତିବିଧିରେ ସାମିଲ ହୋଇଥିଲା । ସେପଟେ ଅପରେସନ ମହାଦେବରେ ୩ ଆତଙ୍କବାଦୀଙ୍କୁ ମାରିବା ପରେ ମିଛ କାହାଣୀ ଶୁଣାଉଛି ପାକିସ୍ତାନ ।

ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷ କହୁଛି ପାକିସ୍ତାନ !

ଅପରେସନ୍ ମହାଦେବରେ ମୃତ ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷ ଓ ନିରୀହ ପାକିସ୍ତାନୀ କହୁଛନ୍ତି ପାକିସ୍ତାନର ସରକାରୀ ଏଜେନ୍ସି । ପାକିସ୍ତାନର ଇଂରାଜୀ ଖବରକାଗଜ ଡନରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଭାରତ ଅପରେସନ୍ ମହାଦେବ ନାଁରେ ଫେକ୍ ଏନକାଉଣ୍ଟର କରୁଥିବା କୁହାଯାଇଛି । ନିର୍ଦ୍ଦୋଷ ପାକିସ୍ତାନୀଙ୍କୁ ଜୋରଜବରଦସ୍ତି ଅଟକ ରଖିବା ସହ ଏନକାଉଣ୍ଟର କରି ସୀମା ପାରର ଆତଙ୍କବାଦୀ ଦର୍ଶାଉଥିବା କୁହାଯାଇଛି । ତେବେ ପ୍ରଶ୍ନ ଉଠୁଛି, ପାକିସ୍ତାନୀ ନାଗରିକ କାଶ୍ମୀରର ଜଙ୍ଗଲରେ ସାଟେଲାଇଟ୍ ଫୋନ୍ ଓ ହତିଆର ସହ କଣ କରୁଥିଲେ? କାରଣ ସେନାକୁ ଘଟଣାସ୍ଥଳରୁ ଏକ ଏମ୍-୪ କାର୍ବାଇନ୍ ରାଇଫଲ, ଦୁଇଟି ଏକେ-୪୭ ରାଇଫଲ ଓ ଅନ୍ୟ ହତିଆର ମିଳିଛି ।

ମିଛକୁ ସତ ପ୍ରମାଣ କରିବାକୁ ତର୍କ

ଭାରତୀୟ ଜେଲରେ ୭୨୩ ପାକିସ୍ତାନୀ ନାଗରିକ କଏଦ ହୋଇ ରହିଥିବା ଦେଶର ସେନା ମୁଖପାତ୍ର ଲେଫ୍ଟେନାଣ୍ଟ ଜେନେରାଲ ଅହମ୍ମଦ ଚୌଧୁରୀ କହିଛନ୍ତି । ତେବେ ସେମାନେ ଭାରତ ସୀମାରେ ପହଞ୍ଚିଲେ ସେନେଇ କହିନାହାନ୍ତି । ଜେଲରେ ଅଟକ ଥିବା ଲୋକଙ୍କୁ ପାକିସ୍ତାନ ବିରୋଧରେ ବୟାନ ଦେବାକୁ ବାଧ୍ୟ କରାଯାଉଥିବା ନେଇ ସୁରକ୍ଷା ଏଜେନ୍ସିଙ୍କ ସୁତ୍ର ଦର୍ଶାଇ ରିପୋର୍ଟରେ ଲେଖିଛି ଡନ୍ । ଜିଓ ନ୍ୟୁଜର ତ ଆଉ ପାଦେ ଆଗକୁ ଯାଇଛି । ଏନକାଉଣ୍ଟର ଥିଓରୀକୁ ପ୍ରମାଣ କରିବାକୁ ଯାଇ ଭାରତୀୟ ଏଜେନ୍ସି ପୂର୍ବରୁ ହିଁ ଆତଙ୍କବାଦୀଙ୍କ ଫଟୋ ଓ ହତିଆର ପୂର୍ବରୁ ଜାରି କରିଥିବା କହିଛି । ସେହିପରି ଭାରତ ଏବେ ଅପରେସନ୍ ମହାଦେବ ଆରମ୍ଭ କରିଛି । ଆଉ ଏଥିରେ ଜେଲରେ ଥିବା ନିରୀହ ପାକିସ୍ତାନୀଙ୍କୁ ଏନକାଉଣ୍ଟର କରାଯାଉଥିବା ପାକିସ୍ତାନର ଅନ୍ୟ ଏକ ନ୍ୟୁଜ ଚ୍ୟାନେଲ ୩୬୫ ପ୍ଲସରେ କୁହାଯାଇଛି ।

ସୁଲେମାନ, ଜିବ୍ରାନ, ହମଜାର ଖେଳ ଖତମ୍

ପହଲଗାମ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହାର କରାଯାଇଥିବା ସାଟେଲାଇଟ୍ ଫୋନ୍ ପୁଣି ଥରେ ବ୍ୟବହାର ହେଉଥିବା ନେଇ ସୂଚନା ମିଳିବା ପରେ ଆଲର୍ଟ ହୋଇଥିଲା ଭାରତୀୟ ସେନା । ଏହାପରେ ଅପରେସନ୍ ମହାଦେବ ଆରମ୍ଭ କରିବା ସହ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ସହ ତିନି ଆତଙ୍କୀଙ୍କୁ ଘେରିଥିଲା ସେନା । ଜିବ୍ରାନ ଓ ହମଜା ଆଫଗାନି ମଧ୍ୟ ଏଲିଷ୍ଟେଟ୍ ଆତଙ୍କୀ । ପହଲଗାମ ଆତଙ୍କୀ ହମଲା ସହ ଗତବର୍ଷ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣରେ ସଂପୃକ୍ତ ଥିଲା ଜିବ୍ରାନ । ପହଲଗାମ ଆକ୍ରମଣସ୍ଥଳରୁ ମିଳିଥିବା ଗୁଳି ଆତଙ୍କୀଙ୍କଠାରୁ ମିଳିଥିବା ଗୁଳି ସମାନ ଥିବା ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଏଥିରୁ ଏହି ରାଇଫଲ ହିଁ ପହଲଗାମରେ ବ୍ୟବହାର ହୋଇଥିବା ସ୍ପଷ୍ଟ ହୋଇଛି ।

Comments are closed.