ଦୋହା: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ କତାର ହସ୍ତକ୍ଷେପ କରିଛି।
ଦୁଇ ଦେଶ ମଧ୍ୟରେ ପ୍ରଥମ ଶାନ୍ତି ଆଲୋଚନା ଶନିବାର ବିଳମ୍ବିତ ରାତିରେ କତାରର ରାଜଧାନୀ ଦୋହାରେ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ ସାଢ଼େ ଚାରି ଘଣ୍ଟା ଧରି ଚାଲିଥିବା ଏହି ରୁଦ୍ଧ ଦ୍ୱାର ବୈଠକ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସୀମା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଏକ ପ୍ରୟାସର ଅଂଶ ହୋଇଥିଲା। ଆଲୋଚନାରେ ଉଭୟ ଦେଶର ପ୍ରମୁଖ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଗତକାଲି ବିଳମ୍ବିତ ରାତିରେ କତାରର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।
ପାକିସ୍ତାନ ପକ୍ଷରୁ ପ୍ରତିନିଧିମଣ୍ଡଳର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)ର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମାଲିକ ନେଇଥିଲେ।
ଆଲୋଚନା ସମୟରେ ପାକିସ୍ତାନ ନିଜ ସର୍ତ୍ତରେ ସୀମିତ ଯୁଦ୍ଧବିରତିକୁ ବୃଦ୍ଧି କରିବା ଏବଂ ଏହାର ସାମରିକ ଗତିବିଧି ପାଇଁ ଏକ ସୁରକ୍ଷିତ କରିଡର ସୃଷ୍ଟି କରିବା ପାଇଁ ଦାବି କରିଥିଲା। ସେହିପରି ତାଲିବାନ ପାକିସ୍ତାନର ସୀମାପାର ବିମାନ ଆକ୍ରମଣ ବନ୍ଦ କରିବା ଏବଂ ସେମାନଙ୍କ ହେପାଜତରେ ଥିବା ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ଲଢ଼ୁଆମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିଲା।
ତେବେ କତାର ଏହି ଆଲୋଚନାରେ ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରୁଛି ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ସମର୍ଥନରେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରୁଛି। ଦୋହା ଆଲୋଚନା ପୂର୍ବରୁ ପାକିସ୍ତାନ-ଆଫଗାନିସ୍ତାନର ଡୁରାଣ୍ଡ ସୀମା ରେଖାରେ ଭୟଙ୍କର ସଂଘର୍ଷ ହୋଇଥିଲା। ଯେଉଁଥିରେ ଉଭୟ ପାର୍ଶ୍ୱର ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା।
Comments are closed.