Latest Odisha News

BREAKING NEWS

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଲାଗି ହେଲା ପହିଲି ଭୋଗ

କେନ୍ଦ୍ରାପଡ଼ା: ପବିତ୍ର ଧନୁ ସଂକ୍ରାନ୍ତିରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପାଖରେ ପହିଲି ଭୋଗ ଲାଗି ହୋଇଛି । ଏହ ସହ ମହାପ୍ରଭୁଙ୍କ ପାଖରେ ଧନୁ ମୁଁଆ ଭୋଗ ଲାଗି ହୋଇଛି। ଶାସ୍ତ୍ର ଅନୁଯାୟୀ ମା’ ଲକ୍ଷ୍ମୀ ଧନୁ ସଂକ୍ରାନ୍ତି ପୂର୍ବ ମାସନ୍ତ ରାତିରେ ନିଜ ପିତୃ ଆଳୟକୁ ଯାତ୍ରା କରିଥାନ୍ତି। ଏକ ମାସ ଧରି ପିତୃ ଆଳୟରେ ରହିବା ପରେ ମକର ସଂକ୍ରାନ୍ତି ପୂର୍ବ ମାସନ୍ତ ଦିନ ସେ ଫେରି ଆସନ୍ତି। ଏହି ସମୟରେ ମନ୍ଦିରର ସମସ୍ତ ଦାୟିତ୍ଵ ଯଶମତି ମାତାଙ୍କ ପାଖରେ ଥାଏ।

ମା’ ଯଶମତି ବ୍ରାହ୍ମ ମୁହୂର୍ତ୍ତରୁ ଉଠି ବଳରାମ କୃଷ୍ଣଙ୍କ ଲାଗି ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରଦ୍ଧାରେ ପରଷି ଦେଇଥାନ୍ତି । ଏହି ଭୋଗକୁ ପହିଲି ଭୋଗ କୁହାଯାଇଥାଏ । ଆଜିଠୁ ତୁଳସୀ କ୍ଷେତ୍ରରେ ଏହି ପହିଲି ଭୋଗ ଆରମ୍ଭ ହୋଇଛି ।

ଆଜି ଭୋର ଚାରିଟାରୁ ଦ୍ଵାର ଉନ୍ମୁକ୍ତ କରି ଜୟ ମଙ୍ଗଳା ଆଳତି ହୋଇଥିଲା । ପରେ ନୀତି ସ୍ନାନ, ବେଶ ବଲ୍ଲଭ ଅନୁଷ୍ଠିତ ହୋଇଥିଲା ।

ଏହି ବଲ୍ଲଭ ସମୟରେ ପ୍ରଭୁଙ୍କ ପାଖରେ ପହିଲି ଭୋଗ ଅର୍ପଣ କରାଯାଇଥିଲା। ଏହି ଭୋଗରେ ପୋଡ଼ ପିଠା, ପକୁଡ଼ି, ଡାଳିମ୍ବ, ଲଡୁ, କାକରା ଭୋଗ ଲାଗି କରାଯାଇଥିଲା। ଭୋଗ ନୀତି ସମ୍ପନ୍ନ ପରେ ଆଳତି ହୋଇଥିଲା। ଏହି ପହିଲି ଭୋଗ ନୀତି ଏକ ମାସ ଧରି ଚାଲିବ। ଆଜି ପବିତ୍ର ଧନୁ ସଂକ୍ରାନ୍ତି ଥିବାରୁ ମହାପ୍ରଭୁଙ୍କ ପାଖରେ ଧନୁ ମୁଁଆ ଭୋଗ ଲାଗି କରାଯାଇଥିଲା । ପରେ ପାର୍ଶ୍ଵ ଦେବଦେବୀଙ୍କ ପାଖରେ ଭୋଗ ଲାଗି ହୋଇଥିଲା । ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଲାଗିଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.