Latest Odisha News

BREAKING NEWS

ହିଂସା ବେଳେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ‘ଇମ୍ରାନଙ୍କ ଗିରଫଦାରୀ ପ୍ରତିଶୋଧ ରାଜନୀତି ନୁହେଁ’

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଇମ୍ରାନ ଖାନଙ୍କୁ ଗିରଫ କରିବା ପରେ ସମଗ୍ର ଦେଶରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଅନେକ ସହରରେ ହିଂସା ଘଟଣା ଘଟିଛି। ହିଂସାକୁ ରୋକିବା ପାଇଁ ପୋଲିସ ଗୁଳି ଚଳାଇଛି, ଯେଉଁଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସ୍ଥିତି ବିଗିଡୁଥିବା ଦେଖି ପାକିସ୍ତାନକୁ ସମ୍ବୋଧିତ କରିଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ଇମ୍ରାନ କ୍ଷମତାରେ ଥିଲେ ସେତେବେଳେ କେବଳ ଅଭିଯୋଗ ଉପରେ ଗିରଫ କରାଯାଇଥିଲା। ଆମେ କିନ୍ତୁ ଏହା କରୁନାହୁଁ। ଆମେ ପ୍ରତିଶୋଧର ରାଜନୀତି କରୁନାହୁଁ। ଆମେ ଆଇନର ସାମ୍ନା କରିବାକୁ ମନା କରିନାହୁଁ। ଆମେ ସବୁବେଳେ କୋର୍ଟରେ ହାଜର ହୋଇଥାଉ। କିନ୍ତୁ ଇମ୍ରାନ ଖାନଙ୍କ ସମୟରେ ଏପରି ହେଉନଥିଲା।

ସେ କହିଛନ୍ତି ଯେ ଏକ ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି। ସେମାନେ ଏକ ସିଲ୍ ହୋଇଥିବା ଲଫାଫା ଦେଖାଇ ୬୦ ବିଲିୟନ ଟଙ୍କା ଦୁର୍ନୀତି କରିଥିଲେ। ଏହା ସହିତ  ଶେହବାଜ ସରିଫ କହିଛନ୍ତି ଯେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଠିକ୍ ନୁହେଁ। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ହେଉଛି ଆତଙ୍କବାଦ।

ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଏଥି ସହ ଯେଉଁମାନେ ହିଂସା ଏବଂ ବିଶୃଙ୍ଖଳା ପ୍ରଦର୍ଶନ କରୁଛନ୍ତି ସେମାନଙ୍କ ସହ ସରକାର କଡା ଆଭିମୁଖ୍ୟ ଦେଖାଇବେ ଏବଂ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରତିବାଦରେ ୧୩୦ ରୁ ଅଧିକ ପୋଲିସ କର୍ମଚାରୀ ଏବଂ ଅନ୍ୟ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପଞ୍ଜାବ ପୋଲିସର ମୁଖପାତ୍ର କହିଛନ୍ତି ଯେ ପୋଲିସ ଏବଂ ସରକାରୀ ଏଜେନ୍ସିର ୨୫ ରୁ ଅଧିକ ଗାଡି ନଷ୍ଟ ହୋଇ ପୋଡି ପାଉଁଶ ହୋଇଯାଇଛି।

ପୋଲିସ କହିଛି ଯେ ବିକ୍ଷୋଭକାରୀମାନେ ୧୪ରୁ ଅଧିକ ସରକାରୀ ବଡ ବଡ ଅଟ୍ଟାଳିକା ଉପରେ ଆକ୍ରମଣ କରିଥିଲେ, ଲୁଟ୍ କରିଥିଲେ ଏବଂ ସରକାରୀ ସମ୍ପତ୍ତିରେ ଗୁରୁତର କ୍ଷତି ଘଟାଇଥିଲେ। ଦୁର୍ନୀତି ମାମଲାର ଶୁଣାଣି ପାଇଁ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଦିନ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଥିଲେ। ପୂର୍ବତନ କ୍ରିକେଟର ଇମ୍ରାନଙ୍କୁ ଗିରଫ କରାଯିବା ପରେ ତାଙ୍କ ଦଳର ସମର୍ଥକମାନେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

Leave A Reply

Your email address will not be published.