ନୂଆଦିଲ୍ଲୀ: ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ବିରୁଦ୍ଧରେ ଏକ ଶୁଳ୍କ ଯୁଦ୍ଧ ଚଳାଇଛନ୍ତି, ଅନ୍ୟପଟେ, ପାକିସ୍ତାନ ପ୍ରତି ତାଙ୍କର ପ୍ରେମ ବୃଦ୍ଧି ପାଉଥିବା ପରି ମନେ ହେଉଛି । ପାକିସ୍ତାନୀ ପ୍ରଶାସନିକ ଅଧିକାରୀଙ୍କ ଘନ ଘନ ଆମେରିକା ଗସ୍ତ ଏନେଇ ବଡ ବାର୍ତ୍ତା ଦେଉଛି ଯେ, ଭାରତର ତଥାକଥିତ ଶତ୍ରୁ ସହ ଆମେ ଆମେରିକାର ପ୍ରୀତି ବଢିବାରେ ଲାଗିଛି । ପୁଣି ଥରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଗତ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ, ମୁନିର ଜୁନରେ ଆମେରିକା ଗସ୍ତ କରିଥିଲେ। ଅସୀମ ମୁନିରଙ୍କ ପରେ ପାକିସ୍ତାନ ବାୟୁସେନା ମୁଖ୍ୟ ଜାହିର ଅହମ୍ମଦ ବାବର ସିଦ୍ଧୁ ମଧ୍ୟ ଆମେରିକା ଗସ୍ତ କରିଛନ୍ତି।
ଜେନେରାଲ ଅସୀମ ମୁନିର ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) କମାଣ୍ଡର ଜେନେରାଲ ମାଇକେଲ ଇ. କୁରିଲାଙ୍କ ବିଦାୟ ସମାରୋହରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। କୁରିଲାଙ୍କ ବିଦାୟ ସମାରୋହ ଫ୍ଲୋରିଡାର ଟାମ୍ପାରେ ଥିବା CENTCOM ମୁଖ୍ୟାଳୟରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । CENTCOM କମାଣ୍ଡର ଜେନେରାଲ ମାଇକେଲ ଇ. କୁରିଲା ଜୁଲାଇ ଶେଷ ଭାଗରେ ପାକିସ୍ତାନ ଗସ୍ତ କରିଥିଲେ ।
ତେବେ ଆମେରିକା ସେଣ୍ଟକୋମ୍ କମାଣ୍ଡର ଜେନେରାଲ କୁରିଲାଙ୍କ ପାକିସ୍ତାନ ପ୍ରତି ଗଭୀର ପ୍ରେମ ରହିଛି ଏବଂ ସେ ପ୍ରାୟତଃ ଆତଙ୍କବାଦ, ବିଶେଷକରି ଇସଲାମିକ୍ ଷ୍ଟେଟ୍ – ଖୋରାସାନ୍ (ISIS-K) ବିରୋଧରେ ଲଢ଼ିବାରେ ଇସଲାମାବାଦର ଭୂମିକାକୁ ପ୍ରଶଂସା କରିଛନ୍ତି। ତଥାପି, କୁରିଲା ଯୁକ୍ତି ଦେଇଛନ୍ତି ଯେ ଆମେରିକାର ଭାରତ ଏବଂ ପାକିସ୍ତାନ ଉଭୟ ସହିତ ଭଲ ସମ୍ପର୍କ ରଖିବା ଆବଶ୍ୟକ।
ଆସୀମ ମୁନିର ଚଳିତ ବର୍ଷ ଜୁନ୍ ମାସରେ ଆମେରିକା ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ, ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ। ଉଭୟଙ୍କ ସାକ୍ଷାତ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ହ୍ୱାଇଟ୍ ହାଉସ୍ ମୁଖପାତ୍ର ଆନ୍ନା କେଲି କହିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ଜେନେରାଲ ମୁନିରଙ୍କୁ ଭେଟିବାକୁ ଡାକିଥିଲେ କାରଣ ମୁନିର ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ସୁପାରିଶ କରିଥିଲେ।
ଏହି ସମୟରେ, ଆମେରିକା ଏବେ ପାକିସ୍ତାନ ପ୍ରତି ଦୟାଳୁ ମନେ ହେଉଛି। କାରଣ ଭାରତ ଉପରେ ଲଗାତାର ଶୁଳ୍କ ବୃଦ୍ଧି କରି ୫୦% କରିଥିବା ବେଳେ ପାକିସ୍ତାନ ଉପରେ କିନ୍ତୁ କୋହଳ ହୋଇଛନ୍ତି । ଆମେରିକା ସମ୍ପ୍ରତି ଯେଉଁ ଶୁଳ୍କ ଲାଗୁ କରିଛି, ସେଥିରେ ପାକିସ୍ତାନକୁ ଏକ ବଡ଼ ଛାଡ଼ ଦିଆଯାଇଛି। ଟ୍ରମ୍ପ ପ୍ରଶାସନ ପାକିସ୍ତାନ ଉପରେ ପୂର୍ବରୁ ଶୁଳ୍କ ୨୯ ପ୍ରତିଶତ ଲଗାଇଥିବା ବେଳେ ସମ୍ପ୍ରତି ନୂଆ ଶୁଳ୍କ ଘୋଷଣାରେ ଏହାକୁ ୧୯ ପ୍ରତିଶତକୁ ହ୍ରାସ କରିଛି । ଆମେରିକା ସମ୍ପ୍ରତି ପାକିସ୍ତାନ ସହିତ ଏକ ତୈଳ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛି। କେବଳ ଏତିକି ନୁହେଁ, ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ ମିଳିଥିବା ସାହାଯ୍ୟରେ ମଧ୍ୟ ଆମେରିକା ଏକ ବଡ଼ ଭୂମିକା ଗ୍ରହଣ କରିଛି ।
Comments are closed.