ନୂଆଦିଲ୍ଲୀ: ପହେଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନୀ ନାଗରିକମାନଙ୍କର ଭିସା ରଦ୍ଦ କରିଦେଇଛି। ଏହା ପରେ ଅନେକ ପାକିସ୍ତାନୀଙ୍କୁ ସେମାନଙ୍କ ଦେଶକୁ ପଠାଯାଇଛି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ ସହିଦ କନଷ୍ଟେବଲ ମୁଦସ୍ସିରଙ୍କ ମାଆଙ୍କୁ ମଧ୍ୟ ପାକିସ୍ତାନକୁ ପଠାଯାଉଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଏହାକୁ ଜୋରଦାର ବିରୋଧ କରାଯାଉଛି।
କିନ୍ତୁ ଏବେ ସୋସିଆଲ ମିଡିଆରେ କରାଯାଉଥିବା ଦାବିଗୁଡ଼ିକର ବାରାମୂଲା ପୋଲିସ ଖଣ୍ଡନ କରିଛି। ପୋଲିସ କହିଛି, ସହିଦ କନଷ୍ଟେବଲ ମୁଦସ୍ସିର ଅହମଦ ଉର୍ଫ ବିନ୍ଦାସଙ୍କ ମାଆଙ୍କୁ ପାକିସ୍ତାନ ପଠାଯିବା ସମ୍ପର୍କରେ ସୋସିଆଲ ମିଡିଆରେ ଚାଲିଥିବା ଖବରଗୁଡ଼ିକ ମିଛ, ନିରାଧାର ଏବଂ ଏଗୁଡ଼ିକୁ ସ୍ପଷ୍ଟ ଭାବେ ଖଣ୍ଡନ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ ପହେଲଗାମ ଆକ୍ରମଣର କିଛି ଦିନ ପରେ, ଜମ୍ମୁ-କଶ୍ମୀରର ଅଧିକାରୀମାନେ ୫୯ ଜଣ ପାକିସ୍ତାନୀ ନାଗରିକଙ୍କୁ ସେମାନଙ୍କ ଦେଶକୁ ଫେରାଇବା ପାଇଁ ପଞ୍ଜାବ ପହଞ୍ଚାଇଛନ୍ତି।
ଭାରତରେ ରହିବାର ଅନୁମତି ମିଳିଛି
ଅଧିକାରୀଙ୍କ ଅନୁଯାୟୀ, ଦଶନ୍ଧି ଧରି ଉପତ୍ୟକାରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ, ଯେଉଁମାନଙ୍କ ମଧ୍ୟରେ ଶୌର୍ଯ୍ୟ ଚକ୍ର ବିଜେତା କନଷ୍ଟେବଲ ମୁଦାସିର ଅହମଦ ଶେଖଙ୍କ ମାଆ ମଧ୍ୟ ସାମିଲ ଥିଲେ, ସେମାନଙ୍କୁ ବିଭିନ୍ନ ଜିଲ୍ଲାରୁ ଏକତ୍ର କରାଯାଇ ବସ୍ରେ ପଞ୍ଜାବ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ପାକିସ୍ତାନୀ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ।
ଶହୀଦ କନଷ୍ଟେବଲଙ୍କ ମାଆଙ୍କ ନାମ ଶାମୀମା ଅଖ୍ତାର। ୨୦୨୨ ମସିହାରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରୁଥିବା ସମୟରେ ମୁଦାସିର ଶେଖ ପ୍ରାଣ ହରାଇଥିଲେ। ସହିଦ କନଷ୍ଟେବଲଙ୍କ ମାଆଙ୍କୁ ପ୍ରଥମେ ଡିପୋର୍ଟ କରାଯାଉଥିଲା, କିନ୍ତୁ ପରେ ତାଙ୍କୁ ଭାରତରେ ରହିବାର ଅନୁମତି ଦିଆଯାଇଛି।
୪୫ ବର୍ଷ ଧରି ଭାରତରେ ରହୁଛନ୍ତି
ଶାମୀମାଙ୍କ ଭିଣେଇ ମୋହମ୍ମଦ ୟୁନୁସ କହିଛନ୍ତି ଯେ ସହିଦ ମୁଦାସିରଙ୍କ ମାଆ ଘରକୁ ଫେରି ଆସିଛନ୍ତି ଏବଂ ତାଙ୍କୁ ପାକିସ୍ତାନକୁ ଡିପୋର୍ଟ କରାଯାଇ ନାହିଁ। ଏହି ଅବସରରେ ୟୁନୁସ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାପୂର୍ବରୁ ୟୁନୁସ କହିଥିଲେ ଯେ ଶାମୀମା ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର)ର ବାସିନ୍ଦା ଏବଂ ପିଓକେ ଭାରତର ଅଂଶ, ତେଣୁ ତାଙ୍କୁ ଡିପୋର୍ଟ କରାଯିବା ଉଚିତ ନୁହେଁ। କେବଳ ପାକିସ୍ତାନୀମାନଙ୍କୁ ଡିପୋର୍ଟ କରାଯାଉ।
ୟୁନୁସ କହିଛନ୍ତି ଯେ କନଷ୍ଟେବଲ ମୁଦାସିରଙ୍କ ସହିଦ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉପରାଜ୍ୟପାଳ ପରିବାର ସହ ସାକ୍ଷାତ କରିଥିଲେ। ସେ କହିଛନ୍ତି, ମୋର ଭାଉଜ ଶାମୀମା ୨୦ ବର୍ଷ ବୟସରେ ଭାରତକୁ ଆସିଥିଲେ ଏବଂ ଗତ ୪୫ ବର୍ଷ ଧରି ସେ ଭାରତରେ ରହୁଛନ୍ତି। ଏହା ସହ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହଙ୍କୁ ଅନୁରୋଧ କରିଥିଲେ ଯେ ଶାମୀମାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯାଉ।
Comments are closed.