Latest Odisha News

BREAKING NEWS

ଲଗାତର ପଞ୍ଚମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ମସ୍କୋ: ଲଗାତର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ୮୭.୮% ପ୍ରତିଶତ ଭୋଟ୍ ମିଳିଛି । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ ୬ ବର୍ଷ ପାଇଁ ଶାସନ କରିବେ ।

ଭ୍ଲାଦିମର ପୁଟିନ ଦୀର୍ଘ ୨୪ବର୍ଷ ହେଲା ରୁଷିଆରେ ଶାସନ ଗାଦିରେ ବସିଛନ୍ତି । ପୁଣି ଥରେ ନିର୍ବାଚନରେ ବିପୁଳ ଭାବେ ବିଜୟୀ ହୋଇଛନ୍ତି । ୟୁକ୍ରେନ ସହିତ ଯୁଦ୍ଧ, ବିରୋଧୀଙ୍କ ବିରୋଧ ସତ୍ତ୍ୱେ ପୁଟିନଙ୍କ ବିଜୟ ଉପରେ ଏହାର ପ୍ରଭାବ କିଛି ପଡିନାହିଁ । ଋଷିଆର ଇତିହାସରେ ପୁଟିନ ସର୍ବାଧିକ ଭୋଟ ପାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।

ପଞ୍ଚମ ଥର ପାଇଁ ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଦେଶବାସୀଙ୍କୁ ମସ୍କୋରେ ଥିବା ମୁଖ୍ୟାଳୟରେ ବିଜୟ ଅଭିଭାଷଣ ଦେଇଥିଲେ ପୁଟିନ । ସେ କହିଥିଲେ, ‘ଦେଶର ଏକମାତ୍ର ଶକ୍ତି ଉତ୍ସ ହେଉଛନ୍ତି ଋଷର ଲୋକେ । ଯେତେବେଳେ ଦେଶର ଭବିଷ୍ୟତ ନିର୍ମାଣ କଥା ଆସେ ସେତେବେଳେ ପ୍ରତ୍ୟେକ ନାଗରିକଙ୍କ ଭୋଟ୍ ମୂଲ୍ୟବାନ’ ।

ପୁଟିନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟ ସ୍ଥାନରେ ଥିବା କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ନିକୋଲାଇ ଖାର୍ତ୍ତିନୋଭ ୪.୭ ପ୍ରତିଶତ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ ପ୍ରତିଦ୍ବନ୍ଦ୍ବୀ ନ୍ୟୁ ପିପୁଲ୍ସ ପାର୍ଟିର ଭ୍ଲାଦିସ୍ଲାଭ ଡାଭାନକୋଭ ୩.୬ ପ୍ରତିଶତ ଏବଂ ଲିବରାଲ ଡେମୋକ୍ରାଟ୍ସର ଲିଓନିଡ ସ୍ଲୁଟସ୍କି ୨.୫ ପ୍ରତିଶତ ଭୋଟ ପାଇଛନ୍ତି ।

୭୧ବର୍ଷୀୟ ପୁଟିନ ଏହି ବିଜୟ ସହିତ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ଦେଶର ୨ ଶହ ବର୍ଷର ଇତିହାସରେ ସେ ସର୍ବାଧିକ କାଳ କ୍ଷମତାରେ ରହି ଯୋଶେଫ ଷ୍ଟାଲିନଙ୍କ ରେକର୍ଡ ଭଙ୍ଗ କରିବେ ।

Leave A Reply

Your email address will not be published.