Latest Odisha News

BREAKING NEWS

‘ଭାରତ ମର୍ସିଡିଜ୍, ପାକିସ୍ତାନ ବାଲି ଭର୍ତ୍ତି ଟ୍ରକ’ : ମୁନୀରଙ୍କ ବୟାନ ପରେ ପାକ୍‌ରେ ତୀବ୍ର ବିରୋଧ

ଭୁବନେଶ୍ୱର: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନୀରଙ୍କ ଅଜବ ବୟାନ ।  ନିକଟରେ ଆମେରିକା ଗସ୍ତରେ ଥିବା ସମୟରେ ଫ୍ଲୋରିଡାର ତାମ୍ପାଠାରେ ପାକିସ୍ତାନୀ ସମୁଦାୟଙ୍କୁ ସମ୍ବୋଧନ କରି ଭାରତ-ପାକିସ୍ତାନ ବିବାଦକୁ ନେଇ ଏକ ଅଜବ ତୁଳନା କରିଛନ୍ତି। ସେ କହିଛନ୍ତି, “ଭାରତ ହେଉଛି ହାଇୱେ’ରେ ଫେରାରୀ ଭଳି ଦୌଡ଼ୁଥିବା ମର୍ସିଡିଜ୍, କିନ୍ତୁ ପାକିସ୍ତାନ ହେଉଛି ବାଲି ଭର୍ତ୍ତି ଏକ ଡମ୍ପ ଟ୍ରକ। ଯଦି ଟ୍ରକ ଓ କାର ମଧ୍ୟରେ ଧକ୍କା ହୁଏ, ତେବେ କାହାର ଅଧିକ କ୍ଷତି ହେବ?” ଏହି ବୟାନ ସୀମିତ ପରିସରରେ ଦିଆଯାଇଥିଲେ ମଧ୍ୟ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଏକ ସାର୍ବଜନୀନ ମଞ୍ଚରୁ ଏହାକୁ କହି ନୂଆ ବିବାଦ ସୃଷ୍ଟି କରିଛନ୍ତି।

ନକଭି କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମୟରେ ସାଉଦି ଆରବର ଏକ ପ୍ରତିନିଧି ଦଳ ସମାଧାନ କରାଇବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ଆସିମ ମୁନୀର ସାଉଦି ପ୍ରତିନିଧିଙ୍କୁ ଏହି ତୁଳନା ଦେଇ କହିଥିଲେ ଯେ ଭାରତ ମର୍ସିଡିଜ୍ ଓ ପାକିସ୍ତାନ ବାଲି ଭର୍ତ୍ତି ଟ୍ରକ, ଏବଂ ଟକ୍କରରେ କାହାର ଅଧିକ କ୍ଷତି ହେବ ଆପଣ ନିଜେ ଅନୁମାନ କରିପାରିବେ।

ମୋହସିନ ନକଭି ଏହି ବୟାନକୁ ଆସିମ ମୁନୀରଙ୍କ ରଣନୀତିକ ଚିନ୍ତାଧାରା ଓ ପାକିସ୍ତାନର ଶକ୍ତିର ପ୍ରମାଣ ରୂପେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ସେ ଲାହୋରରେ ଆୟୋଜିତ ‘ଭାରତ ଉପରେ ପାକିସ୍ତାନର ସାମରିକ ଓ କୂଟନୈତିକ ବିଜୟ’ ବିଷୟକ ଏକ ସେମିନାରରେ କହିଥିଲେ ଯେ ସାଉଦି ପ୍ରତିନିଧି ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ମୁନୀରଙ୍କ ଏହି ‘ଡମ୍ପ ଟ୍ରକ’ ତୁଳନା ଶୁଣି ସେମାନେ ନୀରବ ରହିଯାଇଥିଲେ। ମାତ୍ର, ଏହି ବୟାନ ପାକିସ୍ତାନରେ ଓଲଟା ପ୍ରଭାବ ପକାଇଛି।

ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ବିରୋଧ କରାଯିହା ସହ ଟ୍ରୋଲ କରାଯାଇଛି। ଅନେକ ବ୍ୟବହାରକାରୀ କହିଛନ୍ତି ଯେ ନିଜ ଦେଶକୁ ‘ବାଲି ଭର୍ତ୍ତି ଟ୍ରକ’ କହି ମୁନୀର ଓ ନକଭି ଅଜାଣତରେ ପାକିସ୍ତାନର ଦୁର୍ଦଶାକୁ ସ୍ୱୀକାର କରିଛନ୍ତି। ଜଣେ ଏକ୍ସ ବ୍ୟବହାରକାରୀ ଲେଖିଛନ୍ତି, “ମୁନୀରଙ୍କ ବୟାନରେ ଏକମାତ୍ର ସତ୍ୟ ହେଉଛି ଭାରତ ମର୍ସିଡିଜ୍ ଓ ପାକିସ୍ତାନ ଡମ୍ପ ଟ୍ରକ। ବାକି ସବୁ ଭ୍ରମ।” ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି, “ଅତି କମରେ ସେମାନେ ନିଜର ବାସ୍ତବତା ଜାଣିଛନ୍ତି…ସେମାନେ ଡମ୍ପ ଟ୍ରକ ଓ ଆଉ କିଛି ନୁହେଁ…ଅସଫଳ ମାର୍ଶାଲ ଏହା ସ୍ୱୀକାର କରିଛନ୍ତି।”

Comments are closed.