Latest Odisha News

BREAKING NEWS

ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ, ଏବେ ଭାରତ ବିରୋଧରେ ହେବ ଫେରାଦ

ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଲାଣି ପର୍ଦ୍ଦାଫାସ୍ ଭୟ । ବିଶ୍ବ ଦରବାରରେ ମୁଖା ଖୋଲିବା ଭୟରେ ଏବେ ଭାରତକୁ ପାଦେ ପାଦେ ଦେଖିକି ନେଉଛି ପଦକ୍ଷେପ । ଅପରେସନ୍ ସିନ୍ଦୂର ପରେ ବିଶ୍ୱସ୍ତରୀୟ କୂଟନୈତିକ ଯୋଗାଯୋଗ ପାଇଁ ଭାରତ ସାତ ଜଣିଆ ପ୍ରତିନିଧିମଣ୍ଡଳୀ ଘୋଷଣା କରିବାର କିଛି ଘଣ୍ଟା ପରେ, ଭାରତକୁ ନକଲ କରି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କୁ ନିଜର ଅନ୍ତର୍ଜାତୀୟ ଶାନ୍ତି ମିଶନର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରିଛି ପାକିସ୍ତାନ । ବିଲଓ୍ବାଲ ଭୁଟ୍ଟୋ ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୋଧରେ ଫେରାଦ ହେବେ ।

ଶନିବାର ଭାରତର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଭାରତର ସର୍ବଦଳୀୟ ସାଂସଦ ଏବଂ ବରିଷ୍ଠ ରାଜନୈତିକ ନେତାମାନେ ସିନ୍ଦୂର ଅପରେସନ୍ ଏବଂ ଉତ୍ତେଜନା ଉପରେ ଭାରତର ଦୃଷ୍ଟିକୋଣ ବିଷୟରେ ପ୍ରମୁଖ ବିଦେଶୀ ସରକାରଙ୍କୁ ଅବଗତ କରିବା ପାଇଁ ସାତଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ବୋଲି ଘୋଷଣା କରିଛି । ଏହା ଘୋଷଣାର ଖବର ପାଉ ପାଉ ହଡବଡେଇ ଯାଇଛି ପାକିସ୍ତାନ । ନିଜ ମୁଖା ଖୋଲିଯିବା ଭୟରେ ଏବେ ଭାରତ ବିରୋଧରେ ଫେରାଦ ହେବ ବୋଲି ଘୋଷଣା କରିଛି ।

ସହଯେ ତ ମିଛର ଜାଲ ବୁଣୁଛି ପାକିସ୍ତାନ । ନିଜ ଦେଶର ନାଗରିକଙ୍କ ଆଗରେ ନିଜକୁ ମହାନ କରିବା ପାଇଁ ନିଇତି ଭାରତ ବିରୋଧରେ କିଛି ନା କିଛି ମିଛ କାହାଣୀ ଶୁଣାଉଛି । ଆଉ ଏବେ ସେଇ ମିଛ କାହାଣୀକୁ ନେଇ ବିଦେଶ ମଞ୍ଚକୁ ଯିବ ପାକିସ୍ତାନ । ଆଉ ଏହାର ନେତୃତ୍ବ ନେବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ମତ ଉପସ୍ଥାପନ କରିବା ପାଇଁ ବିଲାୱାଲ ଭୁଟ୍ଟୋ-ଜରଦାରୀଙ୍କୁ ନିଯୁକ୍ତ କରିବା ନେଇ ନିଜ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଏନେଇ ଭୁଟ୍ଟୋ ଲେଖିଛନ୍ତି, ଆଜି ପ୍ରଧାନମନ୍ତ୍ରୀ (ଶେହବାଜ ସରିଫ) ମୋ ସହିତ ଯୋଗାଯୋଗ କରିଥିଲେ, ଯିଏ ମୋତେ ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ପାଇଁ ପାକିସ୍ତାନର ମାମଲା ଉପସ୍ଥାପନ କରିବା ପାଇଁ ଏକ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ। ମୁଁ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ଏହି ଚ୍ୟାଲେଞ୍ଜିଂ ସମୟରେ ପାକିସ୍ତାନର ସେବା କରିବାକୁ ପ୍ରତିବଦ୍ଧ ରହିବାକୁ ସମ୍ମାନିତ ଅନୁଭବ କରୁଛି ।

ଦି ନ୍ୟୁଜ୍ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବିଲାୱାଲଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏଥିରେ ପୂର୍ବତନ ମନ୍ତ୍ରୀ ଖୁରମ ଦସ୍ତଗିର ଖାନ ଏବଂ ହିନା ରବାନୀ ଖାର, ଏବଂ ପୂର୍ବତନ ବୈଦେଶିକ ସଚିବ ଜଲିଲ ଆବାସ ଜିଲାନି ପ୍ରମୁଖ ସାମିଲ ରହିଛନ୍ତି । ପାକିସ୍ତାନୀ ପକ୍ଷ ଦାବି କରୁଛି ଯେ ବିଲାୱାଲଙ୍କ ପ୍ରତିନିଧିମଣ୍ଡଳ ଆଞ୍ଚଳିକ ଶାନ୍ତି ପାଇଁ ଓକିଲାତି କରିବ। ଇସଲାମାବାଦର ଏହି ପଦକ୍ଷେପକୁ ଆନ୍ତର୍ଜାତୀୟ ସ୍ତରରେ ବାସ୍ତବିକ କାହାଣୀକୁ ନିୟନ୍ତ୍ରଣ କରିବା ଏବଂ ଭାରତକୁ ମୁକାବିଲା କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି।

Comments are closed.