Latest Odisha News

BREAKING NEWS

ଓଡ଼ିଶା ଛାଡିବେ ୧୨ ପାକିସ୍ତାନୀ ନାଗରିକ

ଭୁବନେଶ୍ୱର: ପହଲଗାମର ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବର୍ତ୍ତମାନ ସାରା ଭାରତରେ ରହୁଥିବା ପାକିସ୍ତାନୀ ମାନଙ୍କର ଭିସା ରଦ୍ଦ କରିବାରେ ଲାଗିଛନ୍ତି।

ଏଥିମଧ୍ୟରେ ଓଡ଼ିଶା ସରକାର ମଧ୍ୟ ପାକିସ୍ତାନୀ ମାନଙ୍କୁ ଖୋଜି ସେମାନଙ୍କୁ ଦେଶାନ୍ତର କରିବା ପାଇଁ ପଦକ୍ଷେପ ନେଉଛନ୍ତି।

ଓଡ଼ିଶାରେ ମୋଟ ୧୨ ଜଣ ପାକିସ୍ତାନୀ ନାଗରିକ ଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କୁ ଏପ୍ରିଲ ୨୭ ସୁଦ୍ଧା ଭାରତ ଛାଡି ପାକିସ୍ତାନ ଫେରିଯିବାକୁ ନୋଟିସ ଦିଆଯାଇଛି।

ତେବେ ଏହି ଘଟଣା ପରେ ରାଜ୍ୟ ଭିତରେ ଯେଉଁ ମାନେ  ସୀମାପାର କରି ବିବାହ କରିଛନ୍ତି ବର୍ତ୍ତମାନ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯେଉଁ ପାକିସ୍ତାନୀ ଦୀର୍ଘକାଳୀନ ଭିସା ନେଇ ଓଡ଼ିଶାରେ ରହୁଛନ୍ତି। ସେମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେଶ ଛାଡିବାକୁ କୁହାଯାଇଛି।

ଏସବୁ ମଧ୍ୟରେ ୪୦ ବର୍ଷ ପୂର୍ବେ ପାକିସ୍ତାନର ସିନ୍ଧ ପ୍ରଦେଶରୁ ଭାରତ ଆସିଥିବା ସାରଦା କୁକ୍ରେଜା ହଇରାଣ ହୋଇଛନ୍ତି। କାରଣ ସେ ପ୍ରାୟ ୧୮ ବର୍ଷ ବୟସରେ ତାଙ୍କ ବାପାଙ୍କ ସହ ଏକ ସ୍ୱଳ୍ପକାଳୀନ ଅର୍ଥାତ୍ ୬୦ ଦିନିଆ ଭିସାରେ ଓଡ଼ିଶାକୁ ଆସି ବାସ କରିଥିଲେ। ପରେ ସେ ଓଡିଶାର ବଲାଙ୍ଗୀରର ଜଣେ ସ୍ଥାନୀୟ ହିନ୍ଦୁ ଯୁବକ ମହେଶ କୁକ୍ରେଜାଙ୍କୁ ବିବାହ କରିଥିଲେ। ତାଙ୍କ ସହ ଘର ସଂସାର ଆରମ୍ଭ କରିଥିଲେ କିନ୍ତୁ ବହୁ ପ୍ରୟାସ ସତ୍ୱେ ମଧ୍ୟ ତାଙ୍କୁ ଭାରତୀୟ ନାଗରିକତା ମିଳିପାରିନଥିଲା।

ତେବେ ତାଙ୍କୁ ମଧ୍ୟ ଭାରତ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।ଯଦି ସେ ଏହି ନିର୍ଦ୍ଦେଶର ଅବମାନନା କରନ୍ତି ତାହେଲେ ଭାରତୀୟ ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି।

ସାରଦା କୁକ୍ରେଜାଙ୍କ ପରି ଅନେକ ମହିଳା ଓଡିଶାର ଯୁବକଙ୍କୁ ବିବାହ କରି ରାଜ୍ୟରେ ଦୀର୍ଘଦିନରୁ ରହି ଆସୁଛନ୍ତି।

ଅପରପକ୍ଷରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ପୋଲିସ ଏକ ଅନଲାଇନ୍ ୱେବସାଇଟରୁ ଭୁବନେଶ୍ଵରରେ ଥିବା ଜଣେ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିଛି। ନିର୍ଦ୍ଦେଶ ଅନୁଯାୟୀ ଆମେ ତାଙ୍କୁ ଏପ୍ରିଲ ୨୭ ସୁଦ୍ଧା ଭାରତ ଛାଡିବାକୁ ନୋଟିସ୍ ଜାରି କରିଛୁ।

Comments are closed.