ନୂଆଦିଲ୍ଲୀ: ପହଲଗାମରେ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା ପରେ ସାରା ଦେଶରେ ଆତଙ୍କୀଙ୍କୁ ନେଇ ଭୀଷଣ କ୍ରୋଧ । ଆତଙ୍କୀଙ୍କୁ କଳ୍ପନାଠୁ ଅଧିକ ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯିବ ବୋଲି ମୋଦି କହିଛନ୍ତି । ସେପଟେ ଆତଙ୍କୀଙ୍କ ବିରୋଧରେ ଇସ୍ରାଏଲ୍ ଷ୍ଟାଇଲ୍ ଅପରେସନ୍ ପାଇଁ ଦାବି କରିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ । ଇସ୍ରାଏଲ୍ ସରକାରଙ୍କ ପରି ଭାରତ ମଧ୍ୟ ଆତଙ୍କବାଦୀଙ୍କ ସହ ସେମାନଙ୍କୁ ପଛରୁ ସହଯୋଗ କରୁଥିବା ଆତଙ୍କୀଙ୍କୁ ସଫା କରିବାକୁ ରାଜ ଠାକରେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଇସ୍ରାଏଲ୍ ଷ୍ଟାଇଲ୍ ଅପରେସନ୍ କ’ଣ? କାହିଁକି ସେଭଳି ଅପରେସନ୍ ପାଇଁ ହେଉଛି ଦାବି?
ଆତଙ୍କ ବିରୋଧରେ ଇସ୍ରାଏଲ୍ ଅପରେସନ୍
୨୦୨୩ ଅକ୍ଟୋବର ୭ତାରିଖରେ ହମାସ ଆତଙ୍କବାଦୀଙ୍କ ହମଲାରେ ୧୨ଶହରୁ ଅଧିକ ଇସ୍ରାଏଲିଙ୍କ ଜୀବନ ଯାଇଥିଲା । ୨ଶହରୁ ଅଧିକଙ୍କୁ ବନ୍ଧକ ବନାଇଥିଲା ହମାସ । ଏହାର ପର ଦିନଠୁ ହିଁ ହମାସ ବିରୋଧରେ ଯୁଦ୍ଧର ହୁଙ୍କାର ଭରିଥିଲା ଇସ୍ରାଏଲ୍ । ଅପରେସନ୍ ଆଇରନ ସ୍କ୍ବାର୍ଡସ ଆରମ୍ଭ କରି ହମାସକୁ ଦୋହଲାଇ ଦେଇଥିଲା । ଇସ୍ରାଏଲର ଆକ୍ରମଣରେ ବରବାଦ ହୋଇଥିଲା ଗାଜା । ହିଜବୁଲ୍ଲାହ କମାଣ୍ଡର ଫୁଆଦ ଶୁକରଙ୍କୁ ଲେବାନନରେ ମାରିଲା ତ ହମାସ ନେତା ଇସ୍ମାଇଲ ହାନିଆଙ୍କୁ ମାରି ବଦଲା ନେଲା । ଇସ୍ରାଏଲ ଆକ୍ରମଣରେ ଅନେକ ନିର୍ଦ୍ଦୋଷଙ୍କର ବି ଜୀବନ ଯାଇଛି । ଆଉ ଏଥିପାଇଁ ସମାଲୋଚନାର ଶିକାର ବି ହୋଇଛି ଇସ୍ରାଏଲ୍। ହେଲେ ଆତଙ୍କବାଦକୁ ମୂଳରୁ ସଫା କରିବାକୁ ଏବେ ଇସ୍ରାଏଲି ଷ୍ଟାଇଲ୍ ଅପରେସନ ପାଇଁ ଦାବି ହେଉଛି ।
କାମ ଦେବ କି ସର୍ଜିକାଲ୍ ଷ୍ଟ୍ରାଇକ୍ ?
ଉରିରେ ଭାରତୀୟ ସେନା ଉପରେ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା । ପୁଲଓ୍ବାମାରେ ସିଆରପିଏଫ୍ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରି ସ୍ଥିତି ସୃଷ୍ଟି ହୋଇଥିଲା । ପାକିସ୍ତାନ ପକ୍ଷରୁ ଏଫ୍-୧୬ ଫାଇଟର ପ୍ଲେନ୍ ସୀମା ପାର କରି ଉଡାଣ ଭରିଲେ । ଏହାର କାଉଣ୍ଟର କରିବା ବେଳେ ସୀମା ପାର କରିଥିଲେ ବାୟୁସେନା ଅଧିକାରୀ ଅଭିନନ୍ଦନ ବର୍ତ୍ତମାନ, ତାଙ୍କୁ ବନ୍ଦୀ ବନାଇଥିଲା ପାକିସ୍ତାନ । ପରେ ମୁକ୍ତ କରିବା ସହ ଭାରତ ପଠାଇଥିଲା । ଘଟଣା ପରେ ୨୦୧୯ ଅଗଷ୍ଟରେ ଧାରା ୩୭୦ରୁ ହଟାଇ ଦିଆଯାଇଥିଲା ।
କମିଛି, ବନ୍ଦ ହୋଇନି ଆତଙ୍କୀ ଗତିବିଧି
ଧାରା ୩୭୦ ହଟାଇବା ପରେ ଆତଙ୍କବାଦ କାର୍ଯ୍ୟକଳାପ କମିଛି, ହେଲେ ବନ୍ଦ ହୋଇନି । ସର୍ଜିକାଲ୍, ଏୟାର ଷ୍ଟ୍ରାଇକର କିଛି ପ୍ରଭାବ ପଡିଥିଲା। ହେଲେ ପୁଣି ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ମୁଣ୍ଡ ଟେକିଛି । ପହଲଗାମରେ ତ ସୁରକ୍ଷା ବ୍ୟବସ୍ଥାକୁ ସିଧା ଚ୍ୟାଲେଞ୍ଜ ଦେଇଛନ୍ତି ଆତଙ୍କୀ। ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ନାଲିଆଖି ଦେଖାଇଛନ୍ତି । ତେଣୁ ଏବେ ପାକିସ୍ତାନ ବିରୋଧରେ ୧୯୭୧ ଭଳି କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କୁହାଯାଉଛି । ଦେଶରେ ଏବେ ଏମିତି ସରକାର ଯିଏ ଶତ୍ରୁର ଘରେ ପଶି ମାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଅନେକ ଥର ଦୋହରାଇଛନ୍ତି । ଏବେ ଏହାକୁ ପ୍ରମାଣ କରିବାର ସମୟ ଆସିଛି । ପହଲଗାମ ଆକ୍ରମଣ ପରେ ବଡ଼ ଆକ୍ସନ୍ ପାଇଁ ସାରା ଦେଶରେ ଦାବି ହେଉଛି ।
ପହଲଗାମ ହମଲା ପରେ ପାକିସ୍ତାନକୁ ପ୍ରାୟୋଜିତ ଆତଙ୍କବାଦ ପାଇଁ ବିଧିବଦ୍ଧ ଘୋଷଣା କରିବାକୁ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ ଦାବି କରିଛନ୍ତି । ଏପରିକି ପାକ୍ ସେନା ମୁଖ୍ୟ ଅସିମ ମୁନୀର ଓସାମା ବିନ ଲାଦେନଠୁ ଭିନ୍ନ ନୁହନ୍ତି ବୋଲି ସେ କହିଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହମାସ ଷ୍ଟାଇଲରେ ହୋଇଥିବା କୁହାଯାଇଥିଲା । ଭାରତକୁ ଇସ୍ରାଏଲ ଭଳି ଅପରେସନ୍ କରିବାକୁ ଏବେ ଦାବି ହେଉଛି ।
Comments are closed.