Latest Odisha News

BREAKING NEWS

ବିଶ୍ଵ ପଖାଳ ଦିବସ: ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ, ସବୁଠି ବାସୁଛି ପଖାଳ ବାସ୍ନା

ଭୁବନେଶ୍ଵର: ଆଜି ବିଶ୍ଵ ପଖାଳ ଦିବସ । ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଏହାର ମହତ୍ତ୍ୱ ମନେ ପକାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।

ଭାତରେ ପାଣି ସହ ଟିକେ ଦହି । ତା ଉପରେ ଜିରା, ଭୃଷଙ୍ଗ ପତ୍ର, ଧନିଆଁ ପତ୍ର, କଞ୍ଚାଲଙ୍କା ଦିଆ ଛୁଙ୍କ । ଭାତ କଂସା ଚାରିକଡେ ଶାଗ ଭଜା, ବଡି ଚୁରା, ଆଳୁ ଭର୍ତ୍ତା, ବାଇଗଣ ଓ ଟମାଟୋ ଭର୍ତ୍ତା, ଚିପ୍ସ, ମାଛ ଭଜା, ଚିଙ୍ଗୁଡି ଭଜା, ଶୁଖୁଆ ଦଳା ଇତ୍ୟାଦି ଭଳି କି ଭଳି ତିଅଣ । ଆଉ ତା’ପରେ… ତା’ପରେ ତ କଥା ଶେଷ । ପଖାଳ ଟିକେ ଖାଇଦେଲେ ସତେ ଯେପରି ମନ, ଆତ୍ମା ସବୁ ଶାନ୍ତି । ପେଟ ଭରୁଥିବା ଏହି ପଖାଳ ଓଡ଼ିଆଙ୍କ ପ୍ରିୟ, ଓଡ଼ିଶାର ବି ପ୍ରିୟ । ପ୍ରିୟ ପଖାଳ ଓଡ଼ିଆ ମାନଙ୍କର ଯେ କେତେ ପ୍ରିୟ ତାହାର ଝଲକ ବିଶେଷ କରି ଦେଖିବାକୁ ମିଳେ ଏହି ପଖାଳ ଦିବସରେ । କହିବାକୁ ଗଲେ ତ ପଖାଳ ଓଡିଆ ମାନଙ୍କ ପ୍ରମୁଖ ଖାଦ୍ୟ । କିନ୍ତୁ ଆଜିକାଲିର ଜୀବନଶୈଳୀ ଲୋକମାନଙ୍କୁ ଦୁରେଇ ଦେଇଛି ଏହି ପଖାଳ କଂସା ପାଖରୁ । ତଥାପି ପଖାଳ ଦିବସ ଆସିଲେ ଲୋକମାନେ ସବୁ କିଛି ଛାଡି ଖୋଜି ବୁଲନ୍ତି ଏହି ପଖାଳ କଂସାକୁ । ଗାଁ ଠୁ ସହର, ରାସ୍ତାକଡ ହୋଟେଲ ଠୁ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ଆଜିର ଦିନରେ ସବୁଠି ଥାଏ ଏହି ପଖାଳର ଚାହିଦା ।

କି ନେତା, କି ମନ୍ତ୍ରୀ । ସାନ-ବଡ଼, ଧନୀ ଗରିବ । ସବୁ ଭେଦଭାବକୁ ଭେଦ କରି ସମସ୍ତଙ୍କୁ ଏକାକାର କରିଦେଇଛି ପଖାଳ କଂସା । କିଏ ବିଲ ହୁଡ଼ାରେ ବସି ପଖାଳ ଖାଉଛି, ତ ଆଉ କିଏ ତାରକା ହୋଟେଲରେ ପଖାଳ ଖାଉଛି । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ପଖାଳ ।ଦେଶୀ ପଖାଳର ଚାହିଦା ବିଦେଶ ମାଟିରେ ବି କିମିଆ କରିଛି । ସୂଦର ଆମେରିକା ଓ ଦୁବାଇରେ ରହୁଥିବା ଓଡ଼ିଆ, ପଖାଳ କଂସା ଜରିଆରେ ନିଜ ମାଟି ସହ ଯୋଡ଼ି ହେଉଛନ୍ତି । ଦେଶ, ବିଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ସବୁଠି ଜମିଛି ପଖାଳ ଦିବସର ଆସର । ଓଡ଼ିଶାର ମଉଡ଼ମଣି କୁହାଯାଉଥିବା ସ୍ୱୟଂ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ଯାହା ତାଙ୍କ ଟଙ୍କ ତୋରାଣୀରୁ ଓ ଦହି ଅନ୍ନରୁ ପ୍ରମାଣିତ । ପ୍ରଭୁଙ୍କ ପାଇଁ ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି । ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ । ଭଲ ଘିଅ ସାଙ୍ଗକୁ ଜିରା, ଅଦା, ଲୁଣ, ଦହି, ଶର୍କରା, ରାବିଡ଼ି, ପାପୁଡ଼ି, କସଖୁଆ, ଡାଳିମ୍ବ ଓ ପିସ୍ତାବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ । ବାସୁମତୀ ଚାଉଳରୁ ପ୍ରସ୍ତୁତ ଅବଢ଼ା ପାଣିରେ ପକାଇ ଛାଣିବା ପରେ ଏହାକୁ ପ୍ରସ୍ତୁତ କରାଯାଏ । ପଖାଳ ଓଳିରେ ଏହା ମହାପ୍ରଭୁଙ୍କୁ ପରସା ଯାଇଥାଏ । ଏହାକୁ ଖାଇବା ପରେ ମହାପ୍ରଭୁ ସୁଖନିଦ୍ରା ଯାଇଥାଆନ୍ତି ।

 

 

Leave A Reply

Your email address will not be published.