Latest Odisha News

BREAKING NEWS

ଭାରତରେ ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମ ଆକ୍ରମଣ ପରେ ମୁହାଁମୁହିଁ ହେଇଛନ୍ତି ଭାରତ ଏବଂ ପାକିସ୍ତାନ । ଉଭୟଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ଏନେଇ ଧିରେ ଧିରେ ପାକିଲ୍ତାନ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ, ପୂର୍ବରୁ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଦେଇଥିବାବେଳେ ଶୁକ୍ରବାର ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍‌ କରାଯାଇଛି । ଏକ୍ସ ପ୍ରୋଫାଇଲଲ୍‌ରୁ ତରାରଙ୍କ ଫଟୋ ଏବଂ କଭର୍‌ ଇମେଜ ମଧ୍ୟ ଗାଏବ ହୋଇଯାଇଛି ।

ପୂର୍ବରୁ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ତରାର ଦାବି କରିଥିଲେ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଆଧାରରେ ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ସାମରିକ ଆକ୍ରମଣ କରିପାରେ । ଯଦି ଭାରତ କୌଣସି ପଦକ୍ଷେପ ନିଏ, ତେବେ ପାକିସ୍ତାନ ମଧ୍ୟ ଚୁପ ବସିବ ନାହିଁ ଏବଂ ଉଚିତ ଜବାବ ଦେବ ।

ତରାରଙ୍କ ସହ ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ମରିୟମ ନୱାଜ, ବିଲାୱାଲ ଭୁଟ୍ଟୋଙ୍କ ସମେତ ଅନେକ ପାକିସ୍ତାନୀ ନେତା ଏବଂ ମନ୍ତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯାଇଛି । ଏହା ପୂର୍ବରୁ ଭାରତ ସରକାର ୧୬ଟି ପ୍ରମୁଖ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲେ । ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଭାରତୀୟ ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ସହିତ ମିଥ୍ୟା ଏବଂ ଭ୍ରମାତ୍ମକ ଭିଡିଓ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି ।

ପହଲଗାମ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯାଉଛି । ପାକିସ୍ତାନୀ ଅଭିନେତା ମାହିରା ଖାନ, ହାନିଆ ଆମିର, ସନମ ସଇଦ ଏବଂ ଅଲି ଜାଫରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯାଇଛି । ବାବର ଆଜମ, ମହମ୍ମଦ ରିଜୱାନ ଏବଂ ୱାସିମ ଆକ୍ରମଙ୍କ ସମେତ ବର୍ତ୍ତମାନ ଏବଂ ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ କରାଯାଇଛି ।

Comments are closed.